ଟିକାକରଣରୁ ବାଦ ପଡ଼ିଥିବା ଶିଶୁ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ 

ଖୋର୍ଦ୍ଧା: କୋଭିଡ୍ ପ୍ରତିଷେଧକ ଟିକାକରଣରେ ସାମିଲ ହୋଇନଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହେବ । ୩ଟି ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ ବୋଲି ଆଜି ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ଟିକାକରଣ ଅଭିଯାନର ଟାସ୍କ ଫୋର୍ସ ବୈଠକର ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଟିକାକରଣ ନଭେମ୍ବର ମାସ ୧୫ରୁ ୨୫, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଡିସେମ୍ବର ମାସର ୭ ଦିନ ଓ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାନୁଆରୀ ୨୦୨୨ରେ ୭ ଦିନ ପାଇଁ ପ୍ରଦାନ କରାଯିବ । ଖୋର୍ଦ୍ଧାର ୧୦ଟି ବ୍ଲକରେ ଏହି ଅଭିଯାନରେ ୯୦ରୁ ଅଧିକ ପ୍ରତିଶତ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରତିବ୍ଲକରେ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହେବ ।

ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡା ସୁନୀଲ ଦାସ ଏନେଇ କହିଛନ୍ତି ଯେ ଏହି ଟିକାଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ । ଜିଲ୍ଲାର ୫ଟି ବ୍ଲକ- ବାଲିଅନ୍ତା, ବେଗୁନିଆ, ବୋଲଗଡ଼, ଟାଙ୍ଗୀ ଓ ଭୁବନେଶ୍ୱର ବ୍ଲକରେ ଟିକାକରଣ ହାର କମ୍ ରହିଛି । ନବଜାତଙ୍କ ଠାରୁ ୨ ବର୍ଷ ବୟସର ଶିଶୁ, ଗର୍ଭବତୀ ମା, ୫ ବର୍ଷ ବୟସର ଶିଶୁ, ୧୦ରୁ ୧୬ ବର୍ଷ ବାଳକ/ବାଳିକାଙ୍କୁ ଏହି ଟିକାକରଣରେ ସାମିଲ କରାଯିବ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଡା ବିଶ୍ୱରଂଜନ ପତି, ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ, ଏନ୍ଜିଓ କର୍ମକର୍ତାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର