କରୋନା ଯୋଦ୍ଧାଙ୍କ ବାସନ୍ଦ ଦୁଃଖ : କରୋନାକୁ ଜିତିଲେ, ସମାଜ ଆଗରେ ହାରିଗଲେ

ସୁନ୍ଦରଗଡ଼ : ସକାଳୁ ସକାଳୁ ଟିକି ଝିଅଟି ଯାଇଥିଲା ପାଖ ମୁଢ଼ି ଦୋକାନକୁ। କିନ୍ତୁ ମୁଢ଼ି ବିକୁଥିବା ବୁଢ଼ୀମା ‘ତୋ ଟଙ୍କା ଛୁଇଁଲେ କରୋନା ହେବ କହି ମୁଢ଼ି ଦେବାକୁ ମନା କରି ଦେଇଥିଲେ। ଟିକି ଝିଅଟିର ମନ ଊଣା ହୋଇଯାଇଥିଲା। ଖାଲି ହାତରେ କାନ୍ଦି କାନ୍ଦି ଘରକୁ ଫେରିଥିଲା। ଏ କଥା କହିଲା ବେଳେ ବାଷ୍ପରୁଦ୍ଧ ହୋଇଯାଇଥିଲା ଜଣେ କରୋନା ଯୋଦ୍ଧା ପୁଲିସ କର୍ମଚାରୀଙ୍କର। କ‌ରୋନାକୁ ଜିତି ଆସିଥିବା ଏହି କର୍ମଚାରୀ ଓ ତାଙ୍କ ପରିବାର ଏବେ ସମାଜ ଠାରୁ ଏକ ପ୍ରକାର ବାସନ୍ଦ ହୋଇ ପଡ଼ିଛନ୍ତି। କରୋନାକୁ ମାତ୍‌ ଦେଇଛନ୍ତି ସତ, ହେଲେ ସମାଜ ଆଗ‌ରେ ଏକପ୍ରକାର ହାରିଯାଇଛନ୍ତି।

ମହାମାରୀ କରୋନା ମୁକାବିଲାର ଆହ୍ବାନ ମଧ୍ୟରେ ଏମିତି ଏକ ଅଭାବନୀୟ ଚିତ୍ରଟି ଆସିଛି ସୁନ୍ଦରଗଡ଼ ସହରରୁ।

ସୁନ୍ଦରଗଡ଼ ବ୍ରାହ୍ମଣପଡ଼ାର ଜଣେ ପୁଲିସ କର୍ମଚାରୀ ପ୍ରକାଶ ତ୍ରିପାଠୀ ଗତ ୧୦ ଦିନ ତଳେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କ ସହ ଏକକାଳୀନ ଭାବେ ବିଭାଗର ଅନ୍ୟ ୩୪ ଜଣ ମଧ୍ୟ ସଂକ୍ରମିତ ହୋଇଥିଲେ। ସମସ୍ତଙ୍କୁ ଏନଟିପିସି କୋଭିଡ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଦଶ ଦିନ ପରେ ସେମାନଙ୍କୁ ସଂକ୍ରମଣରୁ ମୁକ୍ତ କହି ଘରକୁ ପଠାଇ ଦିଆଯାଇଥିଲା। ଘରେ ସେମାନେ ଆହୁରି ୧୦ ଦିନ ଗୃହାବଦ୍ଧରେ ରହିବେ। କିନ୍ତୁ ସମ୍ପୃକ୍ତ ପୁଲିସ କର୍ମଚାରୀ ଘରକୁ ଆସିବା ପରେ ବିଗିଡ଼ି ଯାଇଥିଲା ପାଖ ପଡ଼ୋଶୀଙ୍କ ପରିବେଶ। ତାଙ୍କ ପରିବାରକୁ ପଡ଼ୋଶୀ ପାଖ ପୂରାଇ ଦେଉ ନଥିବାବେଳେ, ଦୋକାନ, ବଜାରରେ ମଧ୍ୟ ସେମାନଙ୍କୁ ସନ୍ଦେହ, ଘୃଣାଚକ୍ଷୁରେ ଦେଖୁଥିବା ପ୍ରକାଶ ପାଇଛି। ଏପରିକି ତାଙ୍କ ଘରକୁ ଦୋକାନୀ ସଉଦା, କ୍ଷୀର ବାଲା କ୍ଷୀର, ହକର ଖବରକାଗଜ ଦେବାକୁ ମଧ୍ୟ ମନା କରି ଦେଉଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

Times of India

ସେମିତି ସାମାଜିକ ଘୃଣାର ସମ୍ମୁଖୀନ ହୋଇଛନ୍ତି ଆଉ ଜଣେ ମହିଳା କରୋନା ଯୋଦ୍ଧା ଅଞ୍ଜଳି ନାଏକ। ଶଙ୍କରାସ୍ଥିତ ବିଦ୍ୟୁତ ବିହାର କଲୋନିରେ ନିଜ ଭାଇଭାଉଜଙ୍କ ପାଖରେ ରହୁଥିବା ଏହି ପୁଲିସ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ତେବେ ୧୦ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଭାଇଭାଉଜଙ୍କ ପାଖକୁ ଫେରି ଏବେ ଗୃହାବଦ୍ଧରେ ରହିଛନ୍ତି। କିନ୍ତୁ କଲୋନିରେ ସେ ଓ ତାଙ୍କ ପରିବାର ଯେମିତି ଏକ ଘରକିଆ ହୋଇପଡ଼ିଛନ୍ତି। ସବୁଠାରୁ ଉଦ୍‌ବେଗଜନକ କଥା ହେଲା, କରୋନା ଯୋଦ୍ଧା ଅଞ୍ଜଳି ସୁନ୍ଦରଗଡ଼ରେ ରହୁଥିଲେ ମଧ୍ୟ ତାଙ୍କ ନିଜ ଗାଁ ଟାଙ୍ଗରପାଲି ବ୍ଲକ୍‌ ଉଜ୍ବଳପୁର ଝରିଆପାଲିରେ ତାର ଦୁଃଖଦ ପ୍ରଭାବ ପଡ଼ିଛି। ଝରିଆପାଲିରେ ରହୁଥିବା ତାଙ୍କ ବୃଦ୍ଧ ବାପାମାଙ୍କୁ ଲୋକେ ପାଖକୁ ପୂରାଇ ଦେଉ ନଥିବା ପ୍ରକାଶ ପାଇଛି। ଏପରିକି ଲୋକେ କରୋନା ସଂକ୍ରମଣ ଭୟରେ ମୋବାଇଲ୍‌ରେ କଲ୍‌ କରୁ ନଥିବା ସେ ପ୍ରକାଶ କରିଛନ୍ତି।

ଏମାନଙ୍କ ସହ ସଂକ୍ରମିତ ହୋଇଥିବା ଏସପି ଅଫିସର ଅନ୍ୟ ୩ କର୍ମଚାରୀ ମଧ୍ୟ ଏବେ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। ସଂକ୍ରମଣ ମୁକ୍ତ ହୋଇ ଫେରିଥିବା ଏହି କର୍ମଚାରୀଙ୍କୁ ପଡ଼ୋଶୀ ଘୃଣାଚକ୍ଷୁରେ ଦେଖୁଛନ୍ତି। ଏପରିକି ପୁଲିସ ବାରାକ ପରିସରରେ ଥିବା ଶିବ ମନ୍ଦିର ପୂଜକ ମଧ୍ୟ ଏହି ସାମାଜିକ ଦୁର୍ଦ୍ଦଶାରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି। ତାଙ୍କୁ ଗାଁକୁ ନଆସିବାକୁ ଲୋକେ କଡ଼ା ଚେତାବନୀ ଦେଇଥିବା ପ୍ରକାଶ ପାଇଛି। କେବଳ ପ୍ରକ‌ାଶ, ଅଞ୍ଜଳି କି ଶିବ ମନ୍ଦିର ପୂଜକ ନୁହନ୍ତି, ଏମିତି ସାମାଜିକ ସନ୍ଦେହ ଓ ଘୃଣାର ସମ୍ମୁଖୀନ ହୋଇଛନ୍ତି ସଂକ୍ରମଣରୁ ମୁକ୍ତ ଅନେକ କରୋନା ଯୋଦ୍ଧା ପୁଲିସ କର୍ମଚାରୀ। ମହାମାରୀ କରୋନାରୁ ଲୋକଙ୍କୁ ରକ୍ଷା କରିବାକୁ ଏହି କରୋନା ଯୋଦ୍ଧାମାନେ ଘର ପରିବାରକୁ ଭୁଲି ଦିନ ରାତି ଯୁଦ୍ଧ କରୁଥିବା ବେଳେ ସେମାନଙ୍କୁ ଜଣେ ଜଣେ ବୀର ଭାବେ ଗ୍ରହଣ କରାଯିବା ଉଚିତ। ସେମାନଙ୍କ ପ୍ରତି ସମାଜ କୃତଜ୍ଞତା ପ୍ରକାଶ କରିବା ଉଚିତ। କିନ୍ତୁ ତା ବଦଳରେ ସେମାନଙ୍କ ପ୍ରତି ପଡ଼ୋଶୀ ସମାଜର ଏପରି ହୀନ ଆଚରଣ ଉଦ୍‌ବେଗ ସୃଷ୍ଟି କରିଛି। ଏ ଦିଗରେ ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି, ସାମାଜିକ କର୍ମୀ ସଚେତନତା ପାଇଁ ତ୍ବରିତ ଓ ଠୋସ ପଦକ୍ଷେପ ନନେଲେ ଯୁଦ୍ଧ କ୍ଷେତ୍ରରେ ଥିବା କରୋନା ଯୋଦ୍ଧାମାନଙ୍କ ମନୋବଳ ଅଚିରେ ଭାଙ୍ଗିଯିବ। ଏ ବାବଦରେ ଲୋକଙ୍କ ମନଭାବ ବଦଳିବା ଉଚିତ।

ସମ୍ବନ୍ଧିତ ଖବର