ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ ହେବ କରୋନା ପରୀକ୍ଷା

ପୁରୀ: ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ | ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ ହେବ କରୋନା ପରୀକ୍ଷା | ପ୍ରଥମେ ଦଇତାପତି ସେବାୟତଙ୍କ କରାଯିବ ନମୁନା ପରୀକ୍ଷା। ମୋଟ ୧୫୦ ଦଇତାପତିଙ୍କ ନମୁନା ପରୀକ୍ଷା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ପରୀକ୍ଷା ହେବ । ପ୍ରତିଦିନ ୭୫ ସେବାୟତଙ୍କ ପରୀକ୍ଷା ହେବ | ସ୍ବାବ ସଂଗ୍ରହ ପରେ ଚୁକ୍ତି ଅନୁସାରେ ହୋମ୍ କ୍ବାରେଣ୍ଟିନରେ ରହିବେ | ସେହିପରି ଆସନ୍ତା ୨୯ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ହୋଇଛି ।

ଶ୍ରୀଜିଉଙ୍କ ସେବା କରୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ ଏବଂ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି। ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।

ଏଠାରେ ସୂଚନା ଥାଉ କି ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଯୋଗାଇ ଦେଇଥାନ୍ତି । ତେବେ ଦେବସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେବାୟତ । ଏହାସହ ସେବାୟତମାନେ ମୁହଁରେ ମାସ୍କ ପିନ୍ଧିବେ |

ସମ୍ବନ୍ଧିତ ଖବର