କ୍ୟାପିଟାଲ ହସ୍‌ପିଟାଲରେ ୨ କରୋନା ସନ୍ଦିଗ୍ଧ, ଜଣେ ଆୟର୍ଲାଣ୍ଡ ନାଗରିକ ସୂଚନା

କ୍ୟାପିଟାଲ ହସ୍‌ପିଟାଲରେ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର: କ୍ୟାପିଟାଲ ହସ୍‌ପିଟାଲରେ ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଥିବା ଜଣାଯାଇଛି। ଉଭୟଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ରକ୍ତ ନମୁନା ବାହାରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ।

ସୂଚନା ଅନୁସାରେ ଆୟର୍ଲାଣ୍ଡର ଜଣେ ନାଗରିକଙ୍କୁ କ୍ୟାପିଟାଲରେ ଭର୍ତ୍ତି କରାଯାଇଛି। ବିଦେଶୀ ନାଗରିକଙ୍କ ସହ ତାଙ୍କର ସ୍ଥାନୀୟ ସହଯୋଗୀଙ୍କୁ ମଧ୍ୟ ଏଠାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନମୁନା ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟ ସନ୍ଦିଗ୍ଧ ହସ୍‌ପିଟାଲରେ ରହିବେ।

ସୂଚନା ଅନୁସାର ଗତକାଲି କଟକ ବଡ଼ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଆଜି ଭୁବନେଶ୍ୱରରେ ଠାବ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍‌ରେ ଥିଲେ ଏହି ବିଦେଶୀ ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ସେ ଏସସିବିର ଆଇସୋଲେସନ୍‌ ୱାର୍ଡରୁ ଚମ୍ପଟ୍‌ ମାରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କରୋନା ସ୍ପେଶାଲ ଆଇସୋଲେସନ ୱାର୍ଡରୁ ସନ୍ଦିଗ୍ଧ ରୋଗୀ କିପରି ଫେରାର୍‌ ହୋଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଆୟର୍ଲାଣ୍ଡର ଏହି ବିଦେଶୀ ମହିଳା ଚମ୍ପଟ ହୋଇଥିବା ଖବରକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର