ଓଡ଼ିଶାରେ କରୋନା ଭୟ : ସ୍ବାସ୍ଥ୍ୟ ବିଭାଗର ନଜରରେ ୭୪ଜଣ

ଭୁବନେଶ୍ବର : ଚୀନ୍‌ରେ କରୋନା ଭୟଙ୍କର ରୂପ ଧାରଣ କରିଥିବା ବେଳେ ଭାରତରେ ଏ ପର୍ଯ୍ୟନ୍ତ ୩ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ‌ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତେବେ ରାଜ୍ୟରେ କରୋନା ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଚୀନ୍‌ ଓ ଅନ୍ୟ କରୋନା ସଂକ୍ରମିତ ଦେଶରୁ ଆସିଥିବା ୭୪ଜଣ ବ୍ୟକ୍ତିଙ୍କୁ ନଜରରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୭୧ଜଣ ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ୩ ଜଣଙ୍କୁ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ୭ ଜଣଙ୍କ ନମୁନା ସଂଗ୍ରହ କରି ପୁନେସ୍ଥିତ ଏନ୍‌ଆଇଭିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ସମସ୍ତ ନମୁନା ନେଗେଟିଭ୍ ରହିଥିଲା। ଏବେ ଆଉ କୌଣସି ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇନାହିଁ। ଏହାସହ ରାଜ୍ୟର ସମସ୍ତ ସ୍କୁଲକୁ ଏଥିପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ କିଭଳି ହାତ ସଫା ରଖିବେ, ଛିଙ୍କ କିମ୍ବା କାଶିବା ସମୟରେ ମୁହଁରେ ରୁମାଲ ଧରିବା ପାଇଁ ସଚେତନ କରାଯାଉଛି। ଏହାସହ ଛାପା, ବୈଦ୍ୟୁତିକ ଗଣମାଧ୍ୟମ ଓ ରେଡିଓ ଜରିଆରେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର