ସୁରତରୁ ସୁନାମୀ ଭଳି ଆସୁଛନ୍ତି କରୋନା ପଜିଟିଭ

ସୁରତ ଫେରନ୍ତା ୪୨ ହଜାର ଓଡ଼ିଆଙ୍କ ନମୁନା ପରୀକ୍ଷା ହେଉ: ଡା.ନାରାୟଣ ମିଶ୍ର

ସଙ୍ଗରୋଧ କେନ୍ଦ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯାଉ
ଟ୍ରେନ, ବସ୍‌ରେ ଆସିଲେ ଫୋମାଇଟ୍‌, ଡ୍ରପ୍‌ଲେଟ୍‌ ଜନିତ ସଂକ୍ରମଣ ଆଶଙ୍କା ଅଧିକ

ବ୍ରହ୍ମପୁର : ଶହେରେ ୮୦ ପୀଡ଼ିତଙ୍କଠାରେ କରୋନା ଲକ୍ଷଣ ନାହିଁ। ବାକି ୨୦ ଜଣ ମଧ୍ୟରୁ ୧୫ଜଣ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାରେ ଭଲ ହୋଇ ଯାଉଛନ୍ତି। କିନ୍ତୁ ଆଉ ଯେଉଁ ୫ଜଣ ଗମ୍ଭୀର ସ୍ଥିତିରେ ରହୁଛନ୍ତି ସେମାନଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ଆବଶ୍ୟକ ପଡ଼ୁଛି। ଆଉ ଏହିମାନଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ବୋଲି କହିଛନ୍ତି ଇଣ୍ଡିଆନ ଚେଷ୍ଟ୍‌ ସୋସାଇଟିର ପୂର୍ବତନ ସଭାପତି ତଥା ପ୍ରଖ୍ୟାତ ଛାତିରୋଗ ବିଶେଷଜ୍ଞ ପ୍ରାକ୍ତନ ପ୍ରଫେସର ଡା.ନାରାୟଣ ମିଶ୍ର।

ଡାକ୍ତର ମିଶ୍ର କହିଛନ୍ତି, ପଶ୍ଚିମବଙ୍ଗ ଓ ସୁରତରୁ ଲୋକେ ଫେରିବା ପରେ ଓଡ଼ିଶା ସ୍ଥିତି ବିଗିଡ଼ି ଚାଲିଛି। ସୁରତରୁ ସୁନାମୀ ଭଳି କରୋନା ପିଜିଟିଭ ଆସୁଛନ୍ତି। ଟ୍ରେନ୍‌ ଓ ବସ୍‌ରେ ସୁରତରୁ ଲୋକମାନେ ଆସୁଛନ୍ତି। ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି। ସେମାନଙ୍କୁ ମଧ୍ୟରୁ ଯଦି କେହି ପଜିଟିଭ୍‌ ବାହାରୁଛି ତେବେ ଆମେ ତାହାର କଣ୍ଟାକ୍ଟ ଟ୍ରେସିଂ କରୁଛୁ। ବର୍ତ୍ତମାନ ସ୍ଥିତିରେ କଣ୍ଟାକ୍ଟ ଦେଖିବାର ଆବଶ୍ୟକତା ନାହିଁ। କଣ୍ଟାକ୍ଟର ସଂଜ୍ଞା ଅନୁଯାୟୀ, ବସ୍‌ ଓ ଟ୍ରେନ୍‌ରେ ଆସିଥିବା ସମସ୍ତ ସୁରତ ଫେରନ୍ତା ଏହି ତାଲିକାରେ ରହିବେ। ଆଉ ସେମାନେ ବସ୍‌ ଓ ଟ୍ରେନ୍‌ରୁ ଓହ୍ଲାଇବା ପରେ ଯେଉଁମାନଙ୍କ ସହ ମିଶିଛନ୍ତି ସେମାନେ ବି ତାଲିକାଭୁକ୍ତ। ଏଠି ଆମେ ପଜିଟିଭ୍‌ ଦେଖିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ଆସିଥିବା ୩୦ ହଜାର ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ଆସିଥିବା ୧୨ହଜାର ସୁରତ ଫେରନ୍ତାଙ୍କୁ ଏହି ତାଲିକାରେ ରଖିବାକୁ ହେବ। କାରଣ ସେମାନେ ଦୁଇରୁ ତିନି ଦିନ ବସ୍‌ ଓ ଟ୍ରେନରେ ଆସିଛନ୍ତି। ସାମାଜିକ ଦୂରତ୍ବ ଅବଲମ୍ବନ କରିନାହାନ୍ତି। ସେମାନେ ତିନିଦିନ ଧରି ମିଶି କରି ଆସିଥିବାରୁ ଫୋମାଇଟ ଓ ଡ୍ରପଲେଟ୍‌ ଜନିତ ସଂକ୍ରମଣ ଆଶଙ୍କା ଅଧିକ। ଏ ପରିସ୍ଥିତିରେ ସଙ୍ଗରୋଧ କେନ୍ଦ୍ର ଏବଂ ତତ୍‌ସମ୍ପୃକ୍ତ ଇଲାକାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯିବା ଦରକାର। ସୁରତରୁ ଆସିଥିବା ସମସ୍ତଙ୍କ ଯୁଦ୍ଧକାଳୀନ ଭିତ୍ତିରେ ନମୁନା ପରୀକ୍ଷା ଆବଶ୍ୟକ। ୧୪ଦିନ ସଙ୍ଗରୋଧର ଅବଧି ବଢ଼ାଯିବା ଦରକାର।

ବର୍ତ୍ତମାନ ସ୍ଥିତିରେ ସୁରତରୁ ଆଉ ଲୋକଙ୍କୁ ରାଜ୍ୟକୁ ଆଣିବା ଉଚିତ ନୁ‌ହେଁ। ସୁରତରୁ ଲୋକଙ୍କୁ ଆର୍‌ଟି-ପିସିଆର ଟେଷ୍ଟ୍‌ କରି ଆଣିଲେ ବି ବିପଦ। କାରଣ ଆର୍‌ଟି-ପିସିଆର୍‌ ଟେଷ୍ଟରେ କେତେକାଂଶରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ( ଫଲସ୍‌, ନେଗେଟିଭ୍‌) ଆସୁଛି। ଆର୍‌ଟି-ପିସିଆର୍‌ର ସେନ୍‌ସିଟିଭିଟି ୭୦ ପ୍ରତିଶତ ଥିବା ବେଳେ ସ୍ପେସିଫିକ୍‌ସିଟି ୯୦ ପ୍ରତିଶତ ରହିଛି। ଯଦି କିଛି ଲୋକଙ୍କ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଆସେ ତେବେ ସେମାନେ ସମସ୍ତଙ୍କୁ ସଂକ୍ରମିତ କରିବାର ଆଶଙ୍କା ସର୍ବାଧିକ। ବର୍ତ୍ତମାନ ସୁରତରୁ ଯେତିକି ଲୋକ ଆସିଲେଣି ସେମାନଙ୍କ କଥା ବୁଝିବା ରାଜ୍ୟ ସରକାରଙ୍କ ପାଇଁ ଅସମ୍ଭାଳ ହୋଇପଡ଼ିବ। ଅନ୍ୟପକ୍ଷରେ ସର୍ବ ଭାରତୀୟସ୍ତରରେ ଆକଳନ କରାଯାଉଛି, ଜୁନ ଓ ଜୁଲାଇରେ ଅଧିକ ପଜିଟିଭ୍‌ ଆସିବା ସମ୍ଭବନା ରହିଛି। ତେଣୁ ସୁରତରୁ ଆଉ ଲୋକ ଆଣିବା ବିପଦ। ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ନ ଆଣି ସେଠାରେ ବିକଳ୍ପ ବ୍ୟବସ୍ଥା କରିବା ଦରକାର। ସେମାନଙ୍କ ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥନୈତିକ ଦିଗ ପ୍ରତି ଓଡ଼ିଶା ସରକାର ଦୃଷ୍ଟି ଦେବା ଦରକାର ବୋଲି ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ପିପିଇ କିଟ୍‌ ଦେବା ସହିତ ସେମାନଙ୍କ ନମୁନା ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରର ସ୍ଥିତିରେ ଉନ୍ନତି ଆଣିବା ସହ ସୁସ୍ଥ ପରିବେଶ ରଖିବା ଲାଗି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର