ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ଗୋଟିଏ ଦିନରେ ୧୦୦ ପଜିଟିଭ୍ ସହ ୧୦୦୦ ଛୁଇଁଲା

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ୧୦୦ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ଖୋର୍ଦ୍ଧା ଗ୍ରାମାଂଚଳର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁଛି ।

ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ସକାଳ ସୁଦ୍ଧା ୧୦୦ଜଣ ଚିହ୍ନଟ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ପୌରାଂଚଳର ୪ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ବରୁଣେଇ ଶବର ସାହିର ଜଣେ ୫୯ ବର୍ଷୀୟ ମହିଳା ଓ ୨୪ ବର୍ଷୀୟ ଯୁବକ । ପଲ୍ଲାର ୪୫ ବର୍ଷୀୟ ପୁରୁଷ, ପୁବୁସାହି-ବଡ଼ସାହିର ୪୦ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଥିବା ଜଣାଯାଇଛି । ଅନ୍ୟ ସଂକ୍ରମିତଙ୍କ ମଧ୍ୟରେ ଟାଙ୍ଗୀରୁ ୧୯, ବାଲୁଗାଁରୁ ୯, ବାଲିପାଟଣାରୁ ୨, ବାଣପୁରରୁ ୧୬, ବୋଲଗଡ଼ରୁ ୧୯, ବାଳକାଟିରୁ ୧୦, ମେଣ୍ଢାଶାଳରୁ ୫, ବେଗୁନିଆ ଓ ଜଟଣୀରୁ ୮ଜଣ ଲେଖାଏଁ ପଜିଟିଭଙ୍କ ଚିହ୍ନଟ କରାଯାଇଛି ।

ଚଳିତ ମାସରେ ୧ ତାରିଖ ଠାରୁ ୧୫ ତାରିଖ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆପାତତଃ କମ ରହିଥିଲା । ୧ ତାରିଖରୁ ୧୫ ତାରିଖ ମଧ୍ୟରେ ୧୦୭ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତୃତୀୟ ସପ୍ତାହରେ ଏହି ସଂଖ୍ୟା ୧୪୫ ହୋଇଥିଲା । ଶେଷ ସପ୍ତାହରେ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ୨୩ ତାରିଖରୁ ଆଜି ଯାଏଁ ମୋଟ ୩୫୪ଜଣ ସଂକ୍ରମିତ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ମଧ୍ୟରେ ୮୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି ।

ଏନେଇ ଡା. ବିଶ୍ୱରଂଜନ ପତି କହିଛନ୍ତି ଯେ ଜିଲ୍ଲା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ)ରେ ମୋଟ ସଂକ୍ରମଣ ସଂଖ୍ୟା ଆଜି ସକାଳ ସୁଦ୍ଧା ରହିଛି । ଆଜି ରାତିର ସୂଚନା ହସ୍ତଗତ ହୋଇନାହିଁ। ବର୍ତମାନ ସୁଦ୍ଧା ୫୬୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୬ଜଣ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର