ଓଡ଼ିଶାରେ କରୋନା ଭୟ : ନଜରରେ ୫୪ଜଣ

ଭୁବନେଶ୍ବର : ବିଶ୍ବବ୍ୟାପୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦେଶରେ ଏ ପର୍ଯ୍ୟନ୍ତ ୩ଜଣଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ତେବେ କରୋନା ଭୂତାଣୁ ସନ୍ଦେହରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୪ଜଣଙ୍କୁ ନଜରରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିବା ବେଳେ ୫୧ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୭ଟି ନମୁନା ସଂଗ୍ରହ କରାଯାଇଥିଲା। ସେ ସମସ୍ତ ନମୁନା ନେଗେଟିଭ୍ ରହିଛି। କରୋନା ପାଇଁ ଟିକା ଉପଲବ୍ଧ ହେଉ ନ ଥିବାରୁ ଏଥିପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ନିକଟରେ ରାଜ୍ୟର ସବୁ ସ୍କୁଲକୁ କରୋନା ସଂପର୍କିତ ଗାଇଡଲାଇନ୍ ପଠାଇ ଦିଆଯାଇଛି। ଏହାସହ ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ ଓ ରେଡିଓ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଉଛି। ସେହିପରି ରାଜ୍ୟସ୍ତରରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର