କଟକ : ଏସ୍ସିବିରେ ଆଜି ପାଖାପାଖି ୫୮ଟି ନମୁନା ପରୀକ୍ଷା କରାଯାଇଛି। ତେବେ ସ୍ବାବ୍ ନିଆଯାଇଥିବା ଦୁଇଜଣ ରୋଗୀଙ୍କ ଭୋର ସକାଳୁ ମୃତ୍ୟୁ ଘଟିଛି। ସେମାନଙ୍କ ରିପୋର୍ଟ ଆସି ନଥିବାରୁ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇ ପାରିନଥିବା ଜଣାପଡିଛି। ଏଥିରୁ ଜଣେ ରୋଗୀ ହେପାଟୋଲୋଜି ବିଭାଗର ଥିବା ଜଣାପଡିଛି।
ଅନ୍ୟପଟେ, ଆଜି ସକାଳେ ଏସ୍ସିବିରେ ସ୍ବାବ୍ ପରୀକ୍ଷା ନେଇ ସସମସ୍ୟା ରହିଥିବା ଚର୍ଚ୍ଚା ହେଉଥିଲା। ତେବେ, ତାହାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ଗତରାତିରୁ ୨୮ଟି ନମୁନା ଓ ସଂଧ୍ୟାରେ ୩୦ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଏଥିସହିତ ସକାଳେ ସକାଳେ ପୂର୍ବରୁ ପଜିଟିଭ୍ ବାହାରିଥିବା ୫ଜଣ ଆକ୍ରାନ୍ତଙ୍କ ନମୁନାକୁ ମଧ୍ୟ ପୁନର୍ବାର ପରୀକ୍ଷା କରାଯାଇଛି। ଅନ୍ୟପଟେ ଭଦ୍ରକରୁ ଆସି ହୃଦ୍ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି।
ସୂଚନାଯୋଗ୍ୟ, କୌଣସି ରୋଗୀଙ୍କର ଇନ୍ଫ୍ଲୁଏଞ୍ଜା, କଫ, କାଶ, ଜ୍ବର ଅଥବା ଫ୍ଲୁ'ଜନିତ କିଛି ସମସ୍ୟା ରହିଥିଲେ ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯିବାକୁ ସରକାରଙ୍କ ନିୟମ ରହିଛି। ସକାଳେ ବାୟୋ ସେଫ୍ଟି କ୍ୟାବିନେଟ୍ରେ ସମସ୍ୟା କାରଣରୁ ସ୍ବାବ୍ ପରୀକ୍ଷାରେ ସମସ୍ୟା ଉପୁଜିଥିବା ଚର୍ଚ୍ଚା ହୋଇଥିଲା। ତେବେ, ତାହାକୁ ଏସ୍ସିବି କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ଏସ୍ସିବିରେ ପାଖାପାଖି ୧୫୦ ସ୍ବାବ୍ ପରୀକ୍ଷା ହୋଇସାରିଥିବା ଜଣାପଡିଛି।