କରୋନା ସନ୍ଦିଗ୍ଧ ସ୍ବାମୀଙ୍କ ମୃତ୍ୟୁ, ଦୁଃଖ ସହିନପାରି ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର : କରୋନା ସନ୍ଦେହରେ ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ବ୍ଲକ୍‌ ରୁଗୁଡ଼ିପାଲି ଗ୍ରାମରେ।

ପ୍ରକାଶ ଯେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଛତିଶଗଡ଼ ବିଳାସପୁରର ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିଲେ। ଛତିଶଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେ ଗତ ୫ଦିନ ତଳେ ନିଜ ଘରକୁ ଫେରିଥିଲେ। ରାଜ୍ୟ ବାହାରୁ ସେ ଫେରିଥିବାରୁ ଗୃହାବଦ୍ଧରେ ରହୁଥିଲେ। ତେବେ ତାଙ୍କୁ ଜ୍ବର ହେବା ତଥା କରୋନା ଲକ୍ଷଣ ଦେଖାଦେବାରୁ ସନ୍ଦେହରେ ଗତ ଦୁଇଦିନ ତଳେ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ରିପୋର୍ଟ ଆସିବା ପୂର୍ବରୁ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ଶବ ଦେଖି ଦୁଃଖରେ ଭାଙ୍ଗିପଡ଼ି ପତ୍ନୀ ଏକ ଭଙ୍ଗା ଦର୍ପଣ କାଚରେ ନିଜ ବେକ ଓ ହାତର ବିଭିନ୍ନ ସ୍ଥାନକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା କୋଭିଡ୍ କେୟାର କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମୃତ ସ୍ବାମୀ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ହୋଇଥିବାରୁ ଏକ ସ୍ବତନ୍ତ୍ର କୋଭିଡ୍ ଆମ୍ବୁଲାନ୍ସରେ ଶବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ଉପସ୍ଥିତିରେ ସ୍ବତନ୍ତ୍ର କର୍ମଚାରୀଙ୍କ ଦ୍ବାରା ଦାହ କରାଯାଇଛି।

ସମ୍ବନ୍ଧିତ ଖବର