ଭୁବନେଶ୍ବର : ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ କରୋନା ବ୍ୟାପିଛି। ଶେଷ ଜିଲ୍ଲା ଭାବେ ରାୟଗଡ଼ାରେ ଆଜି ଜଣେ ଦିଲ୍ଲୀ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଗତ ଦିନକରେ ୧୬୨ଜଣ ଓ ଆଜି ଖୋର୍ଧା ଜିଲ୍ଲାରେ ୧୯ ଜଣ ପଜିଟିଭ୍ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୦୭କୁ ବୃଦ୍ଧି ପାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୪୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୯୧ଜଣ କରୋନା ରୋଗୀ ମଧ୍ୟ ସୁସ୍ଥ ହେବା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଆଣିଛି।
ଆଜି ମୋଟ ୧୬ଟି ଜିଲ୍ଲାରୁ ୧୬୨ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ ରହିଛନ୍ତି। ଏହାସହ ବାଲେଶ୍ବର ୨୪, ସୋନପୁର ୧୭, ବଲାଙ୍ଗୀର ୧୩, କେନ୍ଦ୍ରାପଡ଼ା ୯, କେନ୍ଦ୍ରାପଡ଼ା ୯, ନୂଆପଡ଼ା ଓ ମୟୂରଭଞ୍ଜରୁ ୮ଜଣ ଲେଖାଏଁ, ଖୋର୍ଧା, ଭଦ୍ରକ, ଅନୁଗୁଳ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ଗଜପତି ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ, ଦେବଗଡ଼, କଳାହାଣ୍ଡି ଓ ରାୟଗଡ଼ାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ୧୩୨ଜଣ ସଙ୍ଗରୋଧ କେନ୍ଦ୍ର ଓ ୧୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ର, ସୁରତ ଓ ପଶ୍ଚିମବଙ୍ଗରୁ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତ କିଛିଦିନ ହେବ ରାଜ୍ୟରେ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଫଳରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି।
ସେହିପରି ରାଜ୍ୟର ୮ଟି ଜିଲ୍ଲାରେ ଶହେରୁ ଅଧିକ କରୋନା ରୋଗୀ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୯୯ ଜଣ ଥିବା ବେଳେ ଯାଜପୁରରେ ୨୯୦, ବାଲେଶ୍ବର ୧୭୮, ଖୋର୍ଧା ୧୮୯, କେନ୍ଦ୍ରାପଡ଼ା ୧୬୧, କଟକ ୧୨୬, ଭଦ୍ରକ ୧୨୩ ଓ ବଲାଙ୍ଗୀରରେ ୧୦୨ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ପୁରୀ ଜିଲ୍ଲା ୯୬, ଜଗତସିଂହପୁର ୮୬ଜଣ ରୋଗୀ ଚିହ୍ନଟ ହେବା ପରେ ଦୁଇ ଜିଲ୍ଲା ଶହେର ନିକଟତର ହୋଇଛନ୍ତି। ରାଜ୍ୟରେ ୨୩୮୮ ଜଣ ରୋଗୀଙ୍କ ମଧ୍ୟରୁ କେବଳ ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୨୦୭୯ ରହିଛି। ମାତ୍ର ୩୦୯ଜଣ ମହିଳା ଚିହ୍ନଟ ହୋଇଛନ୍ତି। ସେହିପରି ୧୫-୪୦ବର୍ଷର ଆକ୍ରାନ୍ତ ସର୍ବାଧିକ ୧୬୪୨ଜଣ ଚିହ୍ନଟ ହୋଇଛନ୍ତି। ୪୧-୬୦ବର୍ଷର ୫୮୬ଜଣ ଥିବା ବେଳେ ୦-୧୪ବର୍ଷର ୭୧ଜଣ ଓ ୬୦ବର୍ଷରୁ ଅଧିକ ୮୯ଜଣ ରହିଛନ୍ତି।
ଅପରପକ୍ଷରେ ଆଜି ରାଜ୍ୟରେ ୯୧ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଦେବଗଡ଼ର ୨୨ଜଣ, ପୁରୀ ୧୬, ନୟାଗଡ଼ ୧୫, ବଲାଙ୍ଗୀର ୯, ଅନୁଗୁଳ ଓ ବାଲେଶ୍ବର ୫ଜଣ ଲେଖାଏଁ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, କଟକ, ଗଞ୍ଜାମ, ଖୋର୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ଜଣ ଲେଖାଏଁ, ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪୧୬ରେ ପହଞ୍ଚିଛି। ରାଜ୍ୟରେ ଏବେ ୯୬୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୨୪ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଯାହାକି ରାଜ୍ୟର ପରୀକ୍ଷା କ୍ଷମତାଠାରୁ ଯଥେଷ୍ଟ କମ୍ ରହିଛି। ସମୁଦାୟ ଭାବେ ରାଜ୍ୟରେ ୧ଲକ୍ଷ ୬୨ହଜାର ୮୯୧ ନମୁନା ଏ ପର୍ଯ୍ୟନ୍ତ ପରୀକ୍ଷା ହୋଇସାରିଛି।
ଖୋର୍ଧା ଜିଲ୍ଲାରେ ଆଉ ୧୯ ଆକ୍ରାନ୍ତ
ଖୋର୍ଧା : ଖୋର୍ଧା ଜିଲ୍ଲାରେ ଆଜି ଆଉ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟ୍ବିଟ୍ର ଜରିଆରେ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ତେବେ ଚିହ୍ନଟଙ୍କ ମଧ୍ୟରୁ କେତେ ଜଣ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଓ ଖୋର୍ଧା ଉପଖଣ୍ତରେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବରଂଜନ ପତିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, ଆଜି ଜିଲ୍ଲାର ୧୯ ଜଣଙ୍କର ନମୁନା ପଜିଟିଭ୍ ଆସିଛି। ଯେଉଁ ସ୍ବାବ୍ ନମୁନା ଆଇସିଏମ୍ଆର୍ ଓ ଏମ୍ସକୁ ପଠାଯାଇଥାଏ ସେଠାରୁ ସୂଚନା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଯାଇଥାଏ। ସେଠାରୁ ସଂକ୍ରମିତଙ୍କ ସବିଶେଷ ଠିକଣା ସହ ପୁଣି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଥାଏ। ଅନେକ ସମୟରେ ସମସ୍ତ ସଂକ୍ରମିତଙ୍କ ଠିକଣାରେ କେବଳ ସ୍ବାବ୍ ସଂଗ୍ରହ କେନ୍ଦ୍ରର ନାମ ଓ ଖୋର୍ଦ୍ଧା ବୋଲି ସୂଚିତ ହେଉଥିବାରୁ ସଂକ୍ରମିତଙ୍କ ସଂପୂର୍ଣ୍ଣ ଠିକଣା ହଠାତ୍ ଜଣାପଡ଼େ ନାହିଁ। ଏ ନେଇ ତଥ୍ୟର ବିଭାଜନ କରିବା ପରେ ସକାଳୁ ସଂକ୍ରମିତ ତଥ୍ୟ ପ୍ରକାଶ କରାଯିବ।