ଏସ୍‌ସିବି କରୋନା ୱାର୍ଡରେ ସାଂଘାତିକ ତ୍ରୁଟି : ସୁରକ୍ଷା କିଟ୍‌ ନପିନ୍ଧି ଆକ୍ରାନ୍ତଙ୍କ କୋଠରି ସଫାକଲେ ମହିଳା କର୍ମଚାରୀ

କଟକ : ଏସ୍‌ସିବି ସ୍ବତନ୍ତ୍ର କରୋନା ୱାର୍ଡରେ ପ୍ରଥମ ରୋଗୀ ଭର୍ତ୍ତି ହେଉହେଉ ସାଂଘାତିକ ତ୍ରୁଟି ସାମ୍ନା‌କୁ ଆସିଛି। ଯଦି ଜଣେ ଡାକ୍ତରଙ୍କ ନଜରରେ ସେହି ତ୍ରୁଟି ଧରା ପଡ଼ିନଥାନ୍ତା, ଆଗକୁ ହୁଏତ ନିଦ ହଜାଇଲା ଭଳି ସ୍ଥିତି ସୃଷ୍ଟି ହୋଇଥା’ନ୍ତା। ଏହି ଘଟଣା ଜଣାପଡ଼ିବା ପରେ ଆଜିଠାରୁ ସବୁ ବ୍ୟବସ୍ଥାକୁ ବିଧିବଦ୍ଧ ଭାବେ କଡ଼ାକଡ଼ି କରାଯାଇଛି। କିନ୍ତୁ ଏଭଳି ବେପରୱା ପରିସ୍ଥିତି ପାଇଁ କିଏ ଦାୟୀ ଏବଂ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଭଦ୍ରକର କରୋନା ଆକ୍ରାନ୍ତ ଯୁବକଙ୍କୁ କଟକ ଏସ୍‌ସିବି ମେଡିକାଲର ସ୍ବତନ୍ତ୍ର କରୋନା ୱାର୍ଡର ଏକ ରୁମ୍‌ରେ ଏକୁଟିଆ ରଖାଯାଇଛି। ଏସସିବିରେ ସିଏ ହେଉଛନ୍ତି ପ୍ରଥମ କରୋନା ରୋଗୀ। କିନ୍ତୁ ସେଠାରେ ବ୍ୟବସ୍ଥାକୁ ନେଇ ଯେଉଁ କଟକଣା ଅଥବା ସତର୍କତା ଜାରି କରାଯିବା କଥା ତାହା ହୋଇନାହିଁ।

ଆଜି ସକାଳେ ଜଣେ ସଫେଇ କର୍ମଚାରୀ ସାଧାରଣ ୱାର୍ଡ ଭଳି କେବଳ ମାସ୍କ ଓ ଗ୍ଲୋବସ୍‌ ପିନ୍ଧି ଆକ୍ରାନ୍ତଙ୍କୁ ରଖାଯାଇଥିବା ସ୍ବତନ୍ତ୍ର କୋଠରିକୁ ଯାଇଥିଲେ। ସଫେଇ ବି କରିଥିଲେ। ସଫେଇ କର୍ମଚାରୀ ଜଣକ କାମ ସାରି ସେହି କୋଠରିରୁ ବାହାରକୁ ଆସିବା ସମୟରେ ଜଣେ ଡାକ୍ତରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ବିନା ସୁରକ୍ଷା ପୋଷାକରେ ମହିଳା କର୍ମଚାରୀ ଜଣକ ଆକ୍ରାନ୍ତଙ୍କ ରୁମ୍‌କୁ ଯାଇ ସଫେଇ କରିଥିବାରୁ ଡାକ୍ତରଙ୍କ ସୂଚନା ଆଧାରରେ ତାଙ୍କୁ ଆଉ ବାହାରକୁ ନ ଛାଡ଼ି ଏସ୍‌ସିବିରେ ଏକାନ୍ତବାସରେ ରଖାଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ କୌଣସି ସଫେଇ କର୍ମଚାରୀ ଆଉ କରୋନା ୱାର୍ଡକୁ ସଫେଇ ପାଇଁ ସକାଳେ ଯାଇନଥିଲେ। ପ୍ରାୟ ଦେଢ ଶହ ସଫେଇ କର୍ମଚାରୀ ଏସ୍‌ସିବିରେ ଅଧୀକ୍ଷକଙ୍କୁ ଭେଟି ନିଜର ବିରୋଧ ଦର୍ଶାଇବାକୁ ଏକାଠି ହୋଇଥିଲେ। କିନ୍ତୁ ଅଧୀକ୍ଷକ ନଥିବାରୁ ସଫେଇ ଦାୟିତ୍ବ ନେଇଥିବା ସଂସ୍ଥା ଅଧିକାରୀଙ୍କୁ ଭେଟି ସୁରକ୍ଷା ମାଗିଥିଲେ। କ୍ବାରାଣ୍ଟିନରେ ଥିବା ଏହି ମହିଳା ସଫେଇ କର୍ମଚାରୀଙ୍କର ତିନୋଟି ଛୋଟ ପିଲା ଥିବା ବେଳେ ତାଙ୍କ ପରିବାର କଥା‌ କିଏ ବୁଝିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏମାନେ କଟକ ବଡ଼ଡାକ୍ତରଖାନାରେ ଠିକା ସଂସ୍ଥା ଜରିଆରେ କାମ କରୁଥିବାରୁ କାମ ନକଲେ ଦରମା ନ ମିଳିବାର ନିୟମ ଅଛି। ଏଭଳି ସ୍ଥିତିରେ ସେମାନଙ୍କୁ କିଏ ଦରମା ଦେବ ବୋଲି ସେମାନେ ଜାଣିବାକୁ ଚାହିଁଥିଲେ। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଲିଲି ମାରଗୁଳ, ପୂର୍ଣ୍ଣିମା ଦେଇ, ସାଧବାଣୀ ବଙ୍ଗାଳୀ, ଉରି ଦେଇ, ଜାନକୀ ନାଏକଙ୍କ ସମେତ ଶତାଧିକ ସଫେଇ କର୍ମଚାରୀ କରୋନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକ କରୁଥିବା ବେଳେ କରୋନା ୱାର୍ଡରେ କାମ କରୁଥିବା କର୍ମଚାରୀଙ୍କୁ ସେହି ସମାନ ୨୮୦ ଟଙ୍କା କଣ ପାଇଁ ଦିଆଯିବ, କ’ଣ ପାଇଁ ସମସ୍ତଙ୍କୁ ଆବଶ୍ୟକ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ସଫେଇ କର୍ମଚାରୀ କେବଳ ଉକ୍ତ ରୁମ୍‌ରେ ପୋଛା ମାରି ଆସିଛନ୍ତି। କିନ୍ତୁ ସେ ରୋଗୀଙ୍କୁ ଛୁଇଁ ନାହାନ୍ତି କି ସଂସ୍ପର୍ଶରେ ଆସିନାହାନ୍ତି। ତେଣୁ ତାଙ୍କୁ ଆଇସୋଲେସନ୍‌ରେ ରଖାଯିବ ନା ଛାଡ଼ି ଦିଆଯିବ, ସେ ସଂପର୍କରେ କରୋନା ୱାର୍ଡ ଦାୟିତ୍ବରେ ଥିବା ନୋଡାଲ ଅଫିସର ନିଷ୍ପତ୍ତି ନେବେ। କିନ୍ତୁ ସଂପୃକ୍ତ ମହିଳା ସଫେଇ କର୍ମଚାରୀ ଯେଭଳି ବିନା ସୁରକ୍ଷାରେ ସେହି ରୁମ୍ ଭିତରକୁ ଗଲେ ଏବଂ ଡାକ୍ତରଙ୍କର ହଠାତ୍‌ ନଜର ପଡ଼ିଲା ପରେ ଯାଇ କଥା ଜଣାପଡ଼ିଲା, ତାହା ବ୍ୟବସ୍ଥାର ଦୁର୍ବଳତାକୁ ଧରା ପକାଇଦେଇଛି। ଯଦି ମହିଳା ସଫେଇ କର୍ମଚାରୀଙ୍କୁ କେହି ଦେଖି ନ ଥା’ନ୍ତେ ଏବଂ ସେ ସ୍ବାଭାବିକ ଭାବେ ନିଜ ଘରକୁ ଫେରି ସମସ୍ତଙ୍କ ସହ ମିଳାମିଶା କରିଥା’ନ୍ତେ ଏବଂ ଯଦି କିଛି ଘଟଣା ଘଟିଥା’ନ୍ତା, ସେଥିପାଇଁ କିଏ ଦାୟୀ ହୋଇଥା’ନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର