ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା କାଜୁଆଲିଟି‌ରେ ଖୋଲା ଯାଇଥିବା କରୋନା ୱାର୍ଡ଼ରେ ମେକ୍ସିକୋରୁ ଫେରିଥିବା ଜଣେ ଯୁବକଙ୍କୁ ଆଜି ଭର୍ତ୍ତି କରାଯାଇଛି। ତାଙ୍କୁ ଜ୍ବର ଓ ଥଣ୍ଡା ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଯୁବକ ଜଣକ ମେକ୍ସି‌କୋରେ କାମ କରୁଛନ୍ତି। ଦେହ ଅସୁସ୍ଥ ହେବାରୁ ସେ ଭାରତ ଫେରିଥିଲେ। ଗତ କିଛିଦିନ ତଳେ ନିଜ ଘର ଗଞ୍ଜାମ ଜିଲ୍ଲାକୁ ଆସିଥିଲେ। ପୁଣିଥରେ ତାଙ୍କୁ ଜ୍ବର ହେବାରୁ ଆଜି ସଂଧ୍ୟାରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆସିଛନ୍ତି। କାଉନ୍‌ସେଲିଂ ପରେ କରୋନା ସନ୍ଦେହରେ ତାଙ୍କୁ କାଜୁଆଲିଟିରେ ଥିବା ଆଇସୋଲେସନ୍‌ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା କାଲି ସ୍ବାବ ସଂଗ୍ରହ କରାଯିବ। ସେପଟେ ଗତ ଦୁଇଦିନ ତଳେ ହିଂଜିଳିକାଟୁ ଅଞ୍ଚଳର ଗୋଟିଏ ପରିବାରର ୩ଜଣଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା। ଆଜି ସ୍ବାମୀ, ସ୍ତ୍ରୀଙ୍କ ନମୁନା ନେଗେଟିଭ୍‌ ଆସିଥିବା ବେଳେ ପୁଅର ରିପୋର୍ଟ ଆସି ନାହିଁ ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ପରିବାର ଗତ କିଛିଦିନ ତଳେ ମୁମ୍ବାଇରୁ ଫେରିଥିଲେ।