ସ୍ଥିତି ସାଂଘାତିକ : ଦିନକରେ ଅର୍ଧଶତକ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୭୦ ଛୁଇଁଲା

ଗଞ୍ଜାମରୁ ୪୩, କେନ୍ଦ୍ରାପଡ଼ା ୫, ଭଦ୍ରକ ୩, ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ବର/ବ୍ରହ୍ମପୁର/କେନ୍ଦ୍ରାପଡ଼ା/ଭଦ୍ରକ : ସୁରତ ଫେରନ୍ତାଙ୍କୁ ନେଇ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅର୍ଧଶତକ ପାରି ହୋଇଯାଇଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୫୨ଦିନର ଇତିହାସରେ ଆଜି ସର୍ବାଧିକ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କୋକୁଆ ଭୟ ଖେଳିଯାଇଛି। ସେଥିରୁ କେବଳ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନିଜାମୁଦ୍ଦିନ ଫେରନ୍ତା, ପରେ କୋଲକାତା ଫେରନ୍ତା, ଆଉ ଏବେ ସୁରତ ଫେରନ୍ତା ରାଜ୍ୟର କରୋନା ଚିତ୍ରକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛନ୍ତି। ଆଜିର ସଂକ୍ରମିତ ସଂଖ୍ୟାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ରେ ପହଞ୍ଚିଛି।

ସୁରତରୁ ପ୍ରବାସୀ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି। ଗତକାଲି ଗଞ୍ଜାମ ଜିଲ୍ଲାରେ ୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୪୩ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କେନ୍ଦ୍ରାପଡ଼ାରୁ ୫, ଭଦ୍ରକରେ ୩ ଓ ଖୋର୍ଧା ଜିଲ୍ଲାରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେବଳ ଖୋର୍ଧା ଜିଲ୍ଲାର ସଂକ୍ରମିତଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସଂକ୍ରମିତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି। କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ସୁରତ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ୪୩ ଜଣଙ୍କ ମଧ୍ୟରୁ ୪୨ଜଣ ସୁରତରୁ ଫେରିଥିବା ବେଳେ ଜଣେ କେରଳରୁ ଫେରିଛନ୍ତି। ତହିଁରୁ ୧୯ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୮, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧ ଓ ୫୮ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସଂଧ୍ୟାରେ ଚିହ୍ନଟ ହୋଇଥିବା ୨୪ ସଂକ୍ରମିତଙ୍କ ବୟସ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମିତ ସଂଖ୍ୟା ୭୧ରେ ପହଞ୍ଚିଛି। ଯାହାକି ରାଜ୍ୟରେ ସର୍ବାଧିକ। ସେହିପରି କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଓ ୩୧ ରହିଥିବା ବେଳେ ସମୁଦାୟ ୮ରେ ପହଞ୍ଚିଛି। ଏହାସହ ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ବ୍ୟକ୍ତିଙ୍କ ବୟସ ୨୧, ୪୧ ଓ ୩୩ବର୍ଷ ରହିଛି। ସମୁଦାୟ ୨୪ ଆକ୍ରାନ୍ତଙ୍କୁ ନେଇ ଭଦ୍ରକ ଜିଲ୍ଲା ସଂକ୍ରମିତ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

ଅପରପକ୍ଷରେ ଖୋର୍ଧା ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଜଣକ ମୁମ୍ବାଇର ଜଣେ ଟ୍ରକ୍ ଡ୍ରାଇଭର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୪୨ ବର୍ଷର ଏହି ଡ୍ରାଇଭର ଜଣକ ନିକଟରେ ଏକ ଦୁର୍ଘଟଣା‌ର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଦକ୍ଷିଣ ଭାରତୀୟ ଅଞ୍ଚଳ ଦେଇ ଗାଡ଼ି ନେଇ ଆସିଥିବାରୁ ସନ୍ଦେହରେ ତାଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା ଓ ଆଜି ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ବାହାର ରାଜ୍ୟର ହୋଇଥିବା କାରଣରୁ ରାଜ୍ୟ ସରକାର ନିଜ ତାଲିକାରେ ତାଙ୍କୁ ସ୍ଥାନ ଦିଆଯାଇନାହିଁ। ସଂପୃକ୍ତ ବ୍ୟକ୍ତିଜଣକ ମହାରାଷ୍ଟ୍ର ରାଜ୍ୟ ତାଲିକାରେ ଗଣାଯିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୨୭୧ ବଦଳରେ ୨୭୦ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ଆଜି ରାଉରକେଲାର ଜଣେ ସଂକ୍ରମିତ ସୁସ୍ଥ ହେବା ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏବେ ୬ଜଣ ବ୍ୟକ୍ତି ସୁସ୍ଥ ହୋଇସାରିଲେଣି।

ସମ୍ବନ୍ଧିତ ଖବର