ବିଗିଡ଼ିଲାଣି କରୋନା ଗଣିତ : ଗୋଟିଏ ଦିନରେ ୮୩ ପଜିଟିଭ୍, ମୋଟ ଆକ୍ରାନ୍ତ ୩୭୭

ଗଞ୍ଜାମରେ ଗଲା ତୃତୀୟ ମୁଣ୍ଡ, ପରିଚୟ କହୁନାହାନ୍ତି
ପଦାର୍ପଣରେ ରେଡ୍‌ ଜୋନ୍‌ରେ ଅନୁଗୁଳ, ୧୫ ସଂକ୍ରମିତ
ବାଲେଶ୍ବରରେ ୧୫, ଭଦ୍ରକରେ ୬, ଯାଜପୁରରେ ୫
ବୌଦ୍ଧରେ ପାଦ ଥାପିଲା, ପୁରୀକୁ ଫେରିଲା ଭୂତାଣୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟାନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ସୁରତ, ଆଉ କେଉଁଠି ପଶ୍ଚିମବଙ୍ଗ ଫେରନ୍ତା କରୋନା ଗଣିତକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲେଣି। ଏମିତି ଯେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଡେଇଁ ୩୭୭ରେ ପହଞ୍ଚିଛି। ମେ’ ୯ ତାରିଖରେ ରାଜ୍ୟର କରୋନା ଆକ୍ରାନ୍ତ ପରିସଂଖ୍ୟାନ ୨୯୪ରେ ଅଟକିଥିଲା। ୧୦ ତାରିଖ (ରବିବାର) ରାତିରେ ରିପୋର୍ଟ ଲେଖାହେବା ବେଳକୁ ଏଥିରେ ଆଉ ୮୩ ଜଣ ସଂକ୍ରମିତଙ୍କ ନାମ ଯୋଡ଼ି ହୋଇଯାଇଛି।

କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କର ପୂରା ଠିକଣା ସରକାର ଦେଇନାହାନ୍ତି। ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ଉଭୟ ବ୍ୟକ୍ତି ଖୋର୍ଧା ଜିଲ୍ଲାର ଥିଲେ। ଏପ୍ରିଲ ୬ ତାରିଖରେ ରାଜ୍ୟରେ ପ୍ରଥମ ଓ ଚଳିତମାସ ୫ ତାରିଖରେ ଦ୍ବିତୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା କ୍ଷେତ୍ରରେ ଗଞ୍ଜାମ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଶତକ ଡେଇଁ ୧୨୫ରେ
ପହଞ୍ଚିଛି।

ସରକାର ଲକ୍‌ଡାଉନ୍, ସଟ୍‌ଡାଉନ୍ କରି ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖି ପ୍ରଶଂସା ଗୋଟାଇବାକୁ ଯେଉଁ ଉଦ୍ୟମ କରିଥିଲେ, ତାହା ଏବେ ଫୁସ୍‌କି ଯାଇଛି। ଯେତେ ଅଧିକ ପ୍ରବାସୀ ଫେରୁଛନ୍ତି, ସେତିକି ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏଯାଏ ରାଜ୍ୟର ଦୁଇ ତୃତୀୟାଂଶ ଅର୍ଥାତ୍ ୨୦ଟି ଜିଲ୍ଲାରେ କରୋନା ତାର ପାଦ ରଖିସାରିଲେଣି। ଆଜି ବୌଦ୍ଧ (୩ଜଣ ପଜିଟିଭ୍)ରେ ପହଞ୍ଚିଛି। ଅନୁଗୁଳ ସିଧା ଯାଇ ରେଡ୍‌ ଜୋନରେ। ପ୍ରଥମ ଥର ପାଇଁ ଏହି ଜିଲ୍ଲାରେ ୧୩ ପଜିଟିଭ୍‌ ବାହାରିବା ପରେ ସନ୍ଧ୍ୟାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି।

ସେହିଭଳି ପୁରୀ ଜିଲ୍ଲା ତାଲିକାରେ ଦୀର୍ଘ ଦିନ ପରେ ୨ଜଣ ସଂକ୍ରମିତଙ୍କ ନାମ ଯୋ଼ଡି ହୋଇଛି।

ଆଜି ବି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ (୧୨୫)ଥିବା ସରକାରୀ ତଥ୍ୟ ବୟାନ କରୁଛି ଓ ଶୀର୍ଷରେ ରହିଛି। ଆଜି ୩୬ଜଣ ନୂଆ ସଂକ୍ରମିତଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଯାଜପୁରରେ ଆଉ ୫ଜଣଙ୍କୁ ମିଶାଇ ମୋଟ ୬୦, ବାଲେଶ୍ବରରେ ୧୫ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଛି। ଏହା ବ୍ୟତୀତ ଆଜି ଭଦ୍ରକରେ ୬ ଜଣ (ମୋଟ ଆକ୍ରାନ୍ତ ୩୧), ଯାଜପୁରରେ ୫ ଜଣ( ମୋଟ ଆକ୍ରାନ୍ତ ୬୦), ମୟୂରଭଂଜରେ ଜଣେ (ମୋଟ ଆକ୍ରାନ୍ତ ୮) କରୋନା ସଂକ୍ରମିତ ବୋଲି ସରକାର କହିଛନ୍ତି।

ରାଜ୍ୟର ମୋଟ ୩୭୭ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୩୦୬ଜଣଙ୍କଠାରେ କରୋନା ଭୁତାଣୁ ସକ୍ରିୟ ରହିଛି। ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ୩ଜଣଙ୍କର ପ୍ରାଣ ଯାଇଛି।

ତେବେ କରୋନା ଯେଉଁ ଧାରାରେ ବୃଦ୍ଧି ପାଇବାରେ ଲାଗିଛି, ତାହା ଓଡ଼ିଶାକୁ ଆଗକୁ ଆଗକୁ ଟାଣିନେବ। ମାତ୍ର ୫୫ହଜାର ୯୧୬ ଜଣ ପ୍ରବାସୀ ଓଡ଼ିଶା ଆସିଛନ୍ତି, ସ୍ଥିତି ଗମ୍ଭୀର ହେଲାଣି। ଆଗକୁ ଆଉ ସାଢ଼େ ଚାରିଲକ୍ଷରୁ ଅଧିକ ଫେରିବେ। ଏ ପରିସ୍ଥିତିରେ ଏହି ସଂଖ୍ୟା ବହୁଗଣିତ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୫୯ ହଜାର ୭୮୦ଜଣଙ୍କର ନମୁନା ପରୀକ୍ଷା ହୋଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୪୩ଟି ମାମଲା ଦାୟର ହୋଇଛି। ସେଥିରେ ୩୫ଟି ମାମଲା ଲକ୍‌ଡାଉନ୍ ସଂପର୍କିତ ହୋଇଥିବା ବେଳେ ୪ଟି ମାମଲା ସଙ୍ଗରୋଧ ଉଲ୍ଲଂଘନ ପାଇଁ କରାଯାଇଛି। ଗୋଟିଏ ମାମଲା ଗୁଜବ ପ୍ରଚାର ପାଇଁ ଓ ଅନ୍ୟ ତିନିଟି ଅନ୍ୟାନ୍ୟ କାରଣ ଲାଗି ବୋଲି ସରକାର କହିଛନ୍ତି। ବିଭିନ୍ନ ଅଭିଯୋଗରେ ମୋଟ ୪୭ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର