ଭଦ୍ରକ : ଭଦ୍ରକ ଜିଲ୍ଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ମହାମାରୀ କରୋନା। ଏପ୍ରିଲ ୨୮ ସୁଦ୍ଧା ଜିଲ୍ଲାରେ ୧୯ ଜଣ କୋଭିଡ୍‌-୧୯ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏମାନେ ସବୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ସଂକ୍ରମିତ ହୋଇ ଭଦ୍ରକ ଆସିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୯ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୦ ଜଣ କଟକ ଅଶ୍ବିନୀ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ମୋଟ୍‌ ୭ଟି ବ୍ଲକରୁ ୬ଟିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାତ୍ର ଗୋଟିଏ ବ୍ଲକ (ଚାନ୍ଦବାଲି)ରୁ ଏ ପର୍ଯ୍ୟନ୍ତ କେହି ଜଣେ ହେଲେ ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି।

Advertisment

ଜିଲ୍ଲାରେ ଗୋଟିଏ ସମୟରେ ସ୍ଥିତି ଏକପ୍ରକାର ନିୟନ୍ତ୍ରଣରେ ଥିବାବେଳେ କୋଲକାତା ଫେରନ୍ତାଙ୍କ ପାଇଁ ସପ୍ତାହକ ମଧ୍ୟରେ ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବଢ଼ିଗଲା। ମାର୍ଚ୍ଚ ୩୧ରେ ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ, ଯିଏକି ଦୁବାଇରୁ ଫେରିଥିଲେ, ସିଏ ପ୍ରଥମ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଏପ୍ରିଲ ୨୮ ତାରିଖରେ ବନ୍ତ ବ୍ଲକ ଆଗରପଡା ଥାନା ଅନ୍ତର୍ଗତ ଚାରିଗାଁ ଅଞ୍ଚଳରୁ ଜିଲ୍ଲାର ୧୯ ନମ୍ବର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରଠୁ ଆଜି ପର୍ଯ୍ୟନ୍ତ ଆଉ କେହି ପଜିଟିଭ ଭାବେ ଚିହ୍ନଟ ହୋଇନାହାନ୍ତି। ଆଜି ସୁଦ୍ଧା ଜିଲ୍ଲାର ୭ ବ୍ଲକରୁ ୩୬୫୦ରୁ ଅଧିକ ଲୋକଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏପ୍ରିଲ ୨୯ ସୁଦ୍ଧା ମୋଟ ୨୯୧୮ ଜଣଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟରୁ ୧୯ ଜଣଙ୍କର ପଜିଟିଭ୍‌ ବାହାରିଥିବା ବେଳେ ୨୮୯୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ପରେ ସଂଗ୍ରହ ହୋଇଥିବା ୬୫୦ରୁ ଅଧିକ ସ୍ବାବ୍‌ର ପରୀକ୍ଷା ରିପୋର୍ଟ ଏଯାବତ ଆସିନାହିଁ। ଭଦ୍ରକ ସଦର ମହକୁମାରୁ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁରରୁ ୯, ତିହିଡିରୁ ୨, ଧାମନଗରରୁ ୨, ଭଣ୍ଡାରିପୋଖରୀରୁ ୨ ଓ ବନ୍ତ ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ୫ ବ୍ଲକର ୨୧ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ ୩୨ଟି ପଞ୍ଚାୟତକୁ ସର୍ଭେଲାନସ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଆକାଶମାର୍ଗରୁ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଉଛି। ଏହି ସବୁ ପଞ୍ଚାୟତର ମୋଟ ୯୮ଟି ଗାଁକୁ ସିଲ୍ କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ଜିଲ୍ଲାକୁ ଫେରିବା ପାଇଁ ଗତ ୩୦ ତାରିଖ ସୁଦ୍ଧା ୩୨ ହଜାର ୧୬୫ ଜଣ ପଞ୍ଜୀକରଣ କରିଛନ୍ତି। ଆଗକୁ ଏହି ସଂଖ୍ୟା ୫୦ ହଜାର ଟପି ଯାଇପାରେ। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି। ଭଦ୍ରକ-ଯାଜପୁର-କେନ୍ଦ୍ରାପଡା ସୀମା ସିଲ୍ ଭଦ୍ରକ ଜିଲ୍ଲାରେ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆବଦ୍ଧାଞ୍ଚଳରେ (କଣ୍ଟେନ୍‌ମେଣ୍ଟ ଜୋନ୍) ରକ୍ତନମୁନା ଓ ସ୍ବାବ୍‌ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଭଦ୍ରକ ସଦର ବ୍ଲକର ୩ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ୧୬ ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍‌ ରହିଛି। ଏବେ ବି ଜିଲ୍ଲାରେ ଅନେକ କୋଲକାତା ଫେରନ୍ତା ଓ ବାହାରୁ ରାଜ୍ୟରୁ ଆସିଥିବା ଲୋକ ଘରେ ଲୁଚି ରହିଛନ୍ତି। ସେମାନଙ୍କ ପତ୍ତା ଲଗାଇବା ଜିଲ୍ଲା ପ୍ରଶାସନ ପକ୍ଷରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।