ବାଲେଶ୍ବରରେ ଟିକାକରଣ: ପ୍ରଥମ ଦିନରେ ୫୦୦ଜଣଙ୍କୁ ଦିଆଗଲା ଟିକା, ଜନସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ 

କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜି କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ସାରା ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବାଲେଶ୍ୱର ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଏହି ଅବସରରେ ବାଲେଶ୍ୱର ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ, ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମନୀଷା ଦେ’ଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା। ଏହା ପରେ ତାଙ୍କୁ ଅଧଘଂଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ପରେ ଅନ୍ୟ କୋଭିଡ୍ ଯୋଦ୍ଧାମାନଙ୍କୁ ମଧ୍ୟ ଟିକାଦାନ କରାଯିବା ସହ ମାର୍ଗଦର୍ଶିକା ଅନୁଯାୟୀ ଅଧଘଂଟା ଲେଖାଏଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ଟିକାକରଣ ଆରମ୍ଭ ହେବାର ପ୍ରାୟ ୧ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ବ୍ୟକ୍ତିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଜିଲ୍ଲାର ୫ଟି ସ୍ଥାନ ଯଥା- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ, ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ୫ଟି କେନ୍ଦ୍ରରେ ୧୦୦(ଶହେ) ଲେଖାଏଁ ବ୍ୟକ୍ତିଙ୍କୁ ଟିକାଦାନ କରାଯିବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ପ୍ରତି ଘଂଟାରେ ୧୨ଜଣଙ୍କୁ ଟିକାଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ପ୍ରତି କେନ୍ଦ୍ରରେ ୫ଜଣ ଲେଖାଏଁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବାଦ୍ ଅତିରିକ୍ତ ୨ଜଣ ଷ୍ଟାଫ୍‌ ନର୍ସଙ୍କୁ ନିୟୋଜିତ କରାଯାଇଛି। ଟିକାକରଣର ପ୍ରାଥମିକ ପର୍ଯ୍ୟାୟରେ ସଫେଇ କର୍ମଚାରୀ, ସିକ୍ୟୁରିଟି ସୁପରଭାଇଜର, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଡାକ୍ତର ଓ ମେଡିକାଲ ଅଧିକାରୀ, ପ୍ରୋଗ୍ରାମ ପରିଚାଳନା କର୍ମଚାରୀ, ଅାମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପ୍ରଭୃତିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି।

ଟିକାକରଣ ସମ୍ପର୍କିତ ସମସ୍ତ ତଥ୍ୟ କୋଓ୍ବିନ୍ ଆପ୍‌ରେ ଅପଲୋଡ କରାଯିବ। ଟିକାକରଣ ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଧଘଂଟା ନିରୀକ୍ଷଣରେ ରଖାଯିବ। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ ରାପିଡ୍ ରେସପନ୍‌ସ ଟିମ୍‌ ଦ୍ୱାରା ତାହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଡା. ମୃତ୍ୟୁଞ୍ଜୟ ମିଶ୍ର, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପାଇଁ ଡା. ଶଶାଙ୍କ ଶେଖର ଚୌଧୁରୀ, ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଡା. ରଞ୍ଜନ କୁମାର ନାୟକ, ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଡା. ପରେଶ ଚନ୍ଦ୍ର ନନ୍ଦୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯେ କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ପାଇଁ ମଧ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଜିଲ୍ଲାରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି।

ସମ୍ବନ୍ଧିତ ଖବର