ଟେଷ୍ଟିଂରେ ଅସମାନତା: ରାଜ୍ୟରେ ବିଳମ୍ବିତ ହେବ କରୋନାର ଶୀର୍ଷ ସଂକ୍ରମଣ!

ଦ୍ବିତୀୟ ଲହର ଭଳି ତୃତୀୟ ଲହରରେ ଭୋଗିପାରେ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ କରୋନାର ତୃତୀୟ ଲହରରେ ଶୀର୍ଷ ସଂକ୍ରମଣ ଆସିବାରେ ବିଳମ୍ବ ହୋଇପାରେ। ଗତ କିଛି ଦିନ ହେବ, ଦୈନିକ ଟେଷ୍ଟିଂରେ ରାଜ୍ୟରେ ଯେଉଁଭଳି ଅସମାନତା ଦେଖିବାକୁ ମିଳୁଛି, ଏହାର ପରିଣାମସ୍ବରୂପ ସଂକ୍ରମଣ ଲମ୍ବିପାରେ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ‘ଆର୍’ ବା ରିପ୍ରଡକସନ୍ ଭ୍ୟାଲୁ ଯଥେଷ୍ଟ ଅଧିକ ଥିବା ବେଳେ ଟେଷ୍ଟିଂରେ ହ୍ରାସ କଣ୍ଟେନମେଣ୍ଟରେ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ପ୍ରାୟତଃ ୧୧ ହଜାର ଉପରେ ରହୁଛି। ହେଲେ ‌ଟେଷ୍ଟିଂରେ ସମାନତା ରହୁନାହିଁ। କେଉଁ ଦିନ ୭୫ ହଜାର ତ ଆଉ କେଉଁ ଦିନ ୭୦ହଜାର ତଳେ। ଏଭଳି ପରିସ୍ଥିତିରେ ରାଜ୍ୟରେ ଟେଷ୍ଟ୍ ପଜିଟିଭ୍ ରେଟ୍‌ ବା ସଂକ୍ରମଣ ହାର ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମଣ ହାର ୧୭ପ୍ରତିଶତ ଛୁଇଁଲାଣି। କରୋନାର ଅନ୍ୟ ଦୁଇଲହର ତୁଳନାରେ ତୃତୀୟ ଲହରରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ସେହି ଅନୁଯାୟୀ ଟେଷ୍ଟିଂ କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଗତକାଲି ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଟେଷ୍ଟିଂ ବଢ଼ାଇବାକୁ ଚିଠି ଲେଖିଛନ୍ତି। କିଛି ରାଜ୍ୟ ତୃତୀୟ ଲହର ସମୟରେ ଟେଷ୍ଟକୁ ହ୍ରାସ କରିଥିବାରୁ କେନ୍ଦ୍ର ସରକାର ଅ‌ସନ୍ତୋଷ ପ୍ରକାଶ କରିଛନ୍ତି। ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ଦକ୍ଷିଣ ଆଫ୍ରିକା ଭଳି ଭାରତ ତଥା ଓଡ଼ିଶାରେ ମଧ୍ୟ ତୃତୀୟ ଲହରର ସମାନ ଧାରା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଯେହେତୁ ସଂକ୍ରମଣ ତୃଣମୂଳସ୍ତରରେ ରହିଛି, ତେଣୁ ଯେତେ ଅଧିକ ଟେଷ୍ଟିଂ ହେବ, ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବେ। ତେବେ ଚଳିତ ମାସ ୨୫ ତାରିଖ ବେଳକୁ ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବ। ଏହାପରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଡା. ମିଶ୍ର କହିଛନ୍ତି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ ମତରେ କରୋନାର ଦ୍ବିତୀୟ ଲହରରେ ଓଡ଼ିଶାରେ ସମାନ ଢଙ୍ଗରେ ଟେଷ୍ଟିଂରେ ଅସମାନତା ଦେଖିବାକୁ ମିଳିଥିଲା। ଫଳରେ ଦୀର୍ଘ ଦିନ ଧରି ରାଜ୍ୟରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଥିଲା। ହେଲେ ତୃତୀୟ ଲହରରେ ସଂକ୍ରମଣ ଓମିକ୍ରନ୍ ପାଇଁ ଶୀଘ୍ର ବ୍ୟାପୁଥିବାରୁ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି। ଏହାସହ ଅନେକ ଲକ୍ଷଣବିହୀନ କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ଲୋକମାନେ ଟେଷ୍ଟ କରିବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ସେମାନେ ଅଜାଣତରେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ ଅଧିକ ଟେଷ୍ଟ ନ କଲେ ଦ୍ବିତୀୟ ଲହର ଭଳି ତୃତୀୟ ଲହରରେ ମଧ୍ୟ ରାଜ୍ୟକୁ ସମାନ ଦଶା ଭୋଗିବାକୁ ହେବ ବୋଲି ଡା. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର