ରାଜ୍ୟରେ ଥମୁନି କରୋନା ମୃତ୍ୟୁ : ୩ ଦିନରେ ୫୦ ମୁଣ୍ଡ ନେଲାଣି କରୋନା

ଦିନକରେ ୩୦୫୩ ପଜିଟିଭ୍, ୧୭ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମୁନାହିଁ। ଗତ ୩ ଦିନରେ ରାଜ୍ୟରେ ୫୦ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ତହିଁରେ ଆଜି ୧୭ଜଣ ମୃତକ ରହିଛନ୍ତି। ସମୁଦାୟ ଭାବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୯୨ରେ ପହଞ୍ଚିଗଲାଣି। କିଛି ଦିନ ହେବ, ଦୈନିକ ୧୫-୧୭ଜଣ କରୋନାରେ ପ୍ରାଣ ହରାଉଥିବା ନେଇ ଘୋଷଣା ହେଉଛି। ଯଦି ଏହିଭଳି ଧାରା ବଜାୟ ରହେ, ତାହାଲେ ଖୁବ୍‌ଶୀଘ୍ର ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହଜାର ଛୁଇଁପାରେ।

ଆଜି ଘୋଷଣା ହୋଇଥିବା ୧୭ ମୃତକଙ୍କ ମଧ୍ୟରେ ବାଲେଶ୍ବର ଓ ଢେଙ୍କାନାଳରୁ ୩ଜଣ ଲେଖାଏଁ ରହିଛନ୍ତି। ଏହାବାଦ୍ ପୁରୀ, ଖୋର୍ଧା, ଜଗତ୍‌ସିଂହପୁରରୁ ୨ଜଣ ଲେଖାଏଁ, ନୟାଗଡ଼, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ ଓ ଭଦ୍ରକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୨୧ରେ ପହଞ୍ଚିଛି। ଖୋର୍ଧା ୧୪୬, କଟକ ୭୪, ପୁରୀ ୫୯, ସୁନ୍ଦରଗଡ଼ ୪୦, ରାୟଗଡ଼ା ୩୮, ବାଲେଶ୍ବର ୩୩, ନୟାଗଡ଼ ୨୯, ବଲାଙ୍ଗୀର ଓ ମୟୂରଭଞ୍ଜରୁ ୨୪ ଲେଖାଏଁ, ଗଜପତି, କନ୍ଧମାଳରୁ ୨୩ ଲେଖାଏଁ, ସମ୍ବଲପୁର ୨୨, ଭଦ୍ରକ ୧୫, ବରଗଡ଼ ୧୩, କଳାହାଣ୍ଡି, ମାଲକାନଗିରି, କେନ୍ଦ୍ରାପଡ଼ା ଓ ଯାଜପୁରରୁ ୧୧ଜଣ ଲେଖାଏଁ ପ୍ରାଣ ହରାଇ ସାରିଲେଣି।

ଗତ ୨୪ ଘଣ୍ଟାରେ ୪୮,୪୦୪ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ତହିଁରୁ ୩୦୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟେଷ୍ଟ୍‌ ପଜିଟିଭ୍ ରେଟ୍‌ ବା ଟିପିଆର ୬ ପ୍ରତିଶତ ଉପରେ ରହିଛି। ହେଲେ ରାଜ୍ୟରେ ଏବେ କୋଭିଡ ନମୁନା ପରୀକ୍ଷାରେ ସ୍ଥିରତା ରହୁନାହିଁ। କେତେବେଳେ ୫୦ହଜାର ପରୀକ୍ଷା ହେଉଛି ତ ଆଉ କେତେବେଳେ ୪୦ହଜାର। ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା କେତେବେଳେ ବଢ଼ୁଛି ତ ଆଉ କେତେବେଳେ ଖସି ଆସୁଛି। ଖୋର୍ଧାରୁ କ୍ରମାଗତ ଭାବେ ୫ ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୫୬୧ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୯,୫୫୮ ଛୁଇଁଛି। କଟକ ୨୫୬, ଷ୍ଟେଟ୍‌ ପୁଲ ୧୪୭, ମୟୂରଭଞ୍ଜ ୧୫୩, ଝାରସୁଗୁଡ଼ା ୧୪୬, କେନ୍ଦୁଝର ୧୩୩, ପୁରୀ ୧୨୭, ସମ୍ବଲପୁର ୧୨୩, କେନ୍ଦ୍ରାପଡ଼ା ୧୧୫, ଯାଜପୁର ୧୧୦, ବରଗଡ଼ ଓ ସୁନ୍ଦରଗଡ଼ରୁ ୯୮ ଲେଖାଏଁ, ବଲାଙ୍ଗୀର ୯୫, ବାଲେଶ୍ବର ୮୫, ସୋନପୁର ୮୩, ଜଗତ୍‌ସିଂହପୁର ୭୨, ଭଦ୍ରକ ୭୦, ନୂଆପଡ଼ା ୬୭, ଅନୁଗୁଳ ୬୪, ମାଲକାନଗିରି ୬୨, ନୂଆପଡ଼ା ୫୬, ଗଞ୍ଜାମ ୫୨, ଢେଙ୍କାନାଳ ୫୧, କୋରାପୁଟ ୪୪, କଳାହାଣ୍ଡି ୪୧, କନ୍ଧମାଳ ୩୨, ବୌଦ୍ଧ ୨୮, ଗଜପତି ୧୮ ଓ ଦେବଗଡ଼ରୁ ୧୬ଜଣଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟଙ୍କ ମଧ୍ୟରୁ ୧୮୦୪ ସଙ୍ଗରୋଧରୁ ଓ ୧୨୪୯ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୯ହଜାର ୩୮୭‌ରେ ପହଞ୍ଚିଛି। ଅପରପକ୍ଷେ ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ଦିନରେ ୧୨,୪୯୪ ରୋଗୀ ସୁସ୍ଥ ହୋଇଛନ୍ତି। ତହିଁରେ ଆଜିର ୪୦୬୬ କରୋନା ସୁସ୍ଥ ରୋଗୀ ରହିଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଗତକାଲିଠାରୁ ଆହୁରି ଖସି ୩୦,୨୪୮ରେ ପହଞ୍ଚି ଯାଇଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୯୮ହଜାର ୧୯୪କୁ ବୃଦ୍ଧି ପାଇଛି। ଆଜି ଖୋର୍ଧାରୁ ସର୍ବାଧିକ ୬୪୮ଜଣ ସୁସ୍ଥ ହୋଇଛନ୍ତି। ଫଳରେ ‌ଜିଲ୍ଲାରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୭୪୯କୁ ଖସି ଆସିଛି। ଏହାବାଦ୍ କଟକ ୫୨୧, ଅନୁଗୁଳ ୨୨୫, ଯାଜପୁର ୧୮୧, ସୁନ୍ଦରଗଡ଼ ୧୬୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୫୨ ଲେଖାଏଁ, ବରଗଡ଼ ୧୪୧, ନବରଙ୍ଗପୁର ୧୩୫, ସମ୍ବଲପୁର ୧୨୮, ଭଦ୍ରକ ୧୨୭, ବାଲେଶ୍ବର ୧୧୯, ମୟୂରଭଞ୍ଜ ୧୧୪, କନ୍ଧମାଳ ୧୦୮, କେନ୍ଦ୍ରାପଡ଼ା ୧୦୬, ପୁରୀ ୧୦୫, ଝାରସୁଗୁଡ଼ା ୯୧, ବଲାଙ୍ଗୀର ୮୧, କେନ୍ଦୁଝର ଓ ମାଲକାନଗିରିରୁ ୬୫ ଲେଖାଏଁ, ରାୟଗଡ଼ା ଓ ସୋନପୁରରୁ ୬୧ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି ଓ କୋରାପୁଟରୁ ୬୦ ଲେଖାଏଁ, ବୌଦ୍ଧ ୫୯, ଢେଙ୍କାନାଳ ୫୭, ନୟାଗନ ୪୧, ଦେବଗଡ଼ ୧୪, ଗଜପତି ୧୩ ଓ ଷ୍ଟେଟ୍‌ ପୁଲରୁ ୧୪୯ ରୋଗୀ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର