ପାରାଦୀପରୁ ସ୍ଥାନାନ୍ତର କରୋନା ସନ୍ଦିଗ୍ଧ ଦମ୍ପତି କଟକ ବଡ଼ମେଡିକାଲରେ ଭର୍ତ୍ତି

କଟକ: କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ପାରାଦୀପ ବନ୍ଦରରେ ଅଟକ ଦମ୍ପତି କଟକ ବଡ଼ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସନ୍ଦିଗ୍ଧ ଦମ୍ପତି ନିକଟରେ ସିଙ୍ଗାପୁରରୁ ଏକ ଜାହାଜ ଯୋଗେ ଫେରିଥିଲେ। ପାରାଦୀପ ବନ୍ଦରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ସେମାନଙ୍କୁ କଟକ ସ୍ଥାନନ୍ତର କରାଯାଇଛି। ଏବେ ସେମାନେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କଟକ ବଡ ମେଡିକାଲରୁ ସେମାନଙ୍କ ରକ୍ତ ନମୁନା ପୁନେ ପଠାଯିବ ବୋଲି ଜଣାପଡିଛି।

ସିଙ୍ଗାପୁରରୁ ଫେରିଥିବା ଦମ୍ପତିଙ୍କୁ ପ୍ରଥମେ ଜାହାଜରୁ ଓହ୍ଲାଇବାକୁ ଅନୁମତି ଦିଆଯାଉ ନଥିଲା। ସିଙ୍ଗାପୁରରୁ ଆଉ କେଉଁ ଦେଶକୁ ଯାଇଥିଲେ, ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି। ପୂର୍ବରୁ ମଧ୍ୟ ଚୀନରୁ ଆସିଥିବା ଏକ ଜାହାଜ ଧାମରାରେ ଲାଗିଥିଲା। ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଇଥିଲା।

କରୋନା ଭାଇରସ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢିଛିା ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ବିଦେଶ ଗସ୍ତ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଉଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାଂଚ କରାଯାଉଛି।

ଅନ୍ୟପଟେ ଓଡିଶାରେ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମନ୍ତ୍ରୀ କହିଛନ୍ତି, ଦୁଇଟି ବିମାନବନ୍ଦର ଝାରସୁଗୁଡା ଓ ଭୁବନେଶ୍ୱର ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧିତ ଖବର