ମୟୂରଭଞ୍ଜରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ଆରମ୍ଭ; ପ୍ରଥମ ଦିନରେ ଟିକା ନେଲେ ୩୬୭ ଜଣ

ଜିଲ୍ଲାର ୩ ଘରୋଇ ହସ୍‌ପିଟାଲରେ ଟିକାକରଣ ସୁବିଧା

ବାରିପଦା: ମୟୂରଭଞ୍ଜରେ ଆଜିଠାରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ। ପ୍ରଥମ ଦିନରେ ଜିଲ୍ଲାର ମୋଟ ୫ଟି କେନ୍ଦ୍ରରେ ୩୬୭ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ଜିଲ୍ଲାର ସଦରମହକୁମା ବାରିପଦାର ପଣ୍ଡିତ ରଘୁନାଥ ମୁମୁର୍ (ପିଆରଏମ) ହସ୍‌ପିଟାଲ, ଦେବେନ୍ଦ୍ରପୁର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଭଳି ଜିଲ୍ଲାର ୩ ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଟିକାକରଣ ସୁବିଧା କରାଯାଇଛି।

ପ୍ରଥମ ଦିନରେ ପିଆରଏମ୍‌ରେ ମାତ୍ର ୧୦ଜଣ ଟିକା ନେଇଥିଲେ। ମାତ୍ର କରଞ୍ଜିଆରେ ୧୦୪, ରାଇରଙ୍ଗପୁର ୪୫, ଉଦଳାରେ ୧୨୩ ଏବଂ ଦେବେନ୍ଦ୍ରପୁରରେ ୮୫ଜଣ ଟିକା ନେଇଛନ୍ତି। ପ୍ରତି କେନ୍ଦ୍ରରେ ଶହେ ଜଣ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଥିଲା। ‌ତେବେ ପିଆରଏମ୍‌ରେ ଟିକାକରଣ ନିରାଶାଜନକ ରହିଥିବାବେଳେ ଉଦଳା ଓ କରଞ୍ଜିଆରେ ଏହା ଶତପ୍ରତିଶତରୁ ଊର୍ଧ୍ବ ରହିଛି। ଅନ୍‌ଲାଇନ ପଞ୍ଜିକରଣ ସହିତ ଟିକାକରଣ କେନ୍ଦ୍ରରେ ପହଞ୍ଚିଲେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନର ବ୍ୟବସ୍ଥା କରାଯାଇଛି।

ସେହିପରି ସଂପୃକ୍ତ ଅଞ୍ଚଳର ଆଶା ଦିଦିମାନେ ମଧ୍ୟ ୫୦ ଜଣଙ୍କୁ ଅନ୍‌ଲାଇନରେ ପଞ୍ଜିକରଣ କରେଇପାରିବାର ବ୍ୟବସ୍ଥା ରହିଛି। ଆଧାର କାର୍ଡ ନେଇ ଆସିଲେ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦିଆଯାଇପାରିବ। ସେହିପରି ଜିଲ୍ଲାର ୩ ଘରୋଇ ହସ୍‌ପିଟାଲରେ ମଧ୍ୟ ଟିକାକରଣର ବ୍ୟବସ୍ଥା କରାଯାଇଛି। ବାରିପଦାର ଦୁର୍ଗା ନର୍ସିଂହୋମ୍‌, ଗାୟତ୍ରୀ ହସ୍‌ପିଟାଲ ଏବଂ ଜୀବନଦୀପ ହେଲ୍‌ଥକେୟାର ଭଳି ୩ଟି ଘରୋଇ ହସ୍‌ପିଟାଲରେ ମଧ୍ୟ ସରକାରଙ୍କର ପକ୍ଷରୁ ଟିକାକରଣର ବ୍ୟବସ୍ଥା ହୋଇଛି। କୌଣସି ରୋଗ ଥିବା ୪୫ ବର୍ଷରୁ ଊର୍ଧ୍ବ ବ୍ୟକ୍ତି ଏବଂ ୬୦ ବର୍ଷରୁ ଊର୍ଧ୍ବ ବରିଷ୍ଠ ନାଗରିକମାନେ ଉପରୋକ୍ତ ଘରୋଇ ହସ୍‌ପିଟାଲରେ ଟିକା ନେଇପାରିବେ। ଟିକାର ଦେୟମୂଲ୍ୟ ୨୫୦ ଟଙ୍କା ରହିଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ପ୍ରଥମେ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରଥମ ଡୋଜ୍‌ ଟିକାକରଣ ୯୧ ପ୍ରତିଶତରେ ପହଞ୍ଚିଛି। ସେହିପରି ଆଗୁଆ ଯୋଦ୍ଧାଙ୍କ ଟିକାକରଣ ମଧ୍ୟ ଉତ୍ସାହଜନକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର