ଭୁବନେଶ୍ବର: ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନା ଗୁଡ଼ିକରେ ଗତ ଜାନୁଆରି ୧୬ ତାରିଖ ଠାରୁ କରୋନା ଟିକାକରଣ ଜାରି ଥିବା ବେଳେ ଆଗାମୀ ଦିନରେ ଘରୋଇ ସଂସ୍ଥା/ଅଫିସ୍ରେ ମଧ୍ୟ ଏହି କାମ କରାଯିବାକୁ କେନ୍ଦ୍ର ସରକାର ମନ ବଳାଇଛନ୍ତି। ଏବେ ଘରୋଇ ସଂସ୍ଥା ଅଥବା କାର୍ଯ୍ୟାଳୟରେ ମଧ୍ୟ ଟିକାକରଣ ହୋଇପାରିବ। ଏଥି ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ଜଣାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ରାଜ୍ୟ ଗୁଡ଼ିକୁ ଏପ୍ରିଲ ୬ ତାରିଖରେ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ୧୦୦ରୁୁ ଅଧିକ ଜଣ ଟିକା ନେବାକୁ ଚାହୁଁଥିଲେ ସରକାରଙ୍କ ପକ୍ଷରୁ ସେଠାରେ ଟିକାକରଣ ବ୍ୟବସ୍ଥା କରାଯିବ।
କରୋନାର ଦ୍ବିତୀୟ ଲହର ଅଧିକ ସକ୍ରିୟ ଥିବା ବେଳେ କେନ୍ଦ୍ର ସରକାର ଟିକାକରଣକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜାନୁଆରି ୧୬ ତାରିଖ ଠାରୁ କେବଳ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ନେଇ ଟିକାକରଣ ଆରମ୍ଭ ହୋଇଥିଲା। ପରେ ଏହି କ୍ରମରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ନାଗରିକ, କରୋନା ସମ୍ମୁଖ ଯୋଦ୍ଧା ଏବଂ ବହୁ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଯୋଡ଼ାଯାଇଥିଲା। ୩ୟ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Covid-Vaccination-in-Private-Organization-Too_Thumbnail.jpg)