ନମୁନା ପରୀକ୍ଷା ୧୦ଲକ୍ଷ ଟପିଲା, ୩ଦିନ ଧରି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା

୨୨୩୯ ପଜିଟିଭ୍ ଚିହ୍ନଟ, ୧୫୩୫ ‌ରୋଗୀ ସୁସ୍ଥ, ଆଉ ୯ ମୃତ, ମୃତ୍ୟୁ ସଂଖ୍ୟା ୩୬୨ ହେଲା

ଭୁବନେଶ୍ବର: କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ଆଜି ଆଉ ଏକ ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୧୦ଲକ୍ଷ ଟପିଯାଇଛି। ଲଗାତାର ୩ ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ଲକ୍ଷ ୯ହଜାର ୪୫୪ରେ ପହଞ୍ଚିଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର। ଗତ ୨୪ଘଣ୍ଟ‌ାରେ ରାଜ୍ୟରେ ୫୦ହଜାର ୫୨୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଏଥିରେ କେବଳ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ୪୫୩୫୩ ପରୀକ୍ଷା ହୋଇଛି। ତେବେ ଆରଟି-ପିସିଆରରେ ୫୧୦୬ ନମୁନା ପରୀକ୍ଷା କରାଯାଇଛି। ଗତ ୧୫ତାରିଖ ଦିନ

ଆରଟି-ପିସିଆରରେ ୧୦୨୪୦ ନମୁନା ପରୀକ୍ଷା ହୋଇଥିଲା। ତେବେ ରାପିଡ୍‌ ଆଣ୍ଟିଜେନ୍‌ରେ ତ୍ବରିତ ନମୁନା ରିପୋର୍ଟ ଦୃଷ୍ଟିରୁ ଏହି ପରୀକ୍ଷା ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଥିବା କୁହାଯାଇଛି।
ଚଳିତ ମାସରେ ରାଜ୍ୟରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୯ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ବାଲେଶ୍ବରର ୬୨ବର୍ଷର ପୁରୁଷ, ଭୁବନେଶ୍ବରର ୮୧ବର୍ଷର ବୃଦ୍ଧା, ଗଞ୍ଜାମର ୬୮ବର୍ଷର ପୁରୁଷ, ମାଲକାନଗିରିର ୬୧ବର୍ଷର ପୁରୁଷ, ରାୟଗଡ଼ାର ୬୮ବର୍ଷର ପୁରୁଷ ବିଭିନ୍ନ ଜଟିଳ ରୋଗ ସହ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି। ଅଣ କରୋନା ମୃତ୍ୟୁ ୫୩ ରହିଛି। ଗଞ୍ଜାମରେ ସର୍ବାଧିକ ୧୫୮, ଖୋର୍ଧାରେ ୪୯, ସୁନ୍ଦରଗଡ଼ ୨୨, କଟକ ୧୮, ରାୟଗଡ଼ା ୧୭କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁନାହିଁ। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇ ସାରିଲାଣି।
ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। ବିଶେଷକରି ଖୋର୍ଧା ଜିଲ୍ଲା ରାଜ୍ୟର କରୋନା ସଂକ୍ରମଣର ପ୍ରମୁଖ ସ୍ଥାନ ପାଲଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୩୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଧା ଜିଲ୍ଲାର ୪୧୯ ଜଣ ରହିଛନ୍ତି। ଏହାବାଦ୍ ଗଞ୍ଜାମ ୨୪୬, ନୟାଗଡ଼ ୧୪୭, ବ‌ାଲେଶ୍ବର ୧୩୦, ରାୟଗଡ଼ା ୧୨୦, କଟକ ୧୧୭ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କୋରାପୁଟ ୯୧, କନ୍ଧମାଳ ୯୦, ମୟୂରଭଞ୍ଜ ୮୦, ଯାଜପୁର ୭୫, ଭଦ୍ରକ ୭୩, କେନ୍ଦୁଝର ୭୨, ବଲାଙ୍ଗୀର ୬୬, ସୁନ୍ଦରଗଡ଼ ୬୪, ମାଲକାନଗିରି ୫୫, ବୌଦ୍ଧ ଓ ସମ୍ବଲପୁର ୫୩ ଲେଖାଏଁ, ବରଗଡ଼ ୫୧, ଗଜପତି ୪୨, ପୁରୀ ୪୦, ଢେଙ୍କାନାଳ ୩୬, ସୋନପୁର ୨୪, କଳାହାଣ୍ଡି ୨୧, ନବରଙ୍ଗପୁର ୧୪, ଝାରସୁଗୁଡ଼ା ୧୩, ନୂଆପଡ଼ା ୮, କେନ୍ଦ୍ରାପଡ଼ା ୭ ଓ ଅନୁଗୁଳରେ ୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୪୧୬ଜଣ ସଙ୍ଗରୋଧରୁ ଓ ୮୨୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ରାଜ୍ୟରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି। ଗଞ୍ଜାମରେ ୧୫୨୫୬ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ସର୍ବାଧିକ। ତେବେ ଖୋର୍ଧା ଜିଲ୍ଲା ୧୦ହଜାର ସଂଖ୍ୟାର ନିକଟତର ହୋଇଛି। ଜିଲ୍ଲାରେ ୯୩୮୦ ରୋଗୀ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟରେ ଆଜି ୧୫୩୫ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଖୋର୍ଧା ସର୍ବାଧିକ ୨୮୭ ରୋଗୀ ରହିଛନ୍ତି। ଏହାସହ ସୁନ୍ଦରଗଡ଼ ୧୭୮, ଗଞ୍ଜାମ ୧୫୬, କନ୍ଧମାଳ ୧୦୫, ପୁରୀ ୯୬, କଟକ ୮୪, କୋରାପୁଟ ୭୩, ବରଗଡ଼ ୭୦, ନୟାଗଡ଼ ୬୩, ମାଲକାନଗିରି ୫୮, ବାଲେଶ୍ବର ୫୨, କଳାହାଣ୍ଡି ୪୭, ଭଦ୍ରକ ୪୨, ଯାଜପୁର ୩୯, ଗଜପତି ୨୭, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୨୦ଜଣ ଲେଖାଏଁ, ଝାରସୁଗୁଡ଼ା ୧୯, ମୟୂରଭଞ୍ଜ ଓ କେନ୍ଦୁଝର ୧୭ ଲେଖାଏଁ, ଢେଙ୍କାନାଳ ୧୫, ରାୟଗଡ଼ା ୧୪, ନବରଙ୍ଗପୁର ୧୩, ବଲାଙ୍ଗୀର ଓ ବୌଦ୍ଧରୁ ୭ଜଣ ଲେଖାଏଁ, ଜଗତସିଂହପୁର ୬, ନୂଆପଡ଼ା ୨ ଓ ସୋନପୁରରୁ ଜଣେ ରୋଗୀ ରହିଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୫୩୧୫ରେ ପହଞ୍ଚିଛି। ଏବେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୮୦୩ ରହିଛି।

ସମ୍ବନ୍ଧିତ ଖବର