ଲଢ଼େଇ ଆହୁରି ଲମ୍ବା : ‘ଆପଣ ବାହାରକୁ ନଗଲେ କରୋନା ଘରକୁ ଯିବନି’

ଦେଶରେ ସଂକ୍ରମଣ ଏବେ ଶୀର୍ଷରେ ଅଛି
ଆଗାମୀ ୨୫ ଦିନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ
ମୌସୁମୀ ଆସୁଥିବାରୁ ସତର୍କ ରହିବାକୁ ପଡ଼ିବ

ଭୁବନେଶ୍ବର : କରୋନା ବିପଦ ଟଳିନି। ସାରା ଦେଶରେ ସଂକ୍ରମଣ ଏବେ ଶୀର୍ଷରେ ଅଛି। ତେଣୁ କରୋନା ବିରୋଧରେ ଲଢ଼େଇ ଆହୁରି ଲମ୍ବା ଚାଲିବ। ଏଥିପାଇଁ ଆମକୁ ଆତ୍ମସଂଯମ ଅବଲମ୍ବନ କରିବା ସହିତ ଅଧିକ ସତର୍କ ରହିବାକୁ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏଭଳି ବାର୍ତ୍ତା ଦେଇଛନ୍ତି।

ଜୁନ୍‌ ମାସରେ ରାଜ୍ୟ ସରକାର ଲକ୍‌ଡାଉନ୍‌କୁ କଠୋର କଲା ପରେ ଏବଂ ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍ ଘୋଷଣା କଲା ପରେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଲେ ଯେ ଏବେ ୫ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଘରକୁ ଫେରିବା ପ୍ରକ୍ରିୟା ଚାଲୁ ରହିଛି। ପୁଣି ଜୁନ୍ ୧୦ରୁ ମୌସୁମୀ ବର୍ଷ ଆରମ୍ଭ ହେଉଛି। ମୌସୁମୀ ଆସିଲେ ଥଣ୍ଡା, କାଶ ଜ୍ବର ବିଶେଷ ଭାବେ ଦେଖାଯାଏ। ତେଣୁ ଆସନ୍ତା ୨୫ ଦିନ ଆମ ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ସମୟକୁ ଆମେ ଯେପରି ପରିଚାଳନା କରିବା, ତାହା ଉପରେ କରୋନା ଲଢ଼େଇରେ ଆମ ସଫଳତ‌ା ନିର୍ଭର କରୁଛି । ଜୁନ୍ ମାସ ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ। ସେ ଆହୁରି କହିଲେ, କରୋନା ଲଢ଼େଇ ଲମ୍ବା ଲଢ଼େଇ। କରୋନାର ଟିକା କିମ୍ବା ଔଷଧ ଏ ପର୍ଯ୍ୟନ୍ତ ଆସିନାହିଁ। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଲକ୍‌ଡାଉନ୍ କୋହଳ ହେଲା ମାନେ ନୁହେଁ ‌ଯେ କରୋନା ଚାଲିଗଲା। ଏ ଭୁଲ୍‌ କରନ୍ତୁ ନାହିଁ। କରୋନା ସଂକ୍ରମଣ ବର୍ତ୍ତମାନ ଅଧିକ ରହିଛି। ୧୫ ଦିନ ତଳେ ଆମ ଦେଶରେ ଦିନକୁ ୩ ହଜାର ଲୋକ ସଂକ୍ରମିତ ହେଉଥିଲେ। ଆଜି ଏହି ସଂଖ୍ୟା ପାଖାପାଖି ୧୦ ହଜାରରେ ପହଞ୍ଚିଲାଣି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି।

WBUR

କରୋନା ମୁକାବିଲାରେ ଜୁନ୍ ମାସ ପାଇଁ ସରକାର କରିଥିବା ରଣନୀତିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ମୋର ସାଢ଼େ ଚାରି କୋଟି ଭାଇଭଉଣୀଙ୍କ ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆପଣମାନଙ୍କ ବାହାରକୁ ଆସିବା‌ କମ୍ କରିବା ପାଇଁ ଆମେ ଲକ୍‌ଡାଉନ୍, ସଟ୍‌ଡାଉନ୍ କରୁଛୁ। ଆମର ୧୧ଟି ଜିଲ୍ଲାରେ ଚଳିତ ଜୁନ୍ ମାସର ସବୁ ଶନିବାର ଓ ରବିବାର ସଟ୍‌ଡାଉନ୍ କରିବା ପାଇଁ ନିଷ୍ପତ୍ତି କରିଛୁ। ଜୁନ୍ ମାସରେ ସପ୍ତାହକୁ ଦୁଇ ଦିନ। ମାସକୁ ଆଠ ଦିନ ସଟ୍‌ଡାଉନ୍। ତାହାର ଅର୍ଥ ଆମେ ପୂରା ୮ ଦିନ ଘରେ ରହିବା, ବାହାରକୁ ଯିବା ନାହିଁ। ଏଥିରେ ଆମର ଲାଭ ହେଉଛି ଯେ ଆମେ ପୂରା ୮ ଦିନ କରୋନା ସଂକ୍ରମଣରୁ ଦୂରରେ ରହିବା। ସେହିପରି ପ୍ରତିଦିନ ରାତି ୭ଟାରୁ ଭୋର୍‌ ୫ଟା ପୂରା ୧୦ ଘଣ୍ଟା କର୍ଫ୍ୟୁ କରାଯାଉଛି। ୩୦ ଦିନରେ ୩୦୦ ଘଣ୍ଟା। ତେଣୁ ସଟ୍‌ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ମିଶି ଜୁନ୍ ମାସରେ ଆମେ ପୂରା ୧୭ ଦିନ ଘରେ ରହିବା। ଏହା ଦ୍ବାରା ସଂକ୍ରମଣ ବହୁ ମାତ୍ରାରେ କମିପାରିବ। ଆ‌ପଣ ବାହାରକୁ ନ ଆସିଲେ, କରୋନା ଆପଣଙ୍କ ଘରକୁ ଯାଇପାରିବ ନାହିଁ।

ଜୀବନ ଓ ଜୀବିକାକୁ ନେଇ ଚାଲିଥିବା ଦ୍ବନ୍ଦ୍ବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସେ କହିଲେ ଯେ ଜୀବନ ଓ ଜୀବିକା ଦୁଇଟି ଯାକ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଆମେ ସୁସ୍ଥ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଉପରେ ମଧ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ହେବ। ଲକ୍‌ଡାଉନ୍ କୋହଳ ହୋଇଛି ଜୀବିକା ପାଇଁ। କିନ୍ତୁ ଜୀବନ ପ୍ରତି ଏହା ଯେପରି ବିପଦ ସୃଷ୍ଟି ନ କରିବ, ସେଥିପାଇଁ ଆମକୁ ସାବଧାନ ରହିବା ଜରୁରୀ। ବର୍ତ୍ତମାନ ପରିସ୍ଥିତିରେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ। ଆମେ ନିଜେ ହିଁ କେବଳ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା।

ରାଜ୍ୟବାସୀଙ୍କୁ ନିବେଦନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଜରୁରୀ କାମ ନ ଥିଲେ ବାହାରକୁ ନ ଯାଇ ଘରେ ରୁହନ୍ତୁ। ଯେତେବେଳେ ବି ବାହାରକୁ ଯାଉଛନ୍ତି, ମୁହଁ‌‌ରେ ମାସ୍କ ନିଶ୍ଚୟ ଲଗାନ୍ତୁ। ଠିକ୍‌ଠାକ୍ ମାସ୍କ ଲଗାଇଲେ କରୋନା ସଂକ୍ରମଣ ୯୦ ପ୍ରତିଶତ କମିଯିବ। ହାଟ, ବଜାର, ଅଫିସ୍‌ ବା ଟ୍ରାଫିକ୍ ସବୁଠାରେ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ। କାରଣ ଆମ ପାଖରେ କିଏ କରୋନା ପଜିଟିଭ୍ ଅଛି, ତାହା ଆମେ ଜାଣିପାରିବା ନାହିଁ। ଆମର ନିଜ ଲୋକ କିଏ କୋଭିଡ୍‌ ହସ୍ପିଟାଲ୍‌କୁ ଯାଉ, ଏହା କେହି କେବେ ଚାହିଁବ ନାହିଁ। ତେଣୁ ଘରକୁ ଫେରିବା ପରେ ଭଲ ଭାବରେ ସାବୁନ୍‌ରେ ୨୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ହାତ ଧୁଅନ୍ତୁ। ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ‌କେବେ ବି ବାହାରକୁ ଛାଡ଼ନ୍ତୁ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍ ଭଲ ଭାବେ ପାଳନ କରନ୍ତୁ। ଦୁଇ ମାସରୁ ଅଧିକ ସମୟ ହେଲା ଲକ୍‌ଡାଉନ୍‌ରେ ଆମେ ସମସ୍ତେ ଯେଉଁ ତ୍ୟାଗ କରିଛେ, ତା’କୁ କେବେ ବି ବିଫଳ ହେବାକୁ ଦେବା ନାହିଁ। ସରକାରଙ୍କ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଥାଉ ବା ନ ଥାଉ, ଆମେ ଯଦି ଆମ ପିଲାଛୁଆ, ବାପା ମା’ଙ୍କ କଥା ଚିନ୍ତା କରି ସେଲ୍‌ଫ୍‌ ଲକ୍‌ଡାଉନ୍‌ରେ ରହିବା, ତେବେ ଆମେ ନିଶ୍ଚିତ ଏ ଯୁଦ୍ଧ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର