ଲିଭିଗଲା ଲାଠିକଟାର ଆଲୁଅ; ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଲକ୍ଷ୍ମୀବାଇ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ଆଲୁଅ ଲିଭଯାଇଛି । କରୋନା ମହାମାରୀ ସମୟରେ ଯିଏ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରି ଚାଲିଥିଲେ, ସେ ଆଉ ନାହାନ୍ତି । ଆମେ ଏଠାରେ କହି ରଖୁଛୁ ଏଏନ୍‌ଏମ୍‌ ଲକ୍ଷ୍ମୀବାଇ ହାତୀଙ୍କ ଜୀବନଯୁଦ୍ଧର କାହାଣୀ । ଶ୍ରୀମତୀ ଲକ୍ଷ୍ମୀବାଇ (୫୭) କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାକୁ ଲାଗିଥିଲା ଏବଂ ଶେଷରେ ଚଳିତ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶ୍ରୀମତୀ ଲକ୍ଷ୍ମୀବାଇଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ସ୍ୱାମୀ ଅଲେଖ ସିଂହ, ପୁତ୍ର ତପନ ସିଂହ ଓ ଝିଅ ଦୀପିକା ସିଂହ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଲକ୍ଷ୍ମୀ ବାଇ ଲାଠିକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ । ନିଜର ନିଃସ୍ୱାର୍ଥପର ସେବା ପାଇଁ ସ୍ଥାନୀୟ ଅଂଚଳରେ ସେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଛୋଟ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଲକ୍ଷ୍ମୀ ବାଇଙ୍କୁ ସମସ୍ତେ ଜାଣିଥିଲେ । ଲକ୍ଷ୍ମୀବାଇ ସମସ୍ତଙ୍କର ବିପଦ ଆପଦରେ ଛିଡ଼ା ହେବ ସହ ଜଣେ ପରୋପକାରୀ ମହିଳା ଥିଲେ । ସେ ଯଥା ସମ୍ଭବ ରୋଗୀ ଏବଂ ରୋଗୀ ସଂପର୍କୀୟଙ୍କୁ ସହାୟତା ପ୍ରଦାନ କରୁଥିଲେ । ତାଙ୍କର ମୃତ୍ୟୁରେ ପରେ ସମଗ୍ର ଲାଠିକଟା ଅଂଚଳର ଶୋକର ଛାୟା ଖେଳିଯାଇଛି । ଲାଠିକଟା ଅଂଚଳରେ ଲୋକେ ତାଙ୍କୁ ଝୁରି ହେଉଛନ୍ତି ଏବଂ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ସମ୍ବନ୍ଧିତ ଖବର