ଦୁଇ ଜୀବନ ନେଲା କରୋନା: ୨୪ ଘଣ୍ଟା ମଧ୍ୟରେ ଖୁଡ଼ୀ-ପୁତୁରାଙ୍କ ମୃତ୍ୟୁ

କୋରେଇ : କରୋନାର ଦ୍ବିତୀୟ ଲହରରେ ମାସକ ମଧ୍ୟରେ ଯାଜପୁରର କୋରେଇ ବ୍ଲକରେ ୬୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି। ୩ ଜଣଙ୍କ ଜୀବନ ଗଲାଣି। କିଛିଦିନ ତଳେ ବ୍ୟାସନଗରର ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଆଜି କୋରେଇ ବ୍ଲକ୍ ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମର ଗୋଟିଏ ପରିବାରର ୨ ଜଣ ଖୁଡ଼ୀ ଓ ପୁତୁରାଙ୍କ ଜୀବନ ଯାଇଛି। ଉଭୟ ଟାଟା କୋଭିଡ୍‌ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ।

ଦୁହେଁ ହେଲେ ଫାଜଲପୁର ଗ୍ରାମର ୬୩ ବର୍ଷୀୟା ମହିଳା ଓ କୋରେଇ ବଜାରରେ ମୋବାଇଲ ଦୋକାନ କରିଥିବା ତାଙ୍କ ପୁତୁରା (୪୫ ବର୍ଷ)। ମହିଳାଜଣକ ୪ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କୋରେଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପରୀକ୍ଷାରୁ କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିବାରୁ ୩ ଦିନ ତଳେ ଟାଟା କୋଭିଡ ଚିକିତ୍ସାଳୟକୁ ପଠାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥା‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତକାଲି ତାଙ୍କ ପୁତୁରା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମଧ୍ୟ ଟାଟା ‌କୋଭିଡ ଚିକିତ୍ସାଳୟକୁ ନିଆଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

୨୪ ଘଣ୍ଟା ମଧ୍ୟରେ ଏକ ପରିବାରର ଦୁଇଜଣଙ୍କର କରୋନାରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର