କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ବାହକ କାଶ ଓ ଛିଙ୍କ

କାଶରେ ୧୯ ଫୁଟ, ଛିଙ୍କରେ ୨୯ ଫୁଟ୍ ଯାଇପାରେ କଣିକା

ଗାଁରେ ତାସ ଖେଳଠାରୁ ଦୂରେଇ ରୁହନ୍ତୁ
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଡ୍ରାଇଭରଙ୍କୁ ଆଦର କରନ୍ତୁ

ଭୁବନେଶ୍ବର : ଲକ୍‌ଡାଉନ ଚାଲିଥିବା ବେଳେ ଏହି ମଉକାରେ ଗାଁ ଗହଳିରେ ତାସ ଖେଳ ଜମୁଛି। ଫଳରେ ଏକାଧିକ ଲୋକ ସାମାଜିକ ଦୂରତା କଟକଣାକୁ ନମାନି ଗୋଟିଏ ସ୍ଥାନରେ ପାଖାପାଖି ବସୁଛନ୍ତି। ଫଳରେ ସରକାରୀ କଟକଣା ବାଟବଣା ହେଉଛି। କାଶ ଦ୍ବାରା କରୋନା ଭୂତାଣୁ ୧୯ ଫୁଟ୍ ଓ ଛିଙ୍କରେ ୨୯ ଫୁଟ୍ ଯାଇଥାଏ। ତେଣୁ ଗାଁରେ ତାସ ଖେଳଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, କୋଭିଡ-୧୯ ପ୍ରତିରୋଧ ପାଇଁ ନିୟୋଜିତ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ କରାଯାଇଛି। ଏସ୍‌ସିବି ମେଡିକାଲ କଲେଜରେ ୪୧୬ଜଣ, ଏମ୍‌କେସିଜିରେ ୭୨ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ-୧୯ କ୍ରିଟିକାଲ କେୟାର ତାଲିମ ଦିଆଯାଇଛି। ଆୟୁଷ ନିର୍ଦେଶାଳୟର ପ୍ରାୟ ୧୬ଶହ ସ୍ବାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତି। ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେହିପରି ଚଳିତମାସ ୧୦ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛି। କୋଭିଡ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ଚିକିତ୍ସାଧିକାରୀ ଓ ନର୍ସମାନଙ୍କ ପାଇଁ ସ୍ବତନ୍ତ୍ର ରୁମ୍ ଟ୍ରେନିଂ ପ୍ରଦାନ କରାଯାଇଛି।

ତେବେ ଅତ୍ୟାବଶ୍ୟକ ମାଲ୍ ପରିବହନରେ ନିୟୋଜିତ ହୋଇଥିବା ଟ୍ରକ୍ ଡ୍ରାଇଭରମାନଙ୍କୁ ଗ୍ରାମବାସୀମାନେ ବିରୋଧ କରୁଛନ୍ତି। ଯାହାକି ଏକ ନିନ୍ଦନୀୟ ଘଟଣା। ଯଦି ଟ୍ରକ୍ ଡ୍ରାଇଭରମାନେ ଏଭଳି ଭାଙ୍ଗି ପଡ଼ିବେ ତାହାଲେ ଆମ ଘରେ ଚୁଲି ଜଳିବା ବନ୍ଦ ହୋଇଯିବ। ତେଣୁ ଟ୍ରକ୍ ଡ୍ରାଇଭର ଭାଇମାନଙ୍କୁ ଏଭଳି ବିରୋଧ ନ କରି ସେମାନଙ୍କୁ ଆଦର କରନ୍ତୁ। ପାଣି ପିଇବାକୁ ଦେବା ସହିତ ଖାଇବାକୁ ଦିଅନ୍ତୁ ବୋଲି ଶ୍ରୀ ବାଗଚୀ ନିବେଦନ କରିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଗାନ୍ଧୀଜୀ ଏକଦା କହିଥିଲେ ଭାରତର ଆତ୍ମା ହେଉଛି ଗାଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଭାରତ ଗ୍ରାମ ବହୁଳ। ରାଜ୍ୟର ସାଢ଼େ ୩ କୋଟି ଲୋକ ଗାଁରେ ରହିଥାନ୍ତି। ୬୭୯୮ ଗ୍ରାମ ପଞ୍ଚାୟତ ହିଁ ରାଜ୍ୟର ପ୍ରକୃତ ଭାଗ୍ୟ ବିଧାତା। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ମାର୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସଚେତନ କରାଯାଇଥିଲା। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧,୬୨,୧୪୨ ଶଯ୍ୟା ବିଶିଷ୍ଟ ମୋଟ ୬୯୩୯ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଗ୍ରାମ ପଞ୍ଚାୟତ ପାଣ୍ଠିରୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରତ୍ୟେକ ପିଏଚ୍‌ସି ଓ ସିଏଚ୍‌ସିରେ ମୌଳିକ ସୁବିଧାସୁ‌ଯୋଗ ଓ ପରିମଳ ବ୍ୟବସ୍ଥା ପାଇଁ ଯଥାକ୍ରମେ ୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ଦିଆଯାଇଛି। ରାଜ୍ୟରେ ଚଳିତମାସ ୧୦ତାରିଖ ସୁଦ୍ଧା ୩୫ଲକ୍ଷ ୮ହଜାରରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ରନ୍ଧାଖାଦ୍ୟ ଦିଆଯାଇଛି। ରାଜ୍ୟରେ ୨୫୩୨ଟି ଶିବିର‌ ଜରିଆରେ ୭୦ ହଜାର ଅତିଥି ଶ୍ରମିକଙ୍କୁ ଖାଇବା ଓ ରହିବା ସୁ‌ବିଧା ଯୋଗାଇ ଦିଆଯାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର