ଗଞ୍ଜାମରେ କରୋନା ମହାମାରୀ ବିସ୍ଫୋରକ ସ୍ଥିତିରେ : ପୁଣି ୩୬ ପଜିଟିଭ୍, ସମସ୍ତେ ସୁରତ ଫେରନ୍ତା, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲା

୭ଜଣିଆ ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ କଲେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ବିସ୍ଫୋରକ ସ୍ଥିତିରେ ପହଞ୍ଚିଥିବା ବେଳେ ରାଜ୍ୟରେ କରୋନା ତୃତୀୟ ମୁଣ୍ଡ ନେଇଛି। ଗଞ୍ଜାମ ଜିଲ୍ଲାର ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆଜି ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ଆଜି ପୁଣି ୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛତୁ ଫୁଟିଲା ଭଳି ପ୍ରତିଦିନ ବହୁ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର୍ କରି ୧୨୫ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ୍ ହେଉଛନ୍ତି ସୁରତ ଫେରନ୍ତା। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୪ଟି ମାମଲା ସକ୍ରିୟ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି, ମାତ୍ର ୮ ଦିନ ମଧ୍ୟରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିସାରିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ନଜର ଦେଇଛନ୍ତି। ପୂର୍ବରୁ ୫ ଜଣ ବରିଷ୍ଠ ଓଏଏସ୍‌ ଅଫିସର୍‌ ଓ ୩ଜଣ ଆଇଏଏସ୍‌ ଅଫିସର୍‌ଙ୍କୁ ରାଜ୍ୟ ସରକାର ଜିଲ୍ଲାରେ ନିୟୋଜିତ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ଡା.ବିଜୟ ମହାପାତ୍ରଙ୍କ ନେତୃତ୍ବରେ ୭ଜଣିଆ ବିଶେଷଜ୍ଞ ଦଳ ଗଞ୍ଜାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉକ୍ତ ଟିମ୍‌ରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍‌ଆର୍‌ ଓ ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ରହିଛନ୍ତି। ପୂର୍ବାହ୍ନରେ ଏହି ବିଶେଷଜ୍ଞ ଦଳ ଛତ୍ରପୁର ଯାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ୩ଟି ଟିମ୍‌ରେ ବିଭକ୍ତ ହୋଇ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରାହ୍‌ଣରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ କମ୍ୟୁନିଟି ମେଡିସିନ ବିଭାଗର ଡାକ୍ତର ମାନଙ୍କ ସହ ବିଶଦ୍ ଭାବେ ଆଲୋଚନା କରିଥିଲେ। ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପଦାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ବିଶେଷଜ୍ଞମାନଙ୍କ ପରାମର୍ଶକୁ ଭିତ୍ତି କରି ସବୁ ପ୍ରକାର ପଦକ୍ଷେପ ନିଆଯିବ। ବିଶେଷକରି ସ୍ବାସ୍ଥ୍ୟସେବା ଉପରେ ଏହି ଦଳ ମୂଲ୍ୟବାନ ପରାମର୍ଶ ଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁ ସଂକ୍ରାନ୍ତରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ, ମୃତକ ଜଣକ ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେ ଅନ୍ୟ କିଛି ଔଷଧ ଖାଇଥିବାରୁ ତାଙ୍କର ପ୍ରଥମେ ଲକ୍ଷଣ ବାହାରିଲା ନାହିଁ। ଯେତେ‌ବେଳେ ତାଙ୍କର ଲକ୍ଷଣ ଜଣାପଡ଼ିଲା, ସେତବେଳକୁ ସ୍ଥିତି ଗମ୍ଭୀର ହୋଇସାରିଥିଲା। ଅନ୍ୟପକ୍ଷରେ ପୋଲସରା ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟବରଣ କରିଥିବା ଯୁବକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର