କରୋନା ଚିନ୍ତା : ମୋଦୀ, ନବୀନଙ୍କ ସମୀକ୍ଷା; ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ଗସ୍ତ ମନା

ରାଜ୍ୟସ୍ତରରେ ଦୈନିକ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାୟ ୯୦ରୁ ଅଧିକ ଦେଶରେ ଏହି ରୋଗରେ ଲୋକମାନେ ଆକ୍ରାନ୍ତ ହୋଇଛନ୍ତି। ସଙ୍କଟର କିପରି ମୁକାବିଲା କରାଯାଇପାରିବ ସେସମ୍ପର୍କରେ ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିବା ବେଳେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମୀକ୍ଷା କରିଛନ୍ତି।

ଓଡ଼ିଶାରେ ଏବେ ସୁଦ୍ଧା ଜଣେ ହେଲେ ବି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇ ନଥିଲେ ବି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଖାରବେଳ ଭବନରେ ରାଜ୍ୟର ସ୍ଥିତି ନେଇ ସମୀକ୍ଷା କରିବା ଅବସରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଏହି ରୋଗଠାରୁ ଦୂରରେ ରହିବା ପାଇଁ ସାଧାରଣ ଲୋକ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଏହା ସହିତ ଏଣିକି ଜିଲ୍ଲାସ୍ତରରେ ଦୈନିକ ଜିଲ୍ଲାପାଳ ଓ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇ କହିଥିଲେ, କରୋନା ଭୂତାଣୁ ମୁକାବିଲା ପାଇଁ ସମସ୍ତ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତରଙ୍କ ପାଇଁ ଆବଶ୍ୟକ ଏନ୍‌-୯୫ ମାସ୍କ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖାଯିବ। ଏହାସହିତ ବ୍ୟକ୍ତିଗତ ପ୍ରତିଷେଧକ ଉପକରଣଗୁଡ଼ିକୁ ମଧ୍ୟ ଆଗାମୀ ୯ ମାସ ପାଇଁ ମହଜୁଦ ରଖାଯିବା ଦରକାର। ମେଡିକାଲରେ ଆବଶ୍ୟକ ଔଷଧପତ୍ର ଯେପରି ଏବେଠୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ ସେଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତ୍ବରିତ୍‌ ପଦକ୍ଷେପ ନେବେ। ରାଜ୍ୟରେ ଥିବା ସମସ୍ତ ଘରୋଇ ମେଡିକାଲଗୁଡ଼ିକରେ କରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସ୍ବତନ୍ତ୍ର ଵାର୍ଡ଼ ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ବ୍ୟକ୍ତିକୁ କରୋନା ସନ୍ଦେହରେ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ୁଛି, ସେ କ୍ଷେତ୍ରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କର ଠିକଣା ଓ ତାଙ୍କ ପରିବାର ସମ୍ପର୍କରେ ବିସ୍ତୃତ ତଥ୍ୟ ଯୋଗାଇଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ସହୟତା କରିବେ। ମନ୍ତ୍ରିମଣ୍ଡଳର କୌଣସି ସଦସ୍ୟ ଯେପରି ବିଦେଶ ଭ୍ରମଣ କିମ୍ବା କାର୍ଯ୍ୟରେ ନ ଯାନ୍ତି ସେଥିପାଇଁ ବାରଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଆବଶ୍ୟକ ପଦକ୍ଷେପ ନେବ। କରୋନା ସ୍ଥିତିରେ ସୁଧାର ନ ଆସିବାଯାଏଁ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ମେସିନ୍‌ରେ ନିଆଯାଉଥିବା ଉପସ୍ଥାନକୁ ବନ୍ଦ ରଖାଯିବ। ପ୍ରତି ଜିଲ୍ଲାରେ ଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡ଼ିକ ଯେପରି ବ୍ଲକ୍‌ ଓ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାର ଓ ପ୍ରସାର କରି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବେ। ପ୍ରତି ଗାଁର ପରିବେଶ ଆବର୍ଜନା ମୁକ୍ତ ରଖିବା ସହ ଯେପରି ସ୍ବଚ୍ଛ ଓ ବର୍ଜ୍ୟବସ୍ତୁ ପରିଚାଳନା ସୁଚାରୁ ରୂପେ ହୋଇପାରିବ ସେଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗୁରୁତ୍ବ ଦେବ। ସେହପରି ସହରାଞ୍ଚଳରେ ପ୍ରତ୍ୟେକ ଵାର୍ଡ଼ର ସ୍ବଚ୍ଛତାକୁ କଡ଼ାକଡ଼ି ଯାଞ୍ଚ କରାଯିବ। ଏହାସହିତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ପରିଷ୍କାର ପରିଚ୍ଛନତା ଯାଞ୍ଚ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସହରରେ ବଡ଼ ବଡ଼ ହୋର୍ଡ଼ିଂ ମାରି କରୋନା ରୋଗ ସମ୍ପର୍କରେ ସତର୍କ ରହିବାକୁ ସୂଚନା ଫଳକ ଲଗାଇବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ସଚେତନ କରାଇବା ସହ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ପାଚିକା, ସହାୟିକା ଓ ପିଲମାନଙ୍କୁ ସାବୁନ୍‌ରେ ହାତ ଧୋଇବା ଅଭ୍ୟାସ କରାଇବା ଦରକାର। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଆବଶ୍ୟକ ପଦକ୍ଷେପ ନେବେ। ବସ୍‌, ଟାଉନବସ୍‌ କିମ୍ବା ଅନ୍ୟ ସାଧାରଣ ପରିବହନ ଯାନରେ ଯାତ୍ରୀଙ୍କ ସିଟ୍‌ ଓ ଧରିବା ପାଇଁ ଉଦ୍ଦିଷ୍ଟ ଲୁହା ପାଇପ୍‌ଗୁଡ଼ିକୁ ନିୟମିତ ସଫାସୁତରା ରଖିବା ସହ ସ୍ପିରିଟ୍‌ କିମ୍ବା ବିଷୋଧନ ସାମଗ୍ରୀରେ ପୋଛାଯିବ। ଯଦି ଥଣ୍ଡା, କାଶ, ଛିଙ୍କ ଓ ଜ୍ବର ହେଉଥିବା ବ୍ୟକ୍ତି ବସ୍‌ରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଆବଶ୍ୟକ ମାସ୍କ ଯୋଗାଇଦେବାକୁ ବ୍ୟବସ୍ଥା କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଦ୍ୟାଳୟ ଓ ହଷ୍ଟେଲ୍‌ର ଚଟାଣ, ଟେବୁଲ୍‌, ଡେସ୍କ, ଦ୍ବାର ହ୍ୟାଣ୍ଡଲ୍‌ସ୍‌ଗୁଡ଼ିକ ସଫାସୁତରା ରହୁଛି କି ନାହିଁ, ସେସବୁକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଦାରଖ କରିବେ। ଜ୍ବର କିମ୍ବା କାଶ ଓ ଥଣ୍ଡା ହେଉଥିବା ଛାତ୍ର କିମ୍ବା ଛାତ୍ରୀ ବିଦ୍ୟାଳୟକୁ ନ ଆସି ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଓ ସାବୁନ୍‌ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀର ରାଜ୍ୟରେ କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆବଶ୍ୟକ ଓ ଜରୁରୀ ଔଷଧ ସଂଗ୍ରହ ପାଇଁ ଯାହା ପାଣ୍ଠି ଆବଶ୍ୟକ କରିବ ଜନ ସ୍ବାସ୍ଥ୍ୟ ମୁକାବିଲା ପାଣ୍ଠିରୁ ତାକୁ ଭରଣା କରାଯିବ। ବାରମ୍ବାର ହାତ ଧୋଇବା କଥାଟିକୁ ଅଧିକରୁ ଅଧିକ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର