ଆଉ ୬ ମୃତ, ରାଜ୍ୟରେ କରୋନା ନେଲାଣି ୭୦ ଜୀବନ

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌, ଖସିଲା ସୁସ୍ଥ ହାର

ଦିନକରେ ୬୧୬ ଚିହ୍ନଟ, ୫୦୫ ସୁସ୍ଥ
ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବଢ଼ି ଚାଲିଥିବା ବେଳେ ପୁରୁଷମାନେ ଏହାର ଅଧିକ ଶିକାର ହେଉଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଷ ରୋଗୀଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି। ଯାହାକି ସମୁଦାୟ ଆକ୍ରାନ୍ତଙ୍କ ପ୍ରାୟ ୭୭ ପ୍ରତିଶତ। ମହିଳାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି।

ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଜୁଲାଇ ମାସରୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି। ଗତ ୧୨ ଦିନରେ ଜିଲ୍ଲାରେ ୨୫୮୦ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୩ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୭କୁ ବୃଦ୍ଧି ପାଇଛି। କେବଳ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁନାହିଁ, ମୃତ୍ୟୁରେ ମଧ୍ୟ ଗଞ୍ଜାମ ରାଜ୍ୟରେ ଆଗରେ ରହିଛି। ରାଜ୍ୟରେ ପ୍ରତ୍ୟେକ ଦିନ ଯେଉଁ ମୃତ୍ୟୁ ସଂଖ୍ୟା ଘୋଷଣା ହେଉଛି ତହିଁରେ ଜିଲ୍ଲାରୁ ଏକାଧିକ ମୃତକଙ୍କ ତାଲିକା ରହୁଛି।

ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୭ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ୬ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଜଣଙ୍କର ଅଣ କୋଭିଡ୍‌ରେ ମୃତ୍ୟୁ ହୋଇଛି। ଗଞ୍ଜାମରେ ହୋଇଥିବା ୪ ମୃତ୍ୟୁ ମଧ୍ୟରୁ ୨ଜଣଙ୍କ ବୟସ ୪୫ ଓ ୪୯ବର୍ଷ ରହିଛି। ଦୁହେଁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ୬୩ବର୍ଷର ଜଣେ ବ୍ୟକ୍ତି ଓ ମଧୁମେହ ସହିତ ହୃଦ୍‌ରୋଗ ଓ କିଡ୍‌ନି ରୋଗରେ ପୀଡ଼ିତ ୭୨ବର୍ଷର ବୃଦ୍ଧ ଜଣକ ମଧ୍ୟ କରୋନାର ଶିକାର ହୋଇଛନ୍ତି। କଟକ ଜିଲ୍ଲାରେ ୪୦ବର୍ଷର ଓ ଭୁବନେଶ୍ବରର ୬୭ବର୍ଷର ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନିରେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ୪୩ ଓ ଖୋର୍ଧା ଜିଲ୍ଲାରେ ୧୦ଜଣ ମୃତ୍ୟୁକୁ ନେଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ ଛୁଇଁଛି। ଏହାସତ୍ତ୍ବେ ରାଜ୍ୟରେ କରୋନା ମୃତ୍ୟୁ ହାର ୦.୪୯ ପ୍ରତିଶତ ରହିଛି। ଯାହାକି ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ଜାତୀୟ ସ୍ତରରେ କରୋନା ମୃତ୍ୟୁ ହାର ୨.୬୪ ପ୍ରତିଶତ ରହିଛି।

Childrens Choice Therapy

ସେହିପରି ଗଞ୍ଜାମ ଜିଲ୍ଲାରେ ଜଣେ ୧୭ବର୍ଷର ଯୁବକ ପ୍ରାଣ ହରାଇଛନ୍ତି। ଯଦିଓ ସେ କରୋନା ପଜିଟିଭ୍ ଥିଲେ ତେବେ ଟର୍ମିନାଲ ଫୁସଫୁସ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା କାରଣରୁ ତାଙ୍କର ଅଣ କୋଭିଡ୍‌ ମୃତ୍ୟୁ ‌ଘୋଷଣା ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ଜଣ ଅଣ କୋଭିଡ୍‌ ମୃତ୍ୟୁ ହୋଇଛି। ଜୁନ୍ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୬୩ଜଣଙ୍କର କରୋନାରେ ମୃତ୍ୟୁ ହୋଇ ସାରିଲାଣି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ୨୮୩ଜଣଙ୍କୁ ବାଦ୍ ଦେଲେ କୋରାପୁଟରେ ୫୦, ନବରଙ୍ଗପୁର ୪୦, ବରଗଡ଼ ୩୧, ଖୋର୍ଧା ୨୯, ବାଲେଶ୍ବର ୨୭, କେନ୍ଦୁଝର ଓ କଟକରୁ ୨୩ ଜଣ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାବାଦ୍ ଜଗତସିଂହପୁର ୧୮, ଯାଜପୁର ୧୭, ମାଲକାନଗିରି ୧୪, ମୟୂରଭଞ୍ଜ ୧୩, ଝାରସୁଗୁଡ଼ା ୧୧, ଢେଙ୍କାନାଳ ଓ ଅନୁଗୁଳ ୭ ଲେଖାଏ, କନ୍ଧମାଳ ୬, ସୁନ୍ଦରଗଡ଼ ଓ ନୂଆପଡ଼ରୁ ୫ଜଣ ଲେଖାଏ, ବଲାଙ୍ଗୀର ଓ ଭଦ୍ରକରୁ ୨ଜଣ ଲେଖାଏ, ଗଜପତି, ପୁରୀ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୩୭ରେ ପହଞ୍ଚିଛି। ୨୫ଟି ଜିଲ୍ଲାରୁ ଏବେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

ଆଜି ରାଜ୍ୟରେ ୫୦୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୨୪୮ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୭୧, ଖୋର୍ଧା ୫୨, କଟକ ୪୫, ପୁରୀ ୧୧, ଗଜପତି ୧୦, ନବରଙ୍ଗପୁର ୯, ଯାଜପୁର ଓ ନୟାଗଡ଼ରୁ ୮ଜଣ ଲେଖାଏ, ଜଗତସିଂହପୁର ୭, ଭଦ୍ରକ ଓ ଢେଙ୍କାନାଳରୁ ୬ଜଣ ଲେଖାଏ, ଅନୁଗୁଳ ୫, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୪ଜଣ ଲେଖାଏ, ବରଗଡ଼ ୩, କେନ୍ଦୁଝର ୨, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏ ସୁସ୍ଥ ‌ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୧୫୫ରେ ପହଞ୍ଚିଛି। ଏବେ ବି ଗଞ୍ଜାମ ଜିଲ୍ଲାରେ ୧୬୩୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଯାହାକି ରାଜ୍ୟରେ ସର୍ବାଧିକ ବୋଲି ଜଣାପଡ଼ିଛି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ହାର ପ୍ରାୟ ୬୭ ପ୍ରତିଶତ ରହିଛି।

ଖସିଲା ସୁସ୍ଥ ହାର
ରାଜ୍ୟରେ ଗତ କିଛିଦିନ ହେବ କରୋନା ରୋଗୀଙ୍କ ସୁସ୍ଥ ହାର ଖସି ଆସିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୯ଟି ରାଜ୍ୟର ସୁସ୍ଥ ହାର ସଂପର୍କରେ ତଥ୍ୟ ଦିଆଯାଇଥିବା ବେଳେ ତହିଁରେ ଓଡ଼ିଶା ୧୫ ନଂ ସ୍ଥା‌ନରେ ରହିଛି। ସର୍ବାଧିକ ସୁସ୍ଥ ହାର ୮୫.୪୫ ପ୍ରତିଶତ ଲଦାଖର ରହିଛି। ଏହା ପଛକୁ ଦିଲ୍ଲୀର ୭୯.୯୮ ରହିଛି। ଏହାବାଦ୍ ଉତ୍ତରାଖଣ୍ଡ, ଛତିଶଗଡ଼, ହିମାଚଳ ପ୍ରଦେଶ, ହରିୟାନା, ଚଣ୍ଡୀଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ତ୍ରିପୁରା, ବିହାର ଓ ପଞ୍ଚାବ ରହିଛି। ଓଡ଼ିଶାର ସୁସ୍ଥ ହାର ୬୬.୬୯ ରହିଛି। ଓଡ଼ିଶା ପଛରେ କେବଳ ମିଜୋରାମ, ଆସାମ, ତେଲେଙ୍ଗାନା, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶ ରହିଛି। ତେବେ ଜୁଲାଇ ମାସରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଥିବାରୁ ସୁସ୍ଥ ହାର ଖସିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର