ହକର୍ ବି କରୋନା ଯୋଦ୍ଧା : ସରକାରଙ୍କ ବାର୍ତା ଲୋକଙ୍କ ପାଖେ ପହଞ୍ଚାଉଛନ୍ତି, ସ୍ବତନ୍ତ୍ର ପ୍ୟାକେଜ୍ ନାହିଁ କି ବୀମା ବ୍ୟବସ୍ଥା ବି

ଭୁବନେଶ୍ବର : କରୋନା ଲକ୍‌ ଡାଉନ୍ ପାଇଁ ଗରିବ ଲୋକଙ୍କ ଜୀବନ, ଜୀବିକା ଭୀଷଣ ଭାବେ ପ୍ରଭାବିତ ହୋଇଛି। ସେମାନଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ପ୍ୟାକେଜ୍ ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସହାୟତା ‌ଦିଆଯାଉଛି। କିନ୍ତୁ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ଖବରକାଗଜ ହକର୍‌ମାନଙ୍କ କଥା ସରକାର ଏ ଯାଏ ଆଦୌ ଚିନ୍ତା କରି ନାହାନ୍ତି। ଫଳରେ ରାଜ୍ୟରେ ପାଖାପାଖି ୩୦ ହଜାର ହକର୍‌ ଓ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସ୍ବାଭାବିକ।

କରୋନା ସଚେତନତା ସୃଷ୍ଟି ଦିଗରେ ଦେଶ ଯେଉଁ କିଛି କ୍ଷେତ୍ରର ପ୍ରମୁଖ ଭୂମିକା ନେଉଛନ୍ତି, ତାହା ଭିତରେ ଖବରକାଗଜ ଅନ୍ୟତମ। ତେଣୁ କରୋନା ସମୟରେ ଖବରକାଗଜ ପ୍ରକାଶନ ଓ ବିତରଣ ଜାରି ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହିଛନ୍ତି। ଖବରକାଗଜ ପ୍ରକାଶନୀ ଏକ ଅତ୍ୟାବଶ୍ୟକ ସେବା ହୋ‌ଇଥିବାରୁ ତାହାକୁ ଲକ୍‌ ଡାଉନ୍‌କୁ ବାଦ୍ ଦିଆଯାଇଛି। ଖବରକାଗଜ ଛପା ହେଲା ପରେ ଲୋକଙ୍କ ନିକଟରେ ତାହାକୁ ପହଞ୍ଚାଇବାର ଗୁରୁ ଦାୟିତ୍ବ ବହନ କରୁଛନ୍ତି ହକର୍‌ମାନେ। କରୋନା ପରି ମହାମାରୀ ସମୟରେ ମଧ୍ୟ ବହୁ ହକର୍‌ ଲୋକଙ୍କ ହାତ ପାହାନ୍ତାରେ ଖବରକାଗଜ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହକର୍‌ମାନେ ଯେପରି ସକାଳୁ ଖବରକାଗଜ ବାଣ୍ଟିପାରିବେ, ସେଥି ପାଇଁ ସରକାର ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି। କରୋନା ସମୟରେ କେହି ଘରୁ ବାହାରୁ ନ ଥିଲା ବେଳେ ହକର୍‌ମାନେ ଭୋର୍‌ରୁ ଅଧିକାଂଶ ସ୍ଥାନରେ ଖବରକାଗଜ ପହଞ୍ଚାଉଛନ୍ତି।

ରାଜ୍ୟରେ ହକର୍‌ମାନଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନୁହେଁ। ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ପାଇଁ ସରକାର କୌଣସି ପ୍ରୋତ୍ସାହନର ବ୍ୟବସ୍ଥା କରି ନାହାନ୍ତି। ପୂର୍ବରୁ ଅନେକ ଥର ସେମାନଙ୍କ ସାମାଜିକ ସୁରକ୍ଷା କଥା ଚିନ୍ତା କରିବାକୁ ଦାବି ଉଠିଛି। ବିଭିନ୍ନ ସମୟରେ ସରକାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉ ନାହିଁ। ଏବେ ଚାଲିଥିବା କରୋନା ମୁକାବିଲାରେ ହକର୍‌ମାନେ ମଧ୍ୟ ଯୋଦ୍ଧା ସାଜିଛନ୍ତି। ଏହି ସମୟରେ ବି ସରକାର ସେମାନଙ୍କ ଅଣଦେଖା କରିବାକୁ ସମସ୍ତେ ନାପସନ୍ଦ କରିଛନ୍ତି।

ଦେଶ ଓ ରାଜ୍ୟରେ କରୋନା ପାଇଁ ପ୍ରଭାବିତ ହୋଇଥିବା ବିଭିନ୍ନ କ୍ଷେତ୍ରର ଅସହାୟ ଗରିବ ଲୋକଙ୍କୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। କାହାକୁ ସିଧାସଳଖ ଆର୍ଥିକ ପ୍ୟାକେଜ୍ ଦିଆଯାଇଛି ତ କାହାକୁ ସ୍ବାସ୍ଥ୍ୟ ବୀମା ଦିଆଯାଇଛି। କିନ୍ତୁ ହକର୍‌ମାନଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ ଉନ୍ନତି ପାଇଁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଣରେ ସାମିଲ୍‌ ଥିବା ହକର୍‌ମାନଙ୍କ କଥା ସରକାର ଗୁରୁତର ସହ ଚିନ୍ତା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର