ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା : ଶବ ସତ୍କାରକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ସଂସ୍କାର ନହୋଇ ଫେରିଗଲା ଶବ

ଭଦ୍ରକ : ଭଦ୍ରକର ସାଳନ୍ଦୀ କୋଭିଡ୍ ହସପିଟାଲରେ ଆଜି ଜଣେ କରୋନା ରୋଗରେ ଆକ୍ରାନ୍ତ ଲୋକଙ୍କର ମୃତ୍ୟୁ ହେବା ପରେ ତାଙ୍କର ଶବ ସତ୍କାର ପାଇଁ ଭଦ୍ରକ ସହର ଉପକଣ୍ଠସ୍ଥ ଆଦମପୁର ଗ୍ରାମ୍ୟ ଜଙ୍ଗଲକୁ ନିଆଯାଇଥିଲା। ପ୍ରଶାସନ ପକ୍ଷରୁ ଏଠାରେ ଶବ ସତ୍କାର ପାଇଁ ଅଣାଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଆଦମପୁର ଓ ବିଭୁତିପୁର ଅଞ୍ଚଳର ଲୋକମାନେ ବିରୋଧ କରିଥିଲେ। ଲୋକଙ୍କର ବିରୋଧ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏଠାରେ କରୋନା ଆକ୍ରାନ୍ତ ରୋଗୀଙ୍କର ଶବ ସଂସ୍କାର ହୋଇପାରିବ ନାହିଁ ବୋଲି ଅଞ୍ଚଳବାସୀ ଅଡି ବସିଥିଲେ। ଏଇ ଜିଦ୍‌ରେ ଲୋକେ ଅଟଳ ରହି ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟାକାଳ ଆଦମପୁର ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ନିକଟରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।

ରାସ୍ତା ଅବରୋଧ ଯୋଗୁଁ ପରିସ୍ଥିତି ଅଡୁଆ ହୋଇଥିଲା। ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିଲା। ପରିସ୍ଥିତି ଅଧିକ ଜଟିଳ ହେବାରୁ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଲୋକଙ୍କୁ ବଝାସୁଝା କରିଥିଲେ ମଧ୍ୟ ଫଳ କିଛି ମିଳି ନଥିଲା। ଅଞ୍ଚଳବାସୀଙ୍କର ଏକାନ୍ତ ଜିଦ୍ ଥିଲା ଯେ, ଆମ ଅଞ୍ଚଳର ଶବ ନୁହେଁ। ତେଣୁ ଏଠାରେ ଅନ୍ୟ ଅଞ୍ଚଳର ଶବ ସଂସ୍କାର କରାଯିବ ନାହିଁ। ଦ୍ବିତୀୟତଃ ଏହି ମୃତ ବ୍ୟକ୍ତି ଜଣଙ୍କ କରୋନା ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକର ସାଳନ୍ଦୀ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ କରୋନା ଜନିତ କାରଣରୁ ହୋଇ ପରିଥାଏ ବୋଲି ଲୋକେ ସନ୍ଦେହ କରିବା ସହ ଏଠାରେ ତାଙ୍କର ଶବ ସଂସ୍କାର କରାଯାଇ ପରିବ ନାହିଁ ବୋଲି ପୁଲିସକୁ ଲୋକମାନେ ରୋକ୍ ଠୋକ୍ ମନା କରି ଦେଇଥିଲେ। ଅପରପକ୍ଷେ ଆଦମପୁର ବନ ସରଂକ୍ଷଣ ସମିତିର ସଭାପତି ମନୋରଂଜନ ବାରିକ ଓ ଅନ୍ୟ ସଦସ୍ୟମାନେ ଏଇ ଜଙ୍ଗଲ ଏକ ସରଂକ୍ଷିତ ଜଙ୍ଗଲ ହୋଇଥିବାରୁ ଏଠାରେ ଏଭଳି ଶବ ସତ୍କାର କରାଯାଇ ପାରିବ ନାହିଁ ବୋଲି ରୋକ୍ ଠୋକ୍ ଭାବେ ମନା କରିଥିଲେ। ଏଠାରେ ଶବ ସତ୍କାର କରାଗଲେ ପରିସ୍ଥିତି ଅଣାୟତ ହେବ ବୋଲି କହିବା ପରେ ପୁଲିସ୍ ବାଧ୍ୟ ହୋଇ ମୃତ ବ୍ୟକ୍ତିଙ୍କର ଶବ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଶବ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ପରେ ଲୋକମାନେ ଜାତୀୟ ରାଜପଥ ଅବରୋଧରୁ ହଟିଯାଇଥିଲେ।

ପ୍ରକାଶ ଥାଉକି, ଗତ ୧୦ ତାରିଖଠାରୁ ବନ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଥିବା ଗଣ୍ଡଗୋରା ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ଥଣ୍ଡା, ଛିଙ୍କ ଓ କାଶ ହେବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। କୋଭିଡ୍ ଟେଷ୍ଟ ପରେ ସଂପୃକ୍ତ ବ୍ୟକ୍ତିଙ୍କର କରୋନା ପଜେଟିଭ୍ ବାହାରିବା ପରେ ତାଙ୍କୁ ସେହିଦିନ ଭଦ୍ରକର ସାଳନ୍ଦୀ କୋଭିଡ୍ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର କୋଭିଡ୍ ହସପିଟାଲରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଛି। ତାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସ୍ବଷ୍ଟ କରାଯାଇ ନାହିଁ। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ପରେ ତାଙ୍କର କୋଭିଡ୍ ହସପିଟାଲରେ ମୃତ୍ୟୁ ଘଟିବା ପରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ତାଙ୍କର ଶବ ଆଦମପୁର ଗ୍ରାମ୍ୟ ଜଙ୍ଗଲ ନିକଟରେ କରାଇବାକୁ ଶବ ନେଇ ଆମ୍ବୁଲାନସ୍ ଗାଡି ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଛନକା ପଶିଥିଲା। ଏଇ ଘଟଣାକୁ ନେଇ ଲୋକମାନେ ବିରୋଧ କରିବା ସହ ରାସ୍ତା ରୋକ କରିଥିଲେ। ଲୋକଙ୍କ ବିରୋଧ ହେବାରୁ ପୁଲିସ ବାଧ୍ୟ ହୋଇ ମୃତ ବ୍ୟକ୍ତିଙ୍କର ଶବ ତାଙ୍କ ନିଜ ଅଞ୍ଚଳ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଥିବା କୌଣସି ଏକ ଶ୍ମଶାନରେ କରିବା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଆଜିର ଏଇ ଘଟଣା ଭଦ୍ରକ ଜିଲ୍ଲାରେ ବେଶ୍ ଚର୍ଚ୍ଚାକୁ ଆସିଥିଲା।

ସମ୍ବନ୍ଧିତ ଖବର