ଗଞ୍ଜାମରେ ବିସ୍ଫୋରକ ସ୍ଥିତି : ଆଉ ୧୮ ସଂକ୍ରମିତ, ୭ ଜଣିଆ ଟିମ୍‌ ଗଞ୍ଜାମ ଗଲେ

୨୪ ଘଣ୍ଟାରେ ୫ ଜିଲ୍ଲାରୁ ୨୪ ପଜିଟିଭ୍ ଚିହ୍ନଟ
ସଂକ୍ରମିତ ଜିଲ୍ଲାରେ ସାମିଲ ହେଲା ନୟାଗଡ଼
ଆହୁରି ୫ଜଣ ସଂକ୍ରମିତ ସୁସ୍ଥ ହେଲେ

ଭୁ‌ବନେଶ୍ବର/ବ୍ରହ୍ମପୁର : ସୁରତ ଫେରନ୍ତା ରାଜ୍ୟର କରୋନା ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଗୋଟିଏ ଦିନରେ ୧୮ଜଣ କରୋନା ସଂକ୍ରମିତ କେବଳ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଏହା ସହ ସୁରତ ଫେରନ୍ତାଙ୍କ ପାଇଁ ନୂତନ ସଂକ୍ରମିତ ଜିଲ୍ଲା ଭାବେ ନୟାଗଡ଼ ଏଥିରେ ସାମିଲ ହୋଇଛି। ନୟାଗଡ଼ ଜିଲ୍ଲାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟର ଏବେ ୧୯ଟି ଜିଲ୍ଲା କରୋନା କବଳରେ ରହିଛି। ଗଞ୍ଜାମ ବ୍ୟତୀତ ମୟୂରଭଞ୍ଜ(୩), ଭଦ୍ରକ(୧), ସୁନ୍ଦରଗଡ଼(୧) ଜିଲ୍ଲାରୁ ମଧ୍ୟ ସୁରତ ଫେରାନ୍ତାଙ୍କୁ ମିଶାଇ ଆଜି ଗୋଟିଏ ଦିନ‌ରେ ୨୪ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି।

ଅପରପକ୍ଷରେ ଗଞ୍ଜାମ ଜିଲ୍ଲା ପରିସ୍ଥିତି ବିଗଡ଼ି ଯାଉଥିବା ଦେଖି ରାଜ୍ୟ ସରକାର ଆଜି ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କ ନେତୃତ୍ବରେ ୭ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ପଠାଇଛନ୍ତି। ଏଥିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ରହିଛନ୍ତି। ଜିଲ୍ଲାରେ ସଂକ୍ରମଣ ଅବରୋଧ ସହିତ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଟିମ୍‌କୁ ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଏମ୍‌କେସିଜି ମେଡିକାଲ କଲେଜ ମଧ୍ୟ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ସହଯୋଗ ପ୍ରଦାନ କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮ଜଣଙ୍କ ମଧ୍ୟରୁ ସବୁ ସଂକ୍ରମିତ ପୁରୁଷ ଥିବା ଜଣାପଡ଼ିଛି। ଏହି ସମସ୍ତ ସଂକ୍ରମିତ ସୁରତ ଫେରନ୍ତା। ଗଞ୍ଜାମ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରୁ ହିଁ କରୋନା ମାମଲା ମିଳିବାରେ ଲାଗିଛି। ଗତ ଦେଢ଼ ମାସ ଭିତରେ ଜ‌ଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୭ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ଦୁଇଦିନରେ ୪୩ ଓ ୨୪ଜଣ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ସୁରତ ଫେରନ୍ତା ୩ଜଣ ପୁରୁଷ ଚିହ୍ନଟ‌ ହୋଇଛନ୍ତି। ସେମାନଙ୍କ ବୟସ ୨୦, ୨୬ ଓ ୩୦ବର୍ଷ ବୋଲି ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ୬୮ବର୍ଷର ଜଣେ ବୟସ୍କ ବ୍ୟକ୍ତିଙ୍କୁ ସଂକ୍ରମଣ ଅବରୋଧ ଅଞ୍ଚଳରୁ ଚିହ୍ନଟ କରାଯାଇଛି। ନୂଆ ସଂକ୍ରମିତ ଜିଲ୍ଳା ନୟାଗଡ଼ରୁ ସୁରତ ଫେରନ୍ତା ୪୦ବର୍ଷର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୮୯ ଜଣ ଚିହ୍ନଟ ହେବା ସହିତ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଯାଜପୁରରେ ୫୫, ଖୋର୍ଧାରେ ୫୦, ବ‌ାଲେଶ୍ବର, ୨୭, ଭଦ୍ରକ ୨୫, ସୁନ୍ଦରଗଡ଼ ୧୩, କେନ୍ଦ୍ରାପଡ଼ା ୮, ମୟୂରଭଞ୍ଜ ୭, ଜଗତସିଂହପୁର ୫ ଜଣ, ବଲାଙ୍ଗୀର, କଟକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝରରୁ ୨ ଜଣ ଲେଖାଏଁ, ଦେବଗଡ଼, ଢେଙ୍କାନାଳ, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରୁ ୪ଜଣ ଓ ଯାଜପୁର ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ବାଲେଶ୍ବର ଜିଲ୍ଲାରେ ଏବେ ସୁସ୍ଥ ୯ଜଣ ସୁସ୍ଥ ହୋଇଥିବା ବେଳେ ୧୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଓ ଯାଜପୁର ଜିଲ୍ଲାରେ ୫୩ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୫୬୩୨୨ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ଏବେ ୨୧୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ବେଳେ ସଂକ୍ରମଣ ହାର ୦.୫୧ ପ୍ରତିଶତ ରହିଛି। ତେବେ ଗତ ୪ ସପ୍ତାହରେ ଭୁବନେଶ୍ବରସ୍ଥି ଜୀବ ବିଜ୍ଞାନ ପ୍ରତିଷ୍ଠାନ ୧୦ହଜାରରୁ ଅଧିକ କୋଭିଡ ନମୁନା ପରୀକ୍ଷା କରିବାରେ ସଫଳ ହୋଇଛି। ସେହିପରି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୧ହଜାର କୋଭିଡ ନମୁନା ପକ୍ଷୀ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର