ଓଡ଼ିଶାରେ କରୋନା ଭୟ: ନଜରରେ ୨୫, ଏସସିବିରେ ଆଉ ଜଣେ ସନ୍ଦିଗ୍ଧ

ଭୁବନେଶ୍ବର: ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ। ଏ ପର୍ଯ୍ୟନ୍ତ ୨୫ଟି ଦେଶ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୩ଟି କରୋନା ଭୂତାଣୁ ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୩ଜଣ କଟକସ୍ଥିତ ଏସ୍‌ସିବି ମେଡିକାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତି ହୋଇଥିବା ବେଳେ ୨୨ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରୁ ଏ ପର୍ଯ୍ୟନ୍ତ ୬ଟି ନମୁନା ପରୀକ୍ଷା ପାଇଁ ଏନ୍‌ଆଇଭି ପୁନେକୁ ପଠାଯାଇଥିବା ବେଳେ ତହିଁରୁ ୫ ନମୁନା ନେଗେଟିଭ୍ ରହିଛି। ଗୋଟିଏ ନମୁନା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚୀନ୍ ଓ କରୋନା ସଂକ୍ରମିତ ଦେଶରୁ ଫେରିଥିବା ୨୫ଜଣ ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଏସ୍‌ସିବି ମେଡିକାଲର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ୨୨ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରହିଛନ୍ତି। ଯେଉଁ ୧୧ ଜଣଙ୍କ ଉପରେ ବିଶେଷ ଦୃଷ୍ଟି ରଖାଯାଇଛି, ତା ମଧ୍ୟରୁ ୧୦ଜଣ ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ଜଣେ ଏସ୍‌ସିବିରେ ଆଡମିଟ୍ ହୋଇଛନ୍ତି। କରୋନା ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା ବେଳେ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।

ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଅଞ୍ଚଳରେ ଚୀନ୍ ଫେରନ୍ତା ବ୍ୟକ୍ତିମାନଙ୍କ ସଂପର୍କରେ ତଥ୍ୟ ମଗାଯାଇଛି। ଯେହେତୁ ଲୋକମାନେ ନିଜେ ପାସପୋର୍ଟ କରି ବିଦେଶ ଯାଉଛନ୍ତି ତେଣୁ ସବୁ ତଥ୍ୟ ନ ଥାଇପାରେ। ଏଥିରେ କେନ୍ଦ୍ର ସରକାର ମଧ୍ୟ ସହଯୋଗ କରିବା ଆବଶ୍ୟକ। ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଶଯ୍ୟା ଓ ମୁଖ୍ୟ ଡାକ୍ତରଖାନାରେ ୩୦ଟି ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ରର ନିର୍ଦେଶ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏ ସଂପର୍କରେ ତଦାରଖ କରିଛନ୍ତି। ୪୧ଟି ବିମାନ ବନ୍ଦରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍କ୍ରିନିଂ କରାଯାଉଛି। ବିମାନ ବନ୍ଦର କର୍ତୃପକ୍ଷ ମଧ୍ୟ ଥର୍ମାଲ କ୍ୟାମେରାର ବ୍ୟବସ୍ଥା କରିଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୮୪ଟି ଶଯ୍ୟା ରହିଛି ଏହାକୁ ୧୫୦କୁ ବୃଦ୍ଧି କରାଯାଇପାରେ। ୧୩ଜଣ ଚୀନ୍ ଓ ଜଣେ ଥାଇଲାଣ୍ଡ ଯାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ପ୍ରଫେସର ଡା.ମହାନ୍ତି ସୂଚନା ଦେଇଛନ୍ତି।

ହଂକଂରେ ଚାକିରି କରୁଥିଲେ ଜଗତସିଂହପୁରର ଯୁବ ଇଂଜିନିୟର
ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ମୁକ୍ତ

କଟକ: କଟକ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ ଆଜି କରୋନା ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ଆଉ ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜଗତସିଂହପୁର ଅଞ୍ଚଳର ୩୫ ବର୍ଷୀୟ ଏହି ଯୁବ ଇଂଜିନିୟର ହଂକଂରେ ଚାକିରି କରନ୍ତି। ସେ ସେଠାରୁ କୌଣସି କାର୍ଯ୍ୟରେ ଚୀନ ଯାଇଥିଲେ। ଜାନୁଆରି ୨୫ ତାରିଖରେ ସେ ଚୀନରୁ ଫେରିଥିଲେ। ଚୀନରୁ ବେଙ୍ଗାଲୁରୁ ଆସିବା ପରେ ସେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ବେଙ୍ଗାଲୁରରୁ ସେ ବିମାନରେ ଭୁବନେଶ୍ବର ଆସିବା ପରେ କରୋନା ଭାଇରସ୍ ଆକ୍ରାନ୍ତର ସନ୍ଦେହ ହେବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତ ଓ ଲାଳ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷରେ, ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି ଏବେ ବିପଦମୁକ୍ତ। ପୁନେରୁ ରକ୍ତ ନମୁନା ରିପୋର୍ଟ ଆଜି ପହଞ୍ଚି ସାରିଥିବାବେଳେ ଏଥିରେ ନେଗେଟିଭ୍ ଥିବା ନେଇ କଟକ ଏସ୍‌ସିବି କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି। ଏହା ଜାଣିବା ପରେ ୫ ଦିନ ହେଲା ବଡ଼ ଆଶା ଆଶଙ୍କାରେ ଥିବା ମୃତ୍ୟୁଞ୍ଜୟ ଓ ତାଙ୍କର ପରିବାର ଲୋକଙ୍କ ମୁହଁରେ ଖୁସି ଦେଖିବା‌କୁ ମିଳିଛି। ତେବେ, ତାଙ୍କୁ ଆଉ କିଛି ଦିନ ନଜରରେ ରଖି ଛାଡି ଦିଆଯିବ ବୋଲି କଟକ ବଡ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର