ବାରୁଦ ଗଦା ଉପରେ ଗଞ୍ଜାମ : ସୁରତ ଫେରନ୍ତାଙ୍କ ପାଇଁ ବିସ୍ଫୋରକ ପରିସ୍ଥିତି

ବ୍ରହ୍ମପୁର : ସୁରତ ଫେରନ୍ତା ଜିଲ୍ଲାରେ ଫେରିବାର ଏକ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆଜି ଗୋଟିଏ ଦିନରେ ୨୪ କରୋନା ପଜିଟିଭ୍‌ ବାହାରିବା ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮ରେ ପହଞ୍ଚିଛି। ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ଲକ୍ଷଣ ବିହୀନ ବୋଲି ଜଣାପଡ଼ିଛି। ସୁରତରୁ ଜିଲ୍ଲାକୁ ଆସିବାକୁ ଥିବା ଦେଢ଼ ଲକ୍ଷରୁ ୨ଲକ୍ଷ ଶ୍ରମିକ ମଧ୍ୟରୁ ମାତ୍ର ୧୦ରୁ ୧୫ ପ୍ରତିଶତ ଆସିଥିବା ବେଳେ ଜିଲ୍ଲାର ଏଭଳି ସ୍ଥିତି ହୋଇଛି। ତେଣୁ ଆଗକୁ ପରିସ୍ଥିତି କେତେ ସଂଗିନ ହେବ ତାହା ଜଳଜଳ ଦେଖାଯାଉଛି। ସୁରତ ଫେରନ୍ତା ଲାଗି ଗଞ୍ଜାମ ଜିଲ୍ଲା ଏବେ ବାରୁଦ ଗଦା ଉପରେ ରହିବା ଭଳି ସ୍ଥିତିରେ ପହଞ୍ଚିଥିବା ବେଳେ ଅଳ୍ପଦିନ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଆଜି ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଜନସାଧାରଣଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି। ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ କରିଥିବା ବ୍ୟକ୍ତି ସମ୍ପୃକ୍ତ ସ୍ଥାନରେ କରେନା ପରୀକ୍ଷା କରି ନେଗେଟିଭ୍‌ ରିପୋର୍ଟ ମିଳିଲେ ଯାଇ ଓଡ଼ିଶା ଆସିପାରିବେ ବୋଲି ହାଇକୋର୍ଟ ନି‌ର୍ଦ୍ଦେଶ ଦେବା ପରେ ‌ଶୁକ୍ରବାର ସୁରତ ଛାଡ଼ିବାକୁ ଥିବା ୩ଟି ଯାକ ଟ୍ରେନ୍ ବାତିଲ ହୋଇଯାଇଛି। ହାଇକୋର୍ଟ ରାୟ ଅନୁସାରେ ଯେଉଁ ଓଡ଼ିଆ ଶ୍ରମିକଙ୍କ ରପୋର୍ଟ ନେଗେ‌ଟିଭ୍ ରହିବ, ସେମାନଙ୍କୁ ହିଁ କେବଳ ଓଡ଼ିଶା ଯିବାକୁ ଅନୁମତି ମିଳିବ ବୋଲି ଦର୍ଶାଇ ସୁରତ ଜିଲ୍ଲାପାଳ ଟ୍ରେନ୍ ବାତିଲ କରାଯାଇଥିବା ଘୋଷଣା କରିଛନ୍ତି। ଏଭଳି ଅଙ୍କୁଶ ଫଳରେ ଏଣିକି ଜିଲ୍ଲାକୁ ସୁରତ ଫେରନ୍ତାଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କେବଳ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ରାଜ୍ୟ ବାହାରେ ରହିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ଫେରି ନ ପାରି ଫସି ରହିଥିଲେ। ଲକ୍‌ଡାଉନ୍‌ କୋହଳ ହେବା ପରେ ବାହାର ରାଜ୍ୟରୁ କେତେ ଲୋକ ଫେରିବେ ଜିଲ୍ଲା ପ୍ରଶାସନ ତାହାର ଏକ ପ୍ରାକ୍‌ ଆକଳନ କରିଥିଲା। ଜିଲ୍ଲା ପ୍ରଶାସନର ପ୍ରାକ୍‌ ଆକଳନ ଅନୁଯାୟୀ ୨ଲକ୍ଷ ୮୦ହଜାର ଫେରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଫେରିବାକୁ ଚାହୁଁଥିବା ଲୋକମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବାଧ୍ୟ୍ୟତାମୂଳକ କରାଯାଇଛି। ଜିଲ୍ଲାକୁ ଫେରିବା ଲାଗି ଏଯାଏ ୨ଲକ୍ଷରୁ ଅଧିକ ଲୋକଙ୍କ ପଞ୍ଜୀକରଣ କରିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ଅବଧି କୋହଳ ନ ହେଉଣୁ ଅର୍ଥାତ ଏପ୍ରିଲ ୨୮ତାରିଖଠାରୁ ସୁରତ ରହୁଥିବା ଶ୍ରମିକଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି। ଇତିମଧ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ସହିତ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି କେନ୍ଦ୍ର ଅନୁମତି ଦେବା ସହିତ ନିୟମାବଳୀ ଜାରି କରିଛନ୍ତି। କେରଳ, ତାମିଲନାଡ଼ୁ, ଆନ୍ଧ୍ର ଓ ଗୁଜୁରାଟ ଆଦି ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକମାନେ ହଜାର ହଜାର ସଂଖ୍ୟାରେ ଜିଲ୍ଲାକୁ ଫେରୁଛନ୍ତି।

ସମ୍ବନ୍ଧିତ ଖବର