କୋଭିଡ୍ ସଂକ୍ରାନ୍ତ ମନ୍ତ୍ରୀଗୋଷ୍ଠୀ ବୈଠକରେ ନିଷ୍ପତ୍ତି
ଆଜିଥ୍ରୋମାଇସିନ୍ ଓ ଟେଷ୍ଟିଂ କିଟ୍ ଅଧିକ କିଣାଯିବ
ସ୍ବାସ୍ଥ୍ୟ କର୍ମୀଙ୍କ ତାଲିମ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ
ଭୁବନେଶ୍ବର : ଏବେ ରାଜ୍ୟରେ କୋଭିଡ ପାଇଁ ପ୍ରତ୍ୟେକ ଦିନ ପାଖାପାଖି ୧୦୦୦ ରକ୍ତ ନମୁନା ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଦୈନିକ ୩୦୦୦ ନମୁନା ପରୀକ୍ଷା ହେବ। ଆଜି ଅନୁଷ୍ଠିତ କରୋନା ସଂକ୍ରାନ୍ତ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟ କର୍ମୀମାନଙ୍କ ତାଲିମ୍ ଓ ଦକ୍ଷତା ବୃଦ୍ଧି ସହିତ ଅଧିକ ପରିମାଣରେ ଟେଷ୍ଟିଂ କିଟ୍ ଓ ଆଜିଥ୍ରୋମାଇସିନ୍ ଔଷଧ ବଟିକା କିଣିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ୍ କେନ୍ଦ୍ର, ପ୍ରତିରୋଧ କ୍ଷମତା ବୃଦ୍ଧି କେନ୍ଦ୍ର ଓ ରୋଗ ନିରାକରଣ ପାଇଁ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ୍ ପ୍ରତିଷ୍ଠା ଉପରେ ବୈଠକରେ ଆଲୋଚନା ହୋଇଛି।
ଗୁରୁବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୫ମ ମନ୍ତ୍ରୀଗୋଷ୍ଠୀ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିଜ ନିଜ ଜିଲ୍ଲାରେ ଭାଗ ନେଇଥିବା ବେଳେ ଲୋକସେବା ଭବନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବୈଠକରେ ଅଂଶଗ୍ରହଣ କରିଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କରୋନାକୁ କିପରି ସଫଳତାର ସହ ମୁକାବିଲା କରିହେବ, ସେ ନେଇ ଅଧିକ ମାନବସମ୍ବଳ ନିୟୋଜନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଡାକ୍ତର, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଏ.ଏନ୍.ଏମ୍ମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ବ ଦିଆଯାଇଛି। ଏବେସୁଦ୍ଧା ୧ ଲକ୍ଷ ୫୩ ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟରେ ଥିବା ସମସ୍ତ ପୁରୁଣା ଓ ନୂଆ ମେଡିକାଲ କଲେଜ୍ ଓ ହସ୍ପିଟାଲରେ କରୋନା ଟେଷ୍ଟିଂ ପରୀକ୍ଷାଗାର ଖୋଲିବାକୁ ସୁପାରିସ କରାଯାଇଛି। ଏଥିପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ କରିବାକୁ ଗୁରୁତ୍ବ ଦିଆଯାଇଛି।
ବୈଠକରେ କରୋନା ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ହେଉଥିବା ମେଡିକାଲ ଉପକରଣ ଶିଳ୍ପ ପ୍ରତିଷ୍ଠା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ କୋଭିଡ୍ ନମୁନା ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରିବାକୁ ପଡ଼ିବ। ଏଥିପାଇଁ ବିପୁଳ ପରିମାଣରେ ଟେଷ୍ଟିଂ ସଂରଜାମ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯାଉ। ବୁର୍ଲା ମେଡିକାଲ୍ କଲେଜ୍ରେ ଆଉ ୩ଟି କୋଭିଡ୍-୧୯ ପରୀକ୍ଷଣ ଯନ୍ତ୍ର ଯୋଗାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଖାଲି ସେତିକି ନୁହେଁ, ଭୁବନେଶ୍ବର ସମ୍ ହସ୍ପିଟାଲ୍, କିମ୍ସ୍ ହସ୍ପିଟାଲ୍, କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।
ସ୍ବାସ୍ଥ୍ୟ ମନ୍ତ୍ରୀ ବୈଠକରେ ସୂଚନା ଦେଇ କହିଥିଲେ, ଦିଲ୍ଲୀରେ ପ୍ରତି ୯ଜଣ କରୋନା ସନ୍ଦିଗ୍ଧଙ୍କ ଭିତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତାମିଲନାଡ଼ୁରେ ପ୍ରତି ୧୦ ଜଣରେ ଜଣେ ଚିହ୍ନଟ ହେଉଛନ୍ତି। କିନ୍ତୁ ଓଡ଼ିଶାରେ ୧୦୦ ଲୋକଙ୍କ ଭିତରୁ ଜଣେ ପଜିଟିଭ୍ ବାହାରୁଛନ୍ତି। ଏସବୁ ଓଡ଼ିଶାର ସରକାରଙ୍କ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।