କରୋନା ମୁକାବିଲା ପାଇଁ ଭୁବନେଶ୍ବର ବିମାନବନ୍ଦରରେ ଜୋରଦାର୍‌ ପ୍ରସ୍ତୁତି : ନିକଟରେ ବିଦେଶ ଯାଇଥିଲେ ବି ହେବ ସ୍କ୍ରିନିଂ

ଭୁବନେଶ୍ବର : ଅନ୍ୟ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରରେ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେପରି କୌଣସି ଆକ୍ରାନ୍ତ ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଓଡ଼ିଶାରେ ପ୍ର‌ବେଶ କରିପାରିବେନି ସେଥିପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଦୁଇ ସପ୍ତାହ ହେଲା କେବଳ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କର ଥର୍ମାଲ ସ୍କାନରରେ ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଉଭୟ ଟି-୧ ଓ ଟି-୨ ଟର୍ମିନାଲରେ ଏହି ସ୍କ୍ରିନିଂ ହେଉଛି।

ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓଙ୍କ ସୂଚନା ଅନୁଯାୟୀ, ଯେଉଁ ଯାତ୍ରୀମାନେ ନିକଟ ଅତୀତରେ ବିଦେଶ ଗସ୍ତ କରିଥିବେ, ସେମାନଙ୍କର ସ୍କ୍ରିନିଂ କରାଯାଉଛି। ଯାତ୍ରୀମାନଙ୍କୁ ବିମାନରେ ଏକ ଫର୍ମ ଦିଆଯାଉଛି। ସେମାନେ ଏଥିରେ ସେମାନଙ୍କର ସବିଶେଷ ତଥ୍ୟ ପୂରଣ କରି ଦେବେ। ଏଥିରେ ସେମାନେ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ସୂଚନା ଓ ବ୍ୟକ୍ତିଗତ ସୂଚନା ବି ଦେବେ। ବିମାନବନ୍ଦର ଛାଡ଼ିବା ପୂର୍ବରୁ ଏହି ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ବିମାନ ଭିତରେ ଫର୍ମ ପାଇ ନଥିବେ, ସେମାନଙ୍କୁ ଟର୍ମିନାଲରେ ଫର୍ମ ଦିଆଯିବ।

ଥର୍ମାଲ ସ୍କାନର୍‌ରେ ସ୍କ୍ରିନିଂ ପାଇଁ ଟର୍ମିନାଲ ପରିସରରେ ଏକ ସ୍ବତନ୍ତ୍ର ରୁମ୍ ହୋଇଛି। ବିମାନବନ୍ଦର ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ମୁତୟନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଆମେ ସବୁ ପ୍ରକାରର ବ୍ୟବସ୍ଥା କରିଛୁ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର