୧୫ରୁ ଭୀମସାର୍‌ରେ ହେବ ନମୁନା ପରୀକ୍ଷା: ସଚିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୩ଟି ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷା ଚାଲିଥିବା ବେଳେ ଆସନ୍ତା ୧୫ ତାରିଖ ଠାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପଟାଲରେ ମଧ୍ୟ କରୋନା ନମୁନା ପରୀକ୍ଷା କରାଯିବ । ଏମ୍‌କେସିଜି ଭଳି ଭୀମସାରରେ ମଧ୍ୟ ଦୈନିକ ୨୫ଟି ନମୁନା ପରୀକ୍ଷା ହେବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ ଆଜି ସୂଚନା ଦେଇଛନ୍ତି ।

୧୩ ତାରିଖ ଠାରୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ କଲେଜ ଭାବେ ଏଠାରେ ଏହି ନମୁନା ପରୀକ୍ଷା ଆରମ୍ଭ ହେବ । ଏମ୍‌କେସିଜିରେ ଦୈନିକ ୨୫ଟି ନମୁନା ପରୀକ୍ଷା ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଦୁଇ ଦିନ ପରେ ଏମ୍‌କେସିଜିରେ କରୋନା ପରୀକ୍ଷା ହେବାକୁ ଥିବା ବେଳେ ଏବେ ବୈଜ୍ଞାନିକ, ଡାକ୍ତର ଓ ଇଞ୍ଜିନିୟରମାନେ ଯୁଦ୍ଧ କାଳୀନ ଭିତ୍ତିରେ କାମ କରୁଛନ୍ତି ।

ବ୍ରହ୍ମପୁର ଓ ବୁର୍ଲାରେ କରୋନା ନମୁନା ପରୀକ୍ଷା କରିବା ପାଇଁ କିଛି ଦିନ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ରକୁ ଚିଠି ଲେଖିଥିଲେ । ରାଜ୍ୟ ସରକାରଙ୍କ ନିବେଦନକୁ କେନ୍ଦ୍ର ସ୍ୱୀକୃତି ଦେବା ପରେ ଏହି ୨ଟି ଗୁରୁତ୍ୱ ସ୍ଥାନରେ ନମୁନା ପରୀକ୍ଷା ହେବ । ଏହା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଆଇସିଏମଆର କିଛି ଦିନ ମଧ୍ୟରେ ଦିନକୁ ୧୦୦୦ ନମୁନା ପରୀକ୍ଷା କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ବେଳେ ଏମ୍ସରେ ଏମ୍ସରେ ଦିନକୁ ୭୫ଟି ନମୁନା ପରୀକ୍ଷା କରାଯାଉଛି । ସେହିପରି ଏସସିବିରେ ୫୦ଟି ନମୁନା ପରୀକ୍ଷା ହୋଇପାରୁଛି । ରାଜ୍ୟର ଆହୁରି ୬ ଟି ଘରୋଇ ସଂସ୍ଥା କରୋନା ନମୁନା ପରୀକ୍ଷା କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର