କଟକ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଭିମ୍ସାର୍)ରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅବହେଳା ପ୍ରସଙ୍ଗରେ ହାଇକୋର୍ଟ ଆଜି ରାୟ ପ୍ରକାଶ କରି ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ଅନ୍ୟ ପୀଡ଼ିତ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଘଟଣାର ତଦନ୍ତ କରି ଦାଖଲ କରିଥିବା ରିପୋର୍ଟ ଆଧାରରେ ପୀଡ଼ିତଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରି ଏ ସଂପର୍କିତ ରିପୋର୍ଟ ମେ ୨ ତାରିଖ ପୂର୍ବରୁ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀ ଜ୍ଞାନଦତ୍ତ ଚୌହ୍ବାନ କହିଛନ୍ତି ଯେ ତଦନ୍ତ ସମୟରେ ୧୩ଜଣ ପୀଡ଼ିତ ସତ୍ୟପାଠ ଦାଖଲ କରିଥିବାବେଳେ ସମସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଜୁଲାଇ ୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଭିମ୍ସାର୍ରେ ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ ସାରି ତିନି ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିମ୍ସାର୍ ସହିତ ରାଜ୍ୟର ଅନ୍ୟ ସରକାରୀ ମେଡିକାଲ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଭିତ୍ତିଭୂମି, ପ୍ରଦାନ କରାଯାଉଥିବା ଚିକିତ୍ସାର ମାନଦଣ୍ଡ ଓ ଯତ୍ନ ପ୍ରସଂଗରେ କଣ ଉନ୍ନତି ଆବଶ୍ୟକ ସେ ନେଇ ବିଶେଷଜ୍ଞ ସାକ୍ଷୀଙ୍କ ସହିତ ପରାମର୍ଶ କରି ରିପୋର୍ଟରେ ପ୍ରସ୍ତାବ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ କହିଥିଲେ। ଏଥିସହିତ ଉପଯୁକ୍ତ ଡାକ୍ତରୀ ଚିକିତ୍ସାର ଅଭାବ, ଯତ୍ନ ଓ ଚିକିତ୍ସାରେ ଅବହେଳା ଅଭିେଯାଗ ନେଇ ପ୍ରମାଣ ମିଳିଥିବା ଘଟଣାରେ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ମଧ୍ୟ ତଦନ୍ତକାରୀ ଅଧିକାରୀ ପ୍ରସ୍ତାବ ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି ଦେବାସହିତ ୨୦୨୧, ନଭେମ୍ବର ୧ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଅକ୍ଟୋବର ୨୯ରେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ତରଫରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା। ନଭେମ୍ବର ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ରିପୋର୍ଟ ଉପରେ ପକ୍ଷ ରଖିବାକୁ ପକ୍ଷମାନଙ୍କୁ କହିଥିଲେ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଦାଖଲ କରିଥିବା ତଦନ୍ତ ରିପୋର୍ଟ ଉପରେ ରାଜ୍ୟ ସରକାର ଜବାବ ଦାଖଲ କରିଥିବା େବଳେ ଆବେଦନକାରୀ ମଧ୍ୟ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତ ରିପୋର୍ଟରେ ରହିଥିବା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ସଂପର୍କିତ କେତେକ ତଥ୍ୟକୁ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ଭାବେ ଅସ୍ବୀକାର କରାଯାଇଥିଲା। ଅନ୍ୟପକ୍ଷରେ, ତଦନ୍ତ ରିପୋର୍ଟରୁ କରୋନା ଚିକିତ୍ସାରେ ଅବହେଳା କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)