ଭୁବନେଶ୍ବର: ବିଧାନସଭାରେ ବସିବ ମୌସୁମୀ ଅଧିବେଶନ। ତେବେ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ସବୁ ସଦସ୍ୟ ଓ ସଦସ୍ୟାମାନଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ। ସଂକ୍ରମିତ ନ ହୋଇଥିବା ସଦସ୍ୟ ଓ ସଦସ୍ୟାଙ୍କୁ ବିଧାନସଭା ଭିତରକୁ ଆସିବାକୁ ଅନୁମତି ଦିଆଯିବ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକମାନଙ୍କ ସହିତ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀମାନଙ୍କର ବି ନମୁନା ପରୀକ୍ଷା କରାଯିବ। ଅନ୍ୟପଟେ ବିଧାନସଭା ତାରିଖ ଧାର୍ଯ୍ୟ ନ ହୋଇଥିଲେ ବି ଅଧିବେଶନର ରୂପରେଖ କଣ ହେବ ସେ ସମ୍ପର୍କରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି।
ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି, ସମସ୍ତ ବିଧାୟକମାନଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯିବ। ଆବଶ୍ୟକସ୍ଥଳେ ଆଣ୍ଟିଜେନ୍ ଟେଷ୍ଟର ବ୍ୟବସ୍ଥା ରହିବ। ବିଧାୟକ ଓ ବିଧାୟିକାମାନଙ୍କର ନମୁନା ସଂଗ୍ରହ ବିଧାନସୌଧ ପରିସରରେ ହିଁ କରାଯିବ। ବିଧାନସଭା ଆରମ୍ଭର ୫ ଦିନ ପରେ ପୁଣି ଥରେ ସଦସ୍ୟ ଓ ସଦସ୍ୟାମାନଙ୍କର କୋଭିଡ୍ ଟେଷ୍ଟ କରିବା ପାଇଁ ସ୍ଥିର କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ ଏହି ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରିବେ। ଶ୍ରୀ ପାତ୍ର କହିଛନ୍ତି, ଏହି ଅଧିବେଶନକୁ ଆସୁଥିବା ପ୍ରତ୍ୟେକ ବିଧାୟକ ବିଧାନସଭା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ନିଜ ନିର୍ବାଚନମଣ୍ଡଳୀର କୌଣସି ବ୍ୟକ୍ତିଙ୍କୁ ଦେଖା କରିବେନି କି ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯିବ। ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ଏଥିପାଇଁ ଯଥେଷ୍ଟ ପୂର୍ବରୁ ବିଧାନସଭା ସଚିବାଳୟକୁ ଜଣାଇବାକୁ ପଡ଼ିବ। ସମସ୍ତ ସଦସ୍ୟ ଓ ବିଧାନସଭା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ଫେସ୍ସିଲ୍ଡ୍, ମାସ୍କ୍, ହ୍ୟାଣ୍ଡଗ୍ଲୋଭ୍ସ୍ ଓ ହ୍ୟାଣ୍ଡ ସାନିଟାଇଜର ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ବିଧାନସଭାର ଏହି ଅଧିବେଶନରେ ମୁଲତବି ପ୍ରସ୍ତାବ ଆଲୋଚନ ହେବ ନା ନାହିଁ ଏବଂ ଏହି ଅଧିବେଶନ କେତେ ଦିନ ପର୍ଯ୍ୟନ୍ତ ଚାଲିବ ସେ ନେଇ ପ୍ରଥମରୁ ସ୍ଥିର ହେବା ଦରକାର। ଏଥିପାଇଁ ବାଚସ୍ପତି ଖୁବ୍ ଶୀଘ୍ର ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ଦାବି କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସମାନ ଦାବି କରି କହିଛନ୍ତି ବିଧାନସଭା ଅଧିବେଶନରେ ସଦସ୍ୟମାନେ କିପରି ବସିବେ, ସାମ୍ବାଦିକମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ନେଇ ବିସ୍ତୃତ ଆଲୋଚନା କରିବା ଦରକାର। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ।