କରୋନା ଟିକା ଫଳପ୍ରଦ ହେବା ଆଶା ଉଜ୍ଜ୍ବଳ: ତୃତୀୟ ପର୍ଯ୍ୟାୟରେ ଗବେଷଣା, ତଥାପି ରହିଛି ଅନେକ ପ୍ରଶ୍ନ

କଟକ: କରୋନା ଭୂତାଣୁମାନଙ୍କୁ ମୁଖ୍ୟତଃ ଦୁଇ ବର୍ଗ ଭାବେ ବିଭକ୍ତ କରାଯାଇଛି। ଆଲଫା ଓ ବିଟା କରୋନା। କୋଭିଡ ଏକ ପ୍ରକାର ବିଟା କରୋନା ଭୂତାଣୁ ଅଟେ। ଅତୀତରେ କରୋନା ଭୂତାଣୁ ଦ୍ବାରା ୨୦୦୩ ଓ ୨୦୧୨-୧୩ ମସିହାରେ ମଧ୍ୟ ଏସିଆ, ଆଖପାଖ ରାଷ୍ଟ୍ର ଓ ଚୀନ୍‌ ଦେଶରେ ମହାମାରୀ ପରିସ୍ଥିତି ଦେଖା ଯାଇଥିଲା। ସେହି ମହାମାରୀକୁ ଶ୍ବାସ ପ୍ରକ୍ରିୟାରେ ସାଂଘାତିକ କଷ୍ଟ ସୃଷ୍ଟି କରୁଥିବା ରୋଗ (ଏସଏଆରଏସ୍‌) ଓ ମଧ୍ୟ ଏସିଆର ଶ୍ବାସ ଜଟିଳତା ରୋଗ (ଏମଇଆରଏସ୍) ନାମରେ ଅଭିହିତ କରାଯାଇଛି । କିନ୍ତୁ ତାହା ଆଜିର କୋଭିଡ ମହାମାରୀ ପରି ଏତେ ଭୟାନକ ରୂପ ନେଇନଥିଲା। ଏଯାଏ କରୋନା ଭୂତାଣୁ ଭଲ କରିବା ପାଇଁ କୌଣସି ଠିକ ଔଷଧ ବାହାରି ପାରିନାହିଁ। ଇବୋଲା, ଇନଫ୍ଲୁଏଞ୍ଜା ଓ ଅନ୍ୟ ଭୂତାଣୁ ବେମାରିରେ ଦିଆଯାଉଥିବା ଔଷଧ ମାନଙ୍କୁ ନେଇ ଚେଷ୍ଟା ଚାଲିଛି। ଭୂତାଣୁ ଜନିତ ମହାମାରୀ ରୋକିବା ପାଇଁ ଔଷଧ ଯେତିକି ଆବଶ୍ୟକ, ତା’ଠାରୁ ରୋଗର ପ୍ରସାର ରୋକିବା ପାଇଁ ପ୍ରତିଷେଧକ ଟିକା ଅଧିକ ଆବଶ୍ୟକ। ଏ ଯାଏ କୌଣସି କରୋନା ଭୂତାଣୁ ବିରୁଦ୍ଧରେ ଟିକା ବାହାରି ନାହିଁ ବୋଲି କହିଛନ୍ତି ଅବସରପ୍ରାପ୍ତ ଡିନ୍ ତଥା ପ୍ରିନ୍ସିପାଲ ଏସସିବି ମେଡିକାଲ କଲେଜ୍ ପ୍ରଫେସର୍ ଡାକ୍ତର ସିଦ୍ଧାର୍ଥ ଦାସ

‘ସମ୍ବାଦ’ ସହିତ ଏକ ସ୍ବତନ୍ତ୍ର ଆଲୋଚନା କରି ଡା. ଦ‌ାସ କହିଛନ୍ତି ଯେ, ଟିକା ସାଧରଣତଃ ଦୁଇ ପ୍ରକାର। ପ୍ରଥମରେ ପାସିଭ ବା ନିଷ୍କ୍ରିୟ ଟିକା ଯଥା ଇମୟୁନୋଗଲୋବୁଲିନ (ରୋଗ ମୁତାବକ ଆଣ୍ଟିବଡି) ଯାହା ଶରୀରରେ ଥିବା ଜୀବାଣୁ ବା ଭୂତାଣୁ ସହ ବାନ୍ଧି ହୋଇଯାଏ ଓ ତାକୁ ନିଷ୍କ୍ରିୟ କରିଦିଏ। ଏହାର ପ୍ରଭାବ ମାତ୍ର ଅଳ୍ପ ସମୟ ପରିଲକ୍ଷିତ ହୁଏ । ଏହି ଟିକା ମଣିଷ ଶରୀରରେ ଭୂତାଣୁ ବିରୁଦ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରିପାରେନାହିଁ ଓ ଆଣ୍ଟିବଡି ସୃଷ୍ଟି କରିପାରେନାହିଁ। ଦ୍ବିତୀୟରେ ଆକ୍ଟିଭ ବା କ୍ରିୟାଶୀଳ ଟିକା, ଯାହା ଜୀବାଣୁ ବା ଭୂତାଣୁର ଅଂଶବିଶେଷରୁ ଅଥବା ତାର ମୁଖ୍ୟ ପ୍ରୋଟିନରୁ ଅଂଶ ନେଇ, ଅଥବା ଗବେଷଣାଗାରରେ ଭୂତାଣୁର ପ୍ରୋଟିନ ପରି କୃତ୍ରିମ ପ୍ରୋଟିନ/ନ୍ୟୁକ୍ଲିକ ଏସିଡ ସୃଷ୍ଟିକରି ତିଆରି କରାଯାଏ। ଆକ୍ଟିଭ ଟିକା ଶରୀରର ପ୍ରତିରୋଧ ଶକ୍ତିକୁ ବଢାଇ ଥାଏ। ଏହି ଟିକା ଶରୀରର ଇମୟୁନିଟିରେ ସଂପୃକ୍ତ ଜୀବକୋଷ ଗୁଡିକୁ ସେହି ଭୂତାଣୁ ବିରୁଦ୍ଧରେ ସଂଦେଶ ଦେଇ ସେମାନଙ୍କୁ ଜାଗ୍ରତ କରାନ୍ତି। ଫଳତଃ ସେମାନଙ୍କର ଭୂତାଣୁ ନାଶ କ୍ଷମତା ବହୁଗୁଣରେ ବଢାଇ ଦିଅନ୍ତ। ପ୍ରତିରୋଧ ଶକ୍ତି ବଢିବା ପାଇଁ ପ୍ରଥମେ ଶରୀରର ଇମୟୁନ ପଦ୍ଧତିର ( ଟି) ଜୀବକୋଷ ଗୁଡିକ ଉତ୍ସାହିତ ହୋଇଥାଆନ୍ତି। ଏହି ‘ଟି’ ଜୀବକୋଷଙ୍କ ପାଖରେ ସ୍ମରଣ ଶକ୍ତି ଥାଏ। ଭୂତାଣୁର ରୂପରେଖ ବିଷୟରେ ଥରେ ଜ୍ଞାତ ହେଲେ, ସେମାନେ ବହୁ ଦିନ ଧରି ତାକୁ ମନେ ରଖନ୍ତି। ଏଣୁ ସେମାନଙ୍କୁ ମେମୋରି ଟି ସେଲ୍ କୁହାଯାଏ। ଏହି ଟି ଜୀବକୋଷ, ଭୂତାଣୁ ବିରୁଦ୍ଧରେ ଇମୟୁନୋଗଳୋବୟୁଲିନ (ଆଣ୍ଟିବଡି) ତିଆରି କରିବା ପାଇଁ ଦକ୍ଷ ବି ଜୀବକୋଷ ମାନଙ୍କୁ ପ୍ରବର୍ତ୍ତିତ କରିଥାନ୍ତି। ଏହି ପ୍ରକ୍ରିୟା ସମୟ ସାପେକ୍ଷ ଅଟେ। ଫଳତଃ କ୍ରୀୟାଶିଳ ଟିକା କାର୍ଯକ୍ଷମ ହେବାକୁ ପ୍ରାୟ ଅତି କମରେ ୨୮ରୁ ୩୦ ଦିନ ସମୟ ଲାଗେ। ଯେଉଁ ବ୍ୟକ୍ତି ମାନଙ୍କ ଇମୟୁନିଟ ସ୍ଥିତି ଭଲ ନଥାଏ ସେମାନଙ୍କ ପାଇଁ ହୁଏତ ଅଧିକ ସମୟ ଲାଗିପାରେ। ଏହି ଟିକା ବ୍ୟବହାର ଉପଯୋଗୀ ହେବା ପାଇଁ କେତେକ ଆବଶ୍ୟକ ଗୁଣ ରହିବା ଦରକାର। ଟିକାରେ ଥିବା ଦ୍ରବଣ ମଣିଷ ଶରୀର ପାଇଁ ଉପାଦେୟ ହେବା ଆବଶ୍ୟକ। ଏହା ଶରୀରରେ ସେହି ଭୂତାଣୁ ଜିନତ (ଯାହାର ପ୍ରତିକାର ପାଇଁ ଉଦ୍ଦିଷ୍ଟ) ବା ଅନ୍ୟ କୌଣସି ରୋଗ ସୃଷ୍ଟି କରିବ ନାହିଁ। ଟିକା ଯୋଗୁଁ ହେଉଥିବା ପାର୍ଶ୍ବ ପ୍ରତିକ୍ରିୟା ସହଜରେ ସହ୍ୟ କରିହେଉଥିବ।

ଟିକା ଦ୍ବାରା ସୃଷ୍ଟ ପ୍ରତିଷେଧକ ଶକ୍ତି ଦୀର୍ଘକାଳ ଶରୀରକୁ ସେହି ରୋଗ କବଳରୁ ସୁସ୍ଥ ରଖୁଥିବ। ଟିକା ନେବା ପ୍ରକ୍ରିୟା ସରଳ ହେବା ସହ ଟିକା ସହଜରେ ଓ ସୁଲଭ ଦରରେ ଉପଲବ୍ଧ ହେଉଥିବ। କୋଭିଡ ଭୂତାଣୁ, କାୟା ବଦଳାଉଥିବା ଅଭିନବ କରୋନା ଭୂତାଣୁ ଅଟେ। ଏଣୁ ଏହାକୁ ନୋଭେଲ କରୋନା ଭାଇରସ୍ ବୋଲି ଆଖ୍ୟା ଦିଆଯାଇଛି। କୋଭିଡ ଭୂତାଣୁରେ ଚାରିଟା ମୁଖ୍ୟ ପୁଷ୍ଟିସାର ବା ପ୍ରୋଟିନ ଅଛି। ସ୍ପାଇକସ୍ (ଏସ୍), ନ୍ୟୁକ୍ଲିଓକାପସିଡ୍ (ଏନ୍), ମେମ୍ବ୍ରେନ୍ (ଏମ) ଓ ଏନଭଲପ୍ (ଇ)। ସ୍ପାଇକ ପ୍ରୋଟିନ ଭୂତାଣୁର ଉପରେ ଥାଏ ଏବଂ ଏହା ସାହାଯ୍ୟରେ ସେ ଜୀବକୋଷରେ ଲାଗିଯାଏ। ଏହି ତଥ୍ୟ ଆଧାରକୁ ନେଇ ବିଶ୍ୱରେ ୧୩୭ ପ୍ରକାରର କୋଭିଡ ବିରୁଦ୍ଧରେ ଚିକା ବିଭିନ୍ନ ଗବେଷଣାଗାରରେ ପରୀକ୍ଷା ଚାଲିଛି। ସେଥିମଧ୍ୟରୁ ୨୩ଟି ଚିକା ମଣିଷ ଦେହରେ ପ୍ରୟୋଗ ପାଇଁ ଉପାଦେୟ ହେଲାଣି ଓ ଏମାନଙ୍କର ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଦୁଇଟି ଟିକା ମଣିଷ ଦେହରେ ପ୍ରୟୋଗ କରାଯାଇ ସାରିଲାଣି। ଏମାନଙ୍କର ପ୍ରାରମ୍ଭିକ (ଟିକା ଦାନର ଫେଜ ୧/୨) ଫଳାଫଳ ଆନ୍ତର୍ଜାତିକ ଭେଷଜ ବୈଜ୍ଞାନିକ ପତ୍ରିକା ‘ଲାନସେଟ’ରେ ଜୁଲାଇ ୨୦ ତାରିଖରେ ପ୍ରକାଶ ପାଇଛି। ଗୋଟିଏ ହେଲା ଚାଇନିଜ୍ ଟିକା ଯାହା କେବଳ ୟୁହାନରେ ପରୀକ୍ଷା କରାଯାଇଛି।

ଏହି ଟିକାକୁ ଅନ୍ୟ କୌଣସି ଟିକା ସହିତ ତୁଳନା କରାଯାଇ ନାହିଁ। ଏହାର ସବୁ ତଥ୍ୟ ସେମାନଙ୍କ ପାଖରେ ଉପଲବ୍ଧ ଏବଂ ଏହି ଟିକା ଅନ୍ୟ କେଉଁ ସ୍ଥାନରେ ପରୀକ୍ଷା କରାଯାଇ ନାହିଁ। ଅନ୍ୟ ଟିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ , ଆଷ୍ଟ୍ରାଜେନିକା ନାମକ ଖ୍ୟାତନାମା ଔଷଧ କଂପାନିର ମିଳିତ ଉଦ୍ୟମରେ ତିଆରି ହୋଇଛି। ଏହି ଟିକା ମାଙ୍କଡ ପ୍ରଜାତିର ଏକ ଜୀବର ଆଡିନୋ ଭୂତାଣୁ ଯାହାକି କୋଭିଡ ସ୍ପାଇକ ପ୍ରୋଟିନ ସୃଷ୍ଟି କରୁଛି ତାହାକୁ ଟିକା ତିଆରି କରିବାରେ ବ୍ୟବହାର କରାଯାଇଛି। ଏହାର କାର୍ଯଦକ୍ଷତା ତୁଳନା କରିବା ପାଇଁ ମେନିଙ୍ଗୋକୋକାଲ ଟିକାକୁ ନିଆଯାଇଛି। ୧୮ରୁ ୫୫ ବର୍ଷ, କୌଣସି ରୋଗରେ ପୀଡ଼ିତ ହୋଇନଥିବା ୧୦୭୭ ସ୍ବେଚ୍ଛାସେବୀଙ୍କୁ ଗବେଷଣାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୫୩୪ ଜଣଙ୍କୁ କୋଭିଡ ଟିକା ଓ ୫୩୪ ଜଣଙ୍କୁ ମେନିଙ୍ଗୋକୋକାଲ ଚିକା ଦିଆଯାଇଥିଲା। କେଉଁ ଟିକା କାହାକୁ ଦିଆଗଲା ତାହା ଗୁପ୍ତ ରଖାଯାଇ ଥିଲା। ଉଭୟ ଗୋଷ୍ଠୀ ସ୍ବେଚ୍ଛାସେବୀଙ୍କର ରକ୍ତ ନମୁନା ଏକା ସମୟରେ ନିଆଯାଇ ସେଥିରେ ଉତ୍ପନ ପ୍ରତିରୋଧ ଶକ୍ତିକୁ ତୁଳନା କରାଯାଇଛି। ଏହି ଗବେଷଣା ଗଲା ଏପ୍ରିଲ ୨୩ରୁ ମେ ୨୧ ତାରିଖ ମଧ୍ୟରେ ୟୁକେର ୫ଟି ସହରରେ କରାଯାଇଛି। କୋଭିଡ ଚିକା ଦିଆଯାଇଥିବା ସ୍ବେଚ୍ଛାସେବୀ, ସେହି ଚିକା ନେବାର ୭ ଦିନରୁ କୋଭିଡ ବିରୁଦ୍ଧରେ ଟି ଜୀବକୋଷ କାର୍ଯକ୍ଷମ ହେବାକୁ ଆରମ୍ଭ କଲେ ଏବଂ ୧୪ ଦିନ ବେଳକୁ ପୂର୍ଣ କାର୍ଯ୍ୟକ୍ଷମ ହେଲେ। ସେହିପରି କୋଭିଡ ବିରୁଦ୍ଧରେ ଆଣ୍ଟିବଡି ୨୮ ଦିନ ବେଳକୁ ବହୁଳ ଭାବେ ସ୍ବେଚ୍ଛାସେବୀ ମାନଙ୍କ ରକ୍ତରେ ଦେଖାଦେଲା। ଏଣୁ ଏହି ଟିକା କୋଭିଡ ସଂକ୍ରମଣ ବିରୁଦ୍ଧରେ ଏକ ଉପାଦେୟ ଆୟୁଧ ବୋଲି ସଂକେତ ମିଳିଲା। କିନ୍ତୁ ଏହା ଏକ ପ୍ରାରମ୍ଭିକ ଅନୁଶୀଳନ। ଯଦିଓ ଅକ୍ସଫୋର୍ଡ କୋଭିଡ ଟିକା ଅନେକ ଆଶା ସଞ୍ଚାର କରିଛି ଏବଂ ଭାରତୀୟ ସିରମ ଇନଷ୍ଟିଚ୍ୟୁଟ୍ ଏହି ଟିକାକୁ ବହୁଳ ପରିମାଣରେ ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଛି, କିନ୍ତୁ ଲୋକମାନଙ୍କ ଠାରେ ବହୁଳ ବ୍ୟବହାର ପୂର୍ବରୁ, ଚିକାର ସାର୍ବଜନିକ ଉପକାରିତା ନେଇ ବୈଜ୍ଞାନିକ ତଥା ମାନବିକ ଦୃଷ୍ଟିକୋଣରୁ କିଛି ତଥ୍ୟ ଜାଣିବା ନିହାତି ଆବଶ୍ୟକ। କିନ୍ତୁ ଏହି ଚିକା ଶିଶୁ ଓ ପରିଣତ ବୟସ୍କଙ୍କ ପାଇଁ କେତେଦୂର ଉପାଦେୟ ହେବ? ଅନ୍ୟ ବଂଶୋଦ୍ଭବ ଲୋକଙ୍କ ପାଇଁ ଏହା କେତେ ଦୂର ଉପଯୋଗୀ ହେବ?

ଏହି ଟିକା ସବୁ ପ୍ରକାର କରୋନା ଭୂତାଣୁ ପାଇଁ ଉପଯୁକ୍ତ ହେବ କି? ଟିକା ନେଲେ କେତେଦିନ ପାଇଁ ଶରୀରରେ ଆବଶ୍ୟକ ମାତ୍ରାରେ ପ୍ରତିଷଧକ ଶକ୍ତି ଉପଲବ୍ଧ ହେବ? ଏହି ସବୁ ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଇଁ ୩ୟ ପର୍ଯ୍ୟାୟ ଗବେଷଣା ଆରମ୍ଭ ହୋଇଛି। ଏଥିରେ ଯଥେଷ୍ଟ ଅଧିକ ଓ ଭିନ୍ନଭିନ୍ନ ବର୍ଗର ଲୋକଙ୍କଠାରେ ଟିକା ଦେଇ ପରୀକ୍ଷା କରାଯାଉଛି। ବର୍ତମାନ ଆମ ଦେଶରେ ଆଇସିଏମଆର୍ (ଭାରତୀୟ ଆୟୁର ବିଜ୍ଞାନ ଗବେଷଣା ପରିଷଦ) ଓ ଭାରତ ବାୟୋଟେକ କଂପାନିଙ୍କର ଯୁଗ୍ମ ପ୍ରଚେଷ୍ଟାରେ ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭିଡ ଟିକାର ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ବିଶ୍ବରେ ଶତ ସହସ୍ର ଜୈବ ବୈଜ୍ଞାନିକ ମାନେ ବିଭିନ୍ନ ଗବେଷଣାଗାରରେ କୋଭିଡ ବିରୁଦ୍ଧରେ ଟିକା ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରୁଛନ୍ତି। କୋଭିଡର ପ୍ରତିଷେଧକ ଟିକା ନିକଟ ଭବିଷ୍ୟତରେ ସମସ୍ତଙ୍କପାଇଁ ଉପଲବ୍ଧ ହେବାର ସମ୍ଭାବନା ଉଜ୍ବଳ ବୋଲି କହିଛନ୍ତି ଡା. ଦାସ।

ସମ୍ବନ୍ଧିତ ଖବର