କରୋନା ଆକ୍ରାନ୍ତଙ୍କ ସହ ମିଶିଥିବା ଚା’ ଦୋକାନୀ ଚିହ୍ନଟ, କ୍ବାରାଣ୍ଟିନ୍‌ରେ ରହିଲେ ପରିବାରର ୪ ସଦସ୍ୟ

ବାଲେଶ୍ବର : ପଶ୍ଚିମବଙ୍ଗ ମେଦିନାପୁରର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବାଲେଶ୍ବର ଚା ଦୋକାନୀଙ୍କ ସନ୍ଧାନ ମିଳିଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ଟିମ୍‌ ଗତକାଲି ରାତିରେ ସମ୍ପୃକ୍ତ ଦୋକାନୀଙ୍କ ସମେତ ତାଙ୍କ ପତ୍ନୀ, ପୁଅ ଓ ଦେଢ଼ବର୍ଷର ନାତୁଣୀଙ୍କୁ ଜିଲ୍ଲା ହସ୍ପିଟାଲକୁ ଆଣି ଆଇସୋଲେସନ୍‌ରେ ଭର୍ତ୍ତି କରିଥିଲା। ଆଜି ସକାଳେ ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେମାନଙ୍କୁ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କମର୍ସ ବ୍ଲକ ନର୍ଥ ହଷ୍ଟେଲ ପରିସରସ୍ଥିତ କ୍ବାରାଣ୍ଟିନ ସେଣ୍ଟରରେ ରଖାଯାଇଛି।

ଗତକାଲି ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତ ଭାବେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଜଣେ ୭୦ ବର୍ଷୀୟ ବୃଦ୍ଧ ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଙ୍କ ଯାତ୍ରା ବିବରଣୀରେ ସେ ଗତ ୭ ତାରିଖରେ ଭୁବନେଶ୍ୱର ଆସିବା ବାଟରେ ବାଲେଶ୍ୱରର ଏକ ଚା ଦୋକାନରେ ଅଟକିଥିବା ଜଣାପଡ଼ିଥିଲା। ଏହି ଘଟଣା ସାମ୍‌ନାକୁ ଆସିବା ପରେ ଲକ୍‌ଡାଉନ ସମୟରେ କେଉଁ ସ୍ଥାନରେ ଓ କିଏ ଦୋକାନ ଖୋଲିଥିଲା ସେ ସଂପର୍କରେ ଖୋଳତାଡ କରିଥିଲା ପୁଲିସ। ଜାତୀୟ ରାଜପଥର ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକ ରାସ୍ତାପାର୍ଶ୍ବରେ ଥିବା ଏକ ଚାଳି ଦୋକାନ ସେଦିନ ଖୋଲାଥିବା ପୁଲିସକୁ ଖବର ମିଳିଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ତୁରନ୍ତ ସେଠାକୁ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସର ଏକ ଟିମ୍‌ ଯାଇ ସମ୍ପୃକ୍ତ ଚା ଦୋକାନୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପରେ ସେ ସବୁକଥା ମାନିଯିବାରୁ ତାଙ୍କୁ ଏବଂ ତାଙ୍କ ପତ୍ନୀ, ପୁଅ ତଥା ‌ତାଙ୍କ ପାଖରେ ରହୁଥିବା ଦେଢ଼ବର୍ଷର ନାତୁଣୀକୁ ହସ୍‌ପିଟାଲ ଅଣାଯାଇଥିଲା। ଆଜି ସେମାନଙ୍କଠାରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସିଡିଏମ୍‌ଓ ଡା‌. ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଚା ଦୋକାନୀଙ୍କ ଘର ରେମୁଣା ଅଞ୍ଚଳରେ। ଇତିମଧ୍ୟରେ ଦୁଇଦିନ ବିତିଯାଇଥିବାବେଳେ ସେ କିମ୍ବା ତାଙ୍କ ପରିବାର ଲୋକ କୁଆଡ଼େ ଯାଇଥିଲେ ଏବଂ କାହା କାହା ସହ ମିଶିଥିଲେ ସେ ସଂପର୍କରେ ଏଯାବତ କିଛି ତଥ୍ୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର