ଭୁବନେଶ୍ବର : ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରୁ ନିଜ ଘରକୁ ଫେରିଥିବା ବ୍ୟକ୍ତି କରୋନା ସଂକ୍ରମଣ ରୋକିବାରେ ସରକାରଙ୍କ ପକ୍ଷରୁ ଚାଲିଥିବା ଲଢ଼େଇରେ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଗତ କିଛିଦିନ ଭିତରେ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ୭୮ହଜାର ୨୩୩ ଜଣ ଲୋକ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ରାଜ୍ୟରୁ ଫେରିଥିବା ସୂଚନା ମିଳିଛି। ଅନ୍ୟ ରାଜ୍ୟରୁ ଘରକୁ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏହାକୁ ନଜରରେ ରଖି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଘରେ ରହିବା ଲାଗି ରାଜ୍ୟ ସରକାର କଡ଼ା ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶନାମା କିଭଳି ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେବ ସେଥିପାଇଁ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
ଆଜି ସାମ୍ବାଦିକ ସମ୍ମିନଳୀରେ ଶ୍ରୀ ବାଗଚୀ କହିଲେ ଯେ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକମାନଙ୍କ ମଧ୍ୟରେ ୩ଟି ଜିଲ୍ଲାରୁ ମାତ୍ର ୫୦୦ ଜଣ ଲେଖାଏ ଥିବା ବେଳେ ଅନ୍ୟ ୨୭ଟି ଜିଲ୍ଲାରୁ ୧୦୦୦-୧୧୦୦୦ ଲୋକ ରହିଛନ୍ତି। ତେଣୁ ଏହି ବ୍ୟକ୍ତିମାନେ ୧୪ଦିନ ପର୍ଯ୍ୟନ୍ତ ଘରେ ସଙ୍ଗରୋଧ ବା କ୍ବାରାଣ୍ଟିନ୍ରେ ରହିବା ଲାଗି ନିର୍ଦେଶ ଦିଆଯାଇଛି।
ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୬୩ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ମାତ୍ର ୨ଟି ପଜିଟିଭ୍ ରହିଛି। ଗତକାଲିର ୪ ନମୁନା ସହିତ ଆଜି ୨୬ଟି ନମୁନାକୁ ମିଶାଇ ସମୁଦାୟ ୩୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଛି। ଯାହାଫଳରେ ରାଜ୍ୟରେ ଆଉ କୌଣସି ନୂତନ କରୋନା(କୋଭିଡ-୧୯) ସଂକ୍ରମିତ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଦୁଇ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେମାନେ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି। ୩୬ଜଣ ବ୍ୟକ୍ତି ହସ୍ପିଟାଲର ଆଇସୋଲେସନ୍ରେ ରହିଥିବା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ ଯୋଗାଯୋଗ କରାଯାଇଛି। ଭୁବନେଶ୍ବରରେ ୧୦ଟି ମନିଟରିଂ ଟିମ୍ ଓ ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାମ କରୁଛି। ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ଏ ପର୍ଯ୍ୟନ୍ତ ୪୦୧୫ଜଣ ବ୍ୟକ୍ତି ନିଜର ପଞ୍ଜୀକରଣ କରିସାରିଛନ୍ତି। ତେବେ ଗତକାଲି ଶ୍ରୀ ବାଗଚୀ ରାଜ୍ୟରେ ଯେତିକି ସଂଖ୍ୟକ ବିଦେଶ ଫେରନ୍ତା ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ରହିଥିବା କହିଥିଲେ। ସେମାନଙ୍କ ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି ଓ ଯେଉଁ ପଦକ୍ଷେପ ଆବଶ୍ୟକ ତାହା ସରକାର ଗ୍ରହଣ କରିବେ। ତେବେ ଲକ୍ ଡାଉନ୍କୁ ଯଦି କଡ଼ାକଡ଼ି ଭାବେ ପାଳନ ନ କରାଯାଏ ଓ ଲୋକମାନେ ସଚେତନ ନ ହୁଅନ୍ତି ତେବେ ରାଜ୍ୟର ଜନସଂଖ୍ୟାକୁ ଦେଖିଲେ ଆସନ୍ତା ମେ’ ମାସ ଶେଷ ବେଳକୁ ୩୬ ହଜାର ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଚିନ୍ତା ପ୍ରକଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona-a.jpg)
