କରୋନା ମଣିଷକୁ ଘରେ ସଂଗରୋଧ ରହି ବି ବିପରୀତ ଢଙ୍ଗରେ କାର୍ଯ୍ୟ ସଂପାଦନ କରିବାକୁ ଶିଖେଇ ଦେଇଗଲା: ମୁଖ୍ୟ ବିଚାରପତି

ଭଦ୍ରକ: କରୋନା ମହାମାରୀ ସମୟରେ ମଣିଷ ଘରେ ସଂଗରୋଧରେ ରହି ଲଢ଼ି ଚାଲିଛି ଏବଂ ଭାଇରସ୍‌କୁ ପରାଜିତ କରିଛି ତାହା ଇତିହାସ କହିବ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତ ଡଃ.ଏସ.ମୁରଲିଧର କହିଛନ୍ତି। କରୋନା କାଳରେ ମଣିଷ ଗୃହବନ୍ଦୀ ଜୀବନଯାପନ କରୁଥିବା ବେଳେ ସମଗ୍ର ମାନବ ସମାଜ ହାତ ଗୋଡ଼ ବାନ୍ଧି କାର୍ଯ୍ୟରୁ ଅବ୍ୟାହତି ନେଇ ଘରେ ରହୁଛନ୍ତି। ଆଉ ସେତିକି ବେଳେ ବିଚାର ବିଭାଗ କିନ୍ତୁ ତାର କାମ କରି ଚାଲିଛି।

ଅନ୍‌ଲାଇନ୍‌ରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମାମଲା ଗୁଡିକ ଶୁଣାଣି କରି ତାର ରାୟ ଦେବାରେ ବିଚାର ବିଭାଗ ତାର କାର୍ପଣ୍ୟତା ପରିପ୍ରକାଶ କରିନାହିଁ। ସେଥିପାଇଁ ସରକାରଙ୍କ ଦ୍ଵାରା ପ୍ରଣିତ ଇ-କୋର୍ଟ ବ୍ୟବସ୍ଥାର ସଦୂପଯୋଗ କରି ଭିଡିଓ କନଫରେନସିଂ ମାଧ୍ୟମରେ ମାମଲା ଗୁଡିକ ଶୁଣାଣି କରିଛନ୍ତି। ଆଉ ରାୟ ବି ପ୍ରକାଶିତ ହୋଇଛି। କରୋନା କାଳରେ ବିଚାର ବିଭାଗ ଚୁପମାରି ବସି ନ ଯାଇ ତା କାର୍ତ୍ତବ୍ୟକୁ ଠିକ ଭାବରେ ତୁଲାଇଛି। ସେଥିପାଇଁ ଇ-ଫାଇଲିଂ ବ୍ୟବସ୍ଥାର ଶୁଭାରମ୍ଭ ହୋଇ ସାରିଛି ଓ ଆଇନଜୀବୀମାନଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି । ସେମାନେ ନିଜ ଘରେ ରହି ବି କିପରି ବିଭିନ୍ନ ହାଇକୋର୍ଟ, ସୁପ୍ରିମ କୋର୍ଟ କିମ୍ବା ଅନ୍ୟ କୋର୍ଟମାନଙ୍କରେ ମାମଲା ଦାୟର ଓ ଶୁଣାଣି କରିବା ପାଇଁ ତାର ଅଂଶ ବିଶେଷ ହେଲା ବିଚାର ପ୍ରକ୍ରିୟା ଏବେ ଘରେ ବସି ବି ଦେଖି ହେବ। ପକ୍ଷମାନେ ତାଙ୍କର ମାମଲାକୁ ମାନ୍ୟବର କୋର୍ଟମାନଙ୍କରେ ଠିକ୍‌ ଭାବରେ ଉପସ୍ଥାପନ କରୁଛନ୍ତି କି ନାହିଁ ତାର ଲାଇଭ ଟେଲିକାଷ୍ଟ ଏବେ ଉପଲବ୍ଧ କରାଯାଇଛି।

ମୁଖ୍ୟ ବିଚାରପତିଙ୍କ ଭଦ୍ରକ ଗସ୍ତରେ ଆସି ବାର୍‌ ହଲ୍‌ରେ ଆୟୋଜିତ ଏକ ନିରାଡାମ୍ବର ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭଦ୍ରକରେ ଖୁବ ଶୀଘ୍ର ଭିଜିଲାନ୍‌ସ କୋର୍ଟ ତଥା ବନ୍ତରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ ଖୋଲିବାକୁ ଯାଉଛି। ମୁଖ୍ୟ ବିଚାରପତି ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ ଭଦ୍ରକ ଓକିଲ ସଂଘକୁ ଭୂୟସି ପ୍ରଶଂସା କରିଥିଲେ। ଭଦ୍ରକ ଓକିଲ ସଂଘ ଦ୍ଵାରା ଆୟିଜିତ ଏହି ସଭାରେ ବାରର ସଭାପତି ଦିଲ୍ଲୀପ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସଂପାଦକ ଜିତନ କୁମାର ପଣ୍ଡା ଓକିଲ ସଂଘର ଅସୁବିଧା ଓ କେତେକ ଦାବିକୁ ମୁଖ୍ୟ ନ୍ୟାୟାଧୀଶଙ୍କ ଦୃଷ୍ଟିକୁ ଆଣି ଥିଲେ।

ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ଵିବେଦୀ ସ୍ୱାଗତ ଭାଷଣରେ କହିଥିଲେ ଯେ ଡଃ.ଏସ.ମୁରଲିଧର ତୃତୀୟ ମୁଖ୍ୟ ବିଚାରପତି ଯିଏକି ଭଦ୍ରକ ଓକିଲ ସଂଘ ସଦନକୁ ଆସି ଓକିଲମାନଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ ଆଇନଜୀବୀ ନିରାକାର ଜେନା ନିଜର ଭାଷଣରେ ବାର୍‌ ଓ ବିଚାରପତିମାନଙ୍କ ସମନ୍ଵୟ ବିଷୟରେ ନିଜର ମତ ରଖି ଥିଲେ। ଓକିଲ ସଂଘର ଉପସଭାପତି କରୁଣାକର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର