ସାଂଘାତିକ ଅବହେଳା: କରୋନା ଆକ୍ରାନ୍ତଙ୍କୁ ମିଳୁନି ଚିକିତ୍ସା! ଭଗବାନଙ୍କ ଭରସାରେ ରୋଗୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଗତ କିଛିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ହେଲେ ରୋଗୀଙ୍କୁ ମିଳିପାରୁନି ଚିକିତ୍ସା ସେବା। ଏକ ପ୍ରକାର ଭଗବାନଙ୍କ ଭରସାରେ ରହିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ କାଗଜପତ୍ରରେ ଚାଲିଛି ଚିକିତ୍ସା।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ବାଲିବନ୍ଧା ଅଂଚଳରେ ରହୁଥିବା ଜଣେ ମହିଳା ଅସୁସ୍ଥତା ଅନୁଭବ କରିବାରୁ ୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ତାଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ବର୍ହି ବିଭାଗ ଡ୍ୟୁଟିରେ ଥିବା ଡାକ୍ତରଙ୍କ ପରାମର୍ଶ ଅନୁସାରେ ମହିଳା ଜଣକ ତାଙ୍କ ମୋବାଇଲ ନମ୍ବର ସହିତ ସବିଶେଷ ଠିକଣା ଦେଇ ଚାଲିଆସିଥିଲେ। କୋଭିଡ୍ ମୁକାବିଲା ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀ ତାଙ୍କ ସହିତ ଯୋଗାଯୋଗ କରିବେ, ଆବଶ୍ୟକ ଚିକିତ୍ସା ପାଇଁ ପରାମର୍ଶ ଦେବେ ବୋଲି ସଂପୃକ୍ତ ଡାକ୍ତର କହିଥିଲେ।‌ ହେଲେ ଆଜି ସୁଦ୍ଧା ତାଙ୍କୁ କୌଣସି ଡାକ୍ତର କିମ୍ବା ଡାକ୍ତରଖାନା କର୍ମଚାରୀ ଫୋନ୍‌ଟିଏ ମଧ୍ୟ କରିନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

ସେହିପରି ଗତ ୯ ତାରିଖ ବୁଢ଼ାରଜା ଅଂଚଳର ଜଣେ ମହିଳା ଆର୍‌ଟିପିସିଆର୍ ପରୀକ୍ଷା ନମୁନା ଦେଇଥିଲେ। ଏହି ରିପୋର୍ଟ ଆସିବାକୁ ୫ ଦିନ ଲାଗିଯାଇଥିଲା। ଗତ ୧୩ ତାରିଖ ଦିନ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ହେଲେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା ସଂପର୍କିତ ପରାମର୍ଶ ଦେବା କିମ୍ବା ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରିବା ପାଇଁ କେହି ଫୋନ୍‌ଟିଏ ବି କରିନଥିଲେ। ଏପଟେ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଜଣେ ସ୍ବେଚ୍ଛ‌ାସେବୀ ଫୋନ୍ କରି ସିଡିଏମ୍‌ଓଙ୍କୁ ସୂଚନା ଦେବା ପରେ ରାତିରେ ଜଣେ ଡାକ୍ତର ତାଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି। କରୋନା ଦ୍ବିତୀୟ ଲହରରେ ପ୍ରତିଦିନ ସମ୍ବଲପୁରର ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି। ସହରଠାରୁ ଗାଁ ପର୍ଯ୍ୟନ୍ତ କରୋନା ବ୍ୟାପି ଗଲାଣି। କୁଚିଣ୍ଡା ଉପଖଣ୍ଡର କେତେକ ଗାଁରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ସୃଷ୍ଟି ହୋଇଛି। ସହରରେ ରହୁଥିବା ଲୋକଙ୍କ ପ୍ରତି ଯଦି ‌ଏଭଳି ଅବହେଳା କରାଯାଉଛି, ତାହେଲେ ଗ୍ରାମାଂଚଳର ସ୍ଥିତି କ’ଣ ଥିବ ବୋଲି ଆଲୋଚନା ହେଉଛି।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ କେବଳ ବୁର୍ଲାରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ସରକାର କୋଭିଡ୍ କେୟାର ସେଣ୍ଟର ସହିତ ଜିଲ୍ଲାସ୍ତରରେ ଥିବା କୋଭିଡ୍ ହସ୍ପିଟାଲ ସବୁ ବନ୍ଦ କରିଦେଇଛନ୍ତି। ବୁର୍ଲାକୁ ସମଗ୍ର ପଶ୍ଚିମ ଓଡ଼ିଶାରୁ ରୋଗୀମାନେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି। ଚିକିତ୍ସା ଅବହେଳା ହେଉ କିମ୍ବା ଅନ୍ୟ କିଛି କାରଣ, ପ୍ରତିଦିନ କିନ୍ତୁ ବୁର୍ଲା କୋଭିଡ୍ ଡାକ୍ତରଖାନାରେ ୪/୫ ଜଣ ରୋଗୀ ମରୁଛନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରାଯାଇଛି। ବିଭିନ୍ନ ଅଂଚଳ ପାଇଁ ଡାକ୍ତର, କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ଗୋଟିଏ ପଟେ ଆର୍‌ଟିପିସିଆର୍ ରିପୋର୍ଟ ବିଳମ୍ବରେ ଆସୁଥିବା ବେଳେ ଅନ୍ୟପଟେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯଦି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦିଆନଯିବ, ତାହେଲେ ସ୍ଥିତି ଆହୁରି ବିଗିଡ଼ି ଯିବ।

ସମ୍ବନ୍ଧିତ ଖବର