ରାଜ୍ୟର ସବୁ ଜିଲ୍ଲା ୧୦୦ ପାର୍‌, ଦିନକରେ ୧୭୩୪ ପଜିଟିଭ୍ ଚିହ୍ନଟ

ପୁଣି ୧୩ ମୃତ, ମୋଟ ୨୭୪, ଆଉ ୧୫୪୩ ସୁସ୍ଥ
ପୁଣି ଗଞ୍ଜାମକୁ ଟପିଗଲା ଖୋର୍ଧା, ନିୟନ୍ତ୍ରଣକୁ ଆସିପାରୁନି ରାଜଧାନୀରେ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାରେ ଏବେ ଶହେରୁ ଅଧିକ ରୋଗୀ। ଶେଷ ଜିଲ୍ଲା ଭାବେ ଦେବଗଡ଼ରେ ଗତ ୨୪ ଘଣ୍ଟାରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ରେ ପହଞ୍ଚି ଯାଇଛି। ଯଦିଓ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ କରୋନା ଅତି ଦ୍ରୁତି ଗତିରେ ବଢ଼ୁଛି, ଏହା ସତ୍ତ୍ବେ ଅନ୍ୟ ଜିଲ୍ଲାଗୁଡ଼ିକ ସଂକ୍ରମଣରେ ପଛରେ ନାହାନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ସମାନ୍ତରାଳ ଭାବେ ଅନ୍ୟ ଜିଲ୍ଲାଗୁଡ଼ିକୁ କବ୍‌ଜା କରିବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ଅପରପକ୍ଷରେ ଖୋର୍ଧା ଜିଲ୍ଲା ଏବେ ଦିନିକିଆ ପଜିଟିଭ୍ ଓ ସକ୍ରିୟ ରୋଗୀଙ୍କ କ୍ଷେତ୍ରରେ ଗଞ୍ଜାମକୁ ପଛରେ ପକାଇ ଦେଇଛି। ଗତ ୩ ଦିନ ଧରି ଏଭଳି ଧାରା ଦେଖିବାକୁ ମିଳିଛି। ତେବେ ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ଖୋର୍ଧାରେ ଚିହ୍ନଟ ରୋଗୀଙ୍କ ଭିତରେ ବଡ଼ଧରଣର ତଫାତ୍ ଦେଖିବାକୁ ମିଳିଛି।

New Indian Express

ଖୋର୍ଧା ଜିଲ୍ଲା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ଭୁବନେଶ୍ବର। ରାଜଧାନୀରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରୁନାହିଁ। ବସ୍ତି ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଫଳପ୍ରଦ ହେଉଥିବା ଦେଖିବାକୁ ମିଳୁନାହିଁ। ଆସନ୍ତା କିଛି ଦିନ ପାଇଁ ଯଦି ଏଭଳି ଧାରା ବଜାୟ ରହିବ, ତାହାଲେ ଖୋର୍ଧା ଜିଲ୍ଳା ଗଞ୍ଜାମକୁ ମଧ୍ୟ ସଂଖ୍ୟା ଦୃଷ୍ଟିରୁ ପଛରେ ପକାଇ ଦେଇପାରେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୧୩ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି, ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ ରହିଛି। ଏଥିରେ ଗଞ୍ଜାମର ସର୍ବାଧିକ ୬ଜଣ ରହିଛନ୍ତି। ୧୩ ମୃତକଙ୍କ ମଧ୍ୟରେ ୮ଜଣ ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ ଭଳି ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟ ୫ଜଣ କେବଳ କରୋନା ଭୂତାଣରୁ ଶିକାର ହୋଇଥିବା କୁହାଯାଉଛି।

ଗଞ୍ଜାମର ୬୫ ବର୍ଷର ପୁରୁଷ, ୪୦ ବର୍ଷର ପୁରୁଷ, ୬୦ ବର୍ଷର ମହିଳା, ୬୬ ବର୍ଷର ପୁରୁଷ, ୩୭ ବର୍ଷର ଯୁବକ ଓ ୫୦ ବର୍ଷର ପୁରୁଷ ପ୍ରାଣ ହରାଇଛନ୍ତି। କୋରାପୁଟର ୪୭ ବର୍ଷ ଓ ୬୫ ବର୍ଷର ପୁରୁଷ, ଖୋର୍ଧାର ୬୦ ବର୍ଷର ପୁରୁଷ, ଭୁବନେଶ୍ବର ୫୨ ବର୍ଷର ପୁରୁଷ, ନୟାଗଡ଼ର ୬୦ ବର୍ଷର ପୁରୁଷ ଓ ବାଲେଶ୍ବର ୮୧ ବର୍ଷର ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି। ଅପରପକ୍ଷରେ ପୁରୀ ଜିଲ୍ଲାର ୩୨ବର୍ଷର କରୋନା ସଂକ୍ରମିତ କାର୍ଡିଓମାଇଓପ୍ୟାଥି ଓ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଅଣ କରୋନା ମୃତ୍ୟୁ ୪୯ରେ ପହଞ୍ଚିଛି।

 

ଗଞ୍ଜାମରେ ଜିଲ୍ଲାରେ ସର୍ବାଧିକ ୧୩୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାବାଦ୍ ଖୋର୍ଧାରେ ୩୫, ସୁନ୍ଦରଗଡ଼ ୧୭, ଗଜପତି ୧୬, କଟକ ୧୧ ଓ ରାୟଗଡ଼ା ୧୦ ରାଜ୍ୟର ସର୍ବାଧିକ କରୋନା ମୃତ୍ୟୁ ଜିଲ୍ଲା ପାଲଟିଛି। ସମୁଦାୟ ଭାବେ ରାଜ୍ୟର ୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇସାରିଲାଣି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୩୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ୩୪୨, ଗଞ୍ଜାମ ୨୨୨, କଟକ ୧୭୭, ସୁନ୍ଦରଗଡ଼ ୧୨୬, ନୟାଗଡ଼ ୧୦୬, ଗଜପତି ୮୫, ବାଲେଶ୍ବର ୭୩, କୋରାପୁଟ ୬୦, କନ୍ଧମାଳ ୫୯, ଭଦ୍ରକ ୫୮, ପୁରୀ ୫୫, ମାଲାକାନଗିରି ୫୨, ବରଗଡ଼ ୫୧, ଯାଜପୁର ୩୮, ଢେଙ୍କାନାଳ ୨୯, କେନ୍ଦୁଝର ୨୭, କଳାହାଣ୍ଡି ୨୪, ନୂଆପଡ଼ା ୨୨, ରାୟଗଡ଼ା ୧୮, ସମ୍ବଲପୁର ୧୪, ନବରଙ୍ଗପୁର ଓ ସୋନପୁର ୧୩ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବଲାଙ୍ଗୀର ୬ଜଣ ଲେଖାଏଁ, ଦେବଗଡ଼ ୫, ଅନୁଗୁଳ ୪ ଓ କେନ୍ଦ୍ରାପଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରନ୍ତଙ୍କ ମଧ୍ୟରୁ ୧୦୭୫ଜଣ ସଙ୍ଗରୋଧରୁ ଓ ୬୫୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ରେ ପହଞ୍ଚିଛି। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୫ ରହିଛି। ଖୋର୍ଧା ୬୪୪୫, କଟକ ୩୧୩୦, ସୁନ୍ଦରଗଡ଼ ୨୨୩୬, ଗଜପତି ୧୯୮୯, ଯାଜପୁର ୧୬୦୧, ରାୟଗଡ଼ା ୧୪୭୯, ବାଲେଶ୍ବର ୧୩୯୧, ପୁରୀ ୧୨୭୩, କୋରାପୁଟ ୧୨୦୪, କେନ୍ଦୁଝର ୧୦୩୮, ନୟାଗଡ଼ ୧୦୦୯ ଓ ସମ୍ବଲପୁର ୧୦୦୧ ପଜିଟିଭ୍‌ ସହ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ସ୍ଥାନ ପାଇଛନ୍ତି।

ଅପରପକ୍ଷେ ଆଜି ରାଜ୍ୟରେ ୧୫୪୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମର ୪୦୨, ଖୋର୍ଧା ୨୧୦, କଟକ ୧୩୧, କୋରାପୁଟ, ୧୨୮, ଗଜପତି ୧୧୧, ‌ବାଲେଶ୍ବର ୮୩, ଯାଜପୁର ୫୮, ସମ୍ବଲପୁର ୪୯, ମାଲକାନଗିରି ୪୭, କନ୍ଧମାଳ ୪୬,ରାୟଗଡ଼ା ୩୫, ନୟାଗଡ଼ ୩୩, ଭଦ୍ରକ ୩୧, ଜଗତ୍‌ସିଂହପୁର ୨୭, କଳାହାଣ୍ଡି ୨୫, କେନ୍ଦୁଝର ୨୩, ଢେଙ୍କାନାଳ ୨୧, ନବରଙ୍ଗପୁର ଓ ମୟୂରଭଞ୍ଜ ୧୫ଜଣ ଲେଖାଏଁ, ପୁରୀ ୧୪, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୧୦ଜଣ ଲେଖାଏଁ, ସୋନପୁର ୭, ଝାରସୁଗୁଡ଼ା ୫, ସୁନ୍ଦରଗଡ଼ ୪, ବରଗଡ଼ ୨ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୧୭୮୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର