ପୁରୀରେ ପ୍ରଥମ କରୋନା ସନ୍ଦିଗ୍ଧ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ୍ ୱାର୍ଡରେ ବିଦେଶୀ ଶିଶୁ

ପୁରୀ:  ପୁରୀରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ସଂଦିଗ୍ଧ। ସୂଚନା ଅନୁସାରେ ଜଣେ କରୋନା ସଂଦିଗ୍ଧଙ୍କୁ ଆଜି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ବିଦେଶରୁ ପୁରୀ ଆସିଥିବା ଏହି ସଂଦିଗ୍ଧଙ୍କ ଠାରେ ପ୍ରଥମେ ଜ୍ବର, ଥଣ୍ଡା ଓ କାଶ ଦେଖାଯାଇଥିଲା। ଏହା ପରେ ତାଙ୍କୁ ପୁରୀ ମୋଚିସାହି ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସଂଦିଗ୍ଧଙ୍କ ଶରୀରରେ କରୋନା ଲକ୍ଷଣ ଚିହ୍ନଟ କରାଯାଇଥିଲା।

ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାଥମିକ ପରୀକ୍ଷା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ତାଙ୍କୁ ଡ଼ାକ୍ତରଖାନାରେ ଆଇସୋଲେସନ୍ ୱାର୍ଡରେ ରଖାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପରେ  କଟକ ସ୍ଥାନାନ୍ତର କରାଯିବ। ଆଜି ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ବରସ୍ଥିତ ଆରଏମଅଆରସିକୁ ପଠାଯାଇଛି।

ସୂଚନା ଅନୁସାରେ, ସଂଦିଗ୍ଧ ଜଣକ ଜଣେ ଶିଶୁ  ଓ ୟୁରୋପର ଲିଥୁଆନିଆରୁ ପରିବାର ସହ ଆସିଥିବା ଜଣାପଡ଼ିଛି। ଶିଶୁଙ୍କ ପରିବାର ଭାରତ ଭ୍ରମଣରେ ଆସି ପୁରୀରେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ପହଞ୍ଚିଥିଲେ। ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଥିବା ଏକ ହୋଟେଲରେ ସେମାନେ ରହୁଥିଲେ। ତେବେ ୪/୫ ଦିନ ତଳେ ଶିଶୁ ଜଣକ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ତାହା କମି ନଥିଲା। ଏହାପରେ ତାଙ୍କ ପରିବାର ପକ୍ଷରୁ ଶିଶୁଙ୍କୁ ଚିକିତ୍ସା ଲାଗି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର