ଏସ୍‌ସିବିରେ ଖାଲି ହେଲା କରୋନାଭାଇରସ୍‌ ଓ୍ଵାର୍ଡ, ଚୀନ ଫେରନ୍ତା ଯୁବ ଇଞ୍ଜିନିୟରଙ୍କ ରକ୍ତ ନମୁନା ନେଗେଟିଭ୍‌

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଖୋଲାଯାଇଥିବା କରୋନାଭାଇରସ୍‌ ଓ୍ଵାର୍ଡ ଆଜି ଖାଲି ହୋଇଛି। କରୋନା ଭାଇରସ୍‌ ସନ୍ଦେହରେ ଭର୍ତ୍ତି ହୋଇଥିବା ଯୁବ ଇଞ୍ଜିନିୟରଙ୍କ ରକ୍ତ ନମୂନା ପୁନେ ପଠାଯାଇଥିଲା। ସେଠାରୁ ରିପୋର୍ଟ ନେଗେଟିଭ ଆସିଲା ପରେ ଜଗତସିଂହପୁର ଜିଲ୍ଲାର ଯୁବ ଇଞ୍ଜିନିୟରଙ୍କୁ ଏସ୍‌ସିବିରୁ ଛାଡ଼ି ଦିଆଯାଇଛି। ସଂପୃକ୍ତ ଯୁବ ଇଞ୍ଜିନିୟର ଚୀନର ରାଜଧାନୀ ବେଜିଂସ୍ଥିତ ଏକ କମ୍ପାନିରେ ଚାକିରି କରିଥିଲେ। ବର୍ତ୍ତମାନ ଏସ୍‌ସିବିର କରୋନା ୱାର୍ଡରେ ଆଉ କୌଣସି ରୋଗୀ ନାହାନ୍ତି।

ପୂର୍ବରୁ ଚୀନ୍‌ରୁ ଫେରିଥିବା କଟକର ଜଣେ ଛାତ୍ରୀ ଓ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରକ୍ତ ନମୂନାରେ ମଧ୍ୟ ନେଗେଟିଭ୍‌ ରିପୋର୍ଟ ଆସିଥିଲା। ଏସ୍‌ସିବିରୁ ସମସ୍ତ ସଦିଗ୍ଧଙ୍କୁ ଛାଡ଼ି ଦିଆଯିବା ପରେ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ, ଓଡ଼ିଶାକୁ କରୋନା ଭୟ ନାହିଁ।

ସମଗ୍ର ଦୁନିଆରେ କରୋନାଭାଇରସ୍‌ ବ୍ୟାପିବାର ଭୟ ଲାଗି ରହିଥିବା ବେଳେ ନୂଆଦିଲ୍ଲୀରୁ ଆସିଥିବ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଶୁକ୍ରବାର ଓଡ଼ିଶାରେ ପହଞ୍ଚିଥିଲେ। ତିନିଜଣିଆ କେନ୍ଦ୍ରୀୟ ଟିମ୍‌ କଟକ ଏସ୍‌ସିବିରେ ଖୋଲା ଯାଇଥିବା ଆଇସୋଲେସନ୍‌ ଓ୍ଵାର୍ଡ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ଯାଞ୍ଚ କରିଥିଲେ।

ତିନିଜଣିଆ କେନ୍ଦ୍ରୀୟ ଟିମ୍‌ରେ ଡାକ୍ତର ଶିଖା ବର୍ଦ୍ଧନ, ଡାକ୍ତର କପୁର ଚୌଧୁରୀ ଓ ଡାକ୍ତର ଅନୁରାଧା ସୁଲାନିଆ ଥିଲେ। କେନ୍ଦ୍ରୀୟ ଟିମର ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସିବି ସୁପରିଟେନେ୍‌ଡଣ୍ଟ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ, କରୋନାଭାଇରସ୍‌ ପାଇଁ ଖୋଲା ଯାଇଥିବାର ଓ୍ଵାର୍ଡର ମୁଖ୍ୟ ଡା. ମନୋରଞ୍ଜନ ପଟ୍ଟନାୟକ ଓ ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ପ୍ରମୁଖ ଥିଲେ।

ସମ୍ବନ୍ଧିତ ଖବର