୪୮ ଘଣ୍ଟାରେ ରାଜ୍ୟରେ ୨୦୪୦ ନମୁନା ପରୀକ୍ଷ‌ା, ଚିହ୍ନଟ ହୋଇ ନାହାନ୍ତି ଜଣେ ବି କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଗତ ୪୮ଘଣ୍ଟା ଭିତରେ ଜଣେ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ଗୋଟିଏପଟେ କୋଭିଡ୍‌ ନମୁନା ପରୀକ୍ଷା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ଚିହ୍ନଟ ନ ହେବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଗତ ଦୁଇ ଦିନରେ ରାଜ୍ୟରେ ୨୦୪୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଗତ ୧୪ ତାରିଖରେ ରାଜ୍ୟରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ଦିନ ରାଜ୍ୟରେ ୫୬୪ଟି କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ୧୫ ତାରିଖରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୧୯୭ଟି ନମୁନା ପରୀକ୍ଷା ହୋଇଥିଲେ ହେଁ ଜଣେ ହେଲେ ପଜିଟିଭ୍ ଚିହ୍ନଟ ହୋଇ ନଥିଲେ। ସେହିପରି ଗତକାଲି ରାଜ୍ୟରେ ୮୪୩ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ଆରଏମ୍‌ଆର୍‌ସିରେ ୬୩୨, ଏମ୍‌ସରେ ୫, ଏସ୍‌ସିବି ମେଡିକାଲରେ ୬୪, ଏମ୍‌କେସିଜିରେ ୧୬, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ୭୬, ଆଇଜିଏଚ୍‌ରେ ୩୩ ଓ ଆପୋଲୋ ହସ୍ପିଟାଲରେ ୧୭ଟି ନମୁନା ପରୀକ୍ଷା ହୋଇଥିଲା। ମାତ୍ର କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୫୭୭ଟି ନମୁନା ପରୀକ୍ଷା ହୋଇସାରିଛି। ରାଜ୍ୟରେ କୋଭିଡ୍‌ ନମୁନା ନେଗେଟିଭ୍ ହାର ୯୯.୨୦ ପ୍ରତିଶତ ରହିଛି। ତେବେ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୮୦ ପ୍ରତିଶତ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୯ଜଣ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହୋଇଥିବା ବେଳେ ୪୦ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ସେହିପରି କରୋନା ସନ୍ଦିଗ୍ଧରେ ୧୦ଜଣ ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର