ଏବେ ଭୁବନେଶ୍ୱରରେ କରୋନା ପରୀକ୍ଷା

ଆର୍‌ଏମ୍‌ଆର୍‌ସିରେ ପହଞ୍ଚିଲା ପ୍ରାଇମର କିଟ୍, ଏବେ ଚାଲିଛି ପରୀକ୍ଷାନିରୀକ୍ଷା, ୬ ଘଣ୍ଟାରେ ମିଳିବ ରିପୋର୍ଟ, ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ବର : ଆସନ୍ତା ସୋମବାରଠୁ ଆରଏମ୍‌ଆରସି ଭୁବନେଶ୍ବରରେ କରୋନା ଭୂତାଣୁ ନମୁନା ପରୀକ୍ଷା କରାଯିବ। କରୋନା ସଂପର୍କିତ ନମୁନା ପରୀକ୍ଷା ପାଇଁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (ଏନ୍‌ଆଇଭି) ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେବେ ଆରଏମ୍‌ଆରସିରେ କରୋନା ଭୂତାଣୁ ପରୀକ୍ଷା ପାଇଁ ପ୍ରାଇମର କିଟ୍ ପହଞ୍ଚି ସାରିଛି। ଏବେ ଏନ୍‌ଆଇଭି ସହଯୋଗରେ ଏହାର ପରୀକ୍ଷା ନିରୀକ୍ଷା କରାଯାଉଛି। ଯଦି ଏହା ଠିକ୍ ଫଳ ସୂଚନା

ଦେବେ ତେବେ ଆସନ୍ତା ସୋମବାରଠାରୁ ରାଜ୍ୟରେ କରୋନା ସନ୍ଦିଗ୍ଧମାନଙ୍କ ନମୁନା ପରୀକ୍ଷା ଆରଏମ୍‌ଆରସି ହୋଇପାରିବ।

ଚୀନ୍‌ର ଉହାନରୁ କରୋନା ବ୍ୟାପିବା ପରେ ପ୍ରତିଷେଧକ ବ୍ୟବସ୍ଥା ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପୁନେସ୍ଥିତ ଏନ୍‌ଆଇଭି ବାଦ୍ ୧୧ଟି କେନ୍ଦ୍ରକୁ ନମୁନା ପରୀକ୍ଷା କେନ୍ଦ୍ର ଭାବେ ଘୋଷଣା କରାଯାଇଥିଲା। ଏଥିରେ ଆରଏମ୍‌ଆରସି ଭୁବନେଶ୍ବର ସାମିଲ ରହିଥିଲା। ମାତ୍ର ଭୂତାଣୁ ଚିହ୍ନଟ କିଟ୍‌ ଖୋଲା ବଜାରରେ ଉପଲବ୍ଧ ହେଉ ନ ଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି କିଟ୍ ଯୋଗାଇଥାଏ। ଏ ଦୃଷ୍ଟିରୁ କେବଳ ଏନ୍‌ଆଇଭି ପୁନେରେ ହିଁ ଦେଶବ୍ୟାପୀ କରୋନା ଭୂତାଣୁ ନମୁନା ପରୀକ୍ଷା ‌କରାଯାଉଥିଲା। ତେଣୁ ରାଜ୍ୟରେ ଚିହ୍ନଟ କରୋନା ସନ୍ଦିଗ୍ଧଙ୍କ ନମୁନା ଆରଏମ୍‌ଆରସି ଜରିଆରେ ଏନ୍‌ଆଇଭି ପୁନେକୁ ପଠାଯାଇଥାଏ। ଏନ୍‌ଆଇଭି ପୁନେ ପରୀକ୍ଷା କରିବା ପରେ ଏ ସଂପର୍କିତ ରିପୋର୍ଟ ପ୍ରଦାନ କରିଥାଏ। ଏପରିକି ରାଜ୍ୟରେ ଏକାଧିକ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ରାଜ୍ୟ ସରକାର କରୋନା ପରୀକ୍ଷା ଭୁବନେଶ୍ବର କିମ୍ବା ଏସ୍‌ସିବିରେ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ।

rmrcbbsr.gov.in

ସାଧାରଣଭାବେ କ‌ରୋନା ଭୂତାଣୁ ପରୀକ୍ଷା ପାଇଁ ୬ଘଣ୍ଟା ସମୟ ଲାଗିଥାଏ। ମାତ୍ର ପୂର୍ବରୁ ପୁନେରେ ଏହି ପରୀକ୍ଷା ହେଉଥିବାରୁ ଏଥିପାଇଁ ପ୍ରାୟ ୨ଦିନ ସମୟ ଲାଗୁଥିଲା। ଏବେ ଆରଏମ୍‌ଆରସିରେ ଏବେ ୧୦୦ରୁ ଅଧିକ କିଟ୍‌ ପହଞ୍ଚିସାରିଛି। ଯଦି ଆବଶ୍ୟକ ପଡ଼େ ତେବେ ଆହୁରି ଅଧିକ ସଂଖ୍ୟକ କିଟ୍‌ ଏନ୍‌ଆଇଭି ପୁନେ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଆରଏମ୍‌ଆରସିର ନିର୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା ଅନୁସାରେ, ଆରଏମ୍‌ଆରସିରେ ଏବେ ପ୍ରାଇମର ପହଞ୍ଚି ସାରିଛି। ଏନ୍‌ଆଇଭି ପୁନେ ସହଯୋଗରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଯଦି ଆଶା ଅନୁଯାୟୀ ସବୁକିଛି ଠିକ୍ ରହିବ ତେବେ ଆସନ୍ତା ସୋମବାରଠାରୁ ଆରଏମ୍‌ଆରସିରେ କରୋନା ଭୂତାଣୁ ପରୀକ୍ଷା କରାଯିବ। କେବଳ ଓଡ଼ିଶାର ସନ୍ଦିଗ୍ଧମାନଙ୍କୁ ଏଠାରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମତୀ ପତି ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ଘଟିଛି। ଗତକାଲି ୧୨୦ଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ କରାଯାଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟି ୧୨୯ରେ ପହଞ୍ଚିଛି। ତେବେ ଦୁଇଦିନ ତଳେ ପାରାଦୀପ ବନ୍ଦରରେ ଚିହ୍ନଟ ହୋଇଥିବା ଦମ୍ପତିଙ୍କ ରକ୍ତ ଓ ଲାଲ ନମୁନା ନେଗେଟିଭ୍ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ମାତ୍ର ଅନ୍ୟ ଦୁଇ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ଏନ୍‌ଆଇଭିରୁ ଆସିନାହିଁ। ଏବେ ରାଜ୍ୟରେ ୯ ଜଣ ବ୍ୟକ୍ତି ଅବଜରଭେସନ୍‌ରେ ରହିଥିବା ବେଳେ ୪୧ଜଣଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ରକ୍ତ ନମୁନା ପରୀକ୍ଷା ପାଇଁ ଭିଡ଼ ଦେଖା ଦେଇପାରେ। ଏହି ସମସ୍ୟା ଏଡ଼ାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଏକ ଚିଠି ଲେଖି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଭୂତାଣୁ ପରୀକ୍ଷ ପାଇଁ ଆବଶ୍ୟକ ପରୀକ୍ଷା ଲ୍ୟାବ୍ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି। ଯାହାଫଳରେ ଆଗାମୀ ଦିନରେ କରୋନା ସଂକ୍ରମଣର ମୁକାବିଲା ଦିଗରେ ଏହା ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର